ଦାମଙ୍କର ଟିଟୋ ସହିତ ସମ୍ପର୍କ ରହିଛି: ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ବିଜୁ ଜନତା ଦଳରୁ  ବରିଷ୍ଠ ରାଜନେତା ଡା. ଦାମୋଦର ରାଉତଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବହିଷ୍କାର କରିବା ପରେ ବରିଷ୍ଠ ବିଜେଡି ନେତାମାନେ ଡା. ଦାମୋଦର ରାଉତଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି। ପ୍ରଥମେ ବିଜେଡିର ବରିଷ୍ଠ ନେତା  ବିଷ୍ଣୁ ଦାସ ଡା.ରାଉତଙ୍କୁ ଟାର୍ଗେଟ କରିଥିଲେ। ଉଭୟ ବିଜେଡିରେ ଥିବା ବେଳେ  ମଧ୍ୟ ପରସ୍ପର ପ୍ରତି ଆକ୍ଷେପ କରୁଥିଲେ। ତେଣୁ ଦଳରୁ ଦାମ ରାଉତ ବହିଷ୍କାର ହେବା ପରେ ବିଷ୍ଣୁଙ୍କ ଆକ୍ଷେପ ଅଧିକ ତୀବ୍ର ହେବା ସ୍ୱାଭାବିକ। ଅପରପକ୍ଷେ ଗତ ଦୁଇଦିନ ତଳେ ଡା. ରାଉତ ବରିଷ୍ଠ ବିଜେଡି ନେତା ତଥା ମନ୍ତ୍ରୀ ସୂର୍ଯ୍ୟପାତ୍ରଙ୍କୁ  ଟାର୍ଗେଟ କରି ମନ୍ତବ୍ୟ ଦେଇଥିଲେ। ଆଉ ଆଜି ମନ୍ତ୍ରୀ ଶ୍ରୀ ପାତ୍ର  ଡା. ରାଉତଙ୍କ ଆକ୍ଷେପର ସୁଧମୂଳ ହିସାବ କରି ଫେରାଇ ଦେଇଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ ସୂର୍ଯ୍ୟ ପାତ୍ରଙ୍କ ଏ ଅଭିଯୋଗର ମଧ୍ୟ ଜବାବ ଦେଇଛନ୍ତି ଡା. ରାଉତ। କହିଛନ୍ତି, ସୂର୍ଯ୍ୟପାତ୍ର ଯେ କୌଣସି ସଂସ୍ଥା ଜରିଆରେ ଘଟଣାର ତଦନ୍ତ କରିପାରନ୍ତି। ଦୁଇ ଦିନ ତଳେ ଏକ ଘରୋଇ ଟିଭି ଚାନେଲକୁ ସାକ୍ଷାତକାର ଦେଇ ଡା. ରାଉତ କହିଥିଲେ ଯେ ସ୍ୱାର୍ଥ ପାଇଁ ସୂର୍ଯ୍ୟ ପାତ୍ର ଯେ କୌଣସି ସ୍ତରକୁ ଯାଇ ପାରିବେ। ମନ୍ତ୍ରୀ ସୂର୍ଯ୍ୟ ପାତ୍ର  ଅତି ତଳକୁ ଯାଇ ନବୀନ ପଟ୍ଟନାୟକଙ୍କ ଚାକର ହୋଇ ପାରିବେ। ତାଙ୍କ ପୁଅ ବିପ୍ଳବ ପାତ୍ର ପିତା ନାରାୟଣ ପାତ୍ର ନାମରେ  ଜମି ହଡ଼ପ କରିଥିବା ନେଇ ଡା. ରାଉତ ଅଭିଯୋଗ କରିଥିଲେ। ଆଜି ଡା ରାଉତଙ୍କ ଏହି ମନ୍ତବ୍ୟର ପ୍ରତି ଜବାବ ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ମନ୍ତ୍ରୀ ସୂର୍ଯ୍ୟ ପାତ୍ର ସିଧାସଳଖ କହିଛନ୍ତି ଯେ ଦାମ ରାଉତଙ୍କର ଟିଟୋ ସହିତ ସମ୍ପର୍କ ରହିଛି। ଟିଟୋ ସହାୟତାରେ ପାରାଦୀପ ଇଫ୍‌କୋ କାରାଖାନା କର୍ତ୍ତୃପକ୍ଷଙ୍କୁ ଡ଼ରାଇ ଧମକାଇ ତାଙ୍କ ପୁଅ ଏହାର ପରିବହନ ଠିକା ହାସଲ କରିଛନ୍ତି।