ଦକ୍ଷିଣ ଭାରତ ତୀର୍ଥ ଯାତ୍ରା କଲେ ଗଜପତି ଜିଲ୍ଲାରୁ ୫୯ଜଣ ବରିଷ୍ଠ ନାଗରିକ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗଜପତି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଗଜପତି ଜିଲ୍ଲାର ମୋଟ ୫୯ ଜଣ ବରିଷ୍ଠ ନାଗରିକ (ମହିଳା ଓ ପୁରୁଷ) ଆଜି ଯାତ୍ରା କରିଛନ୍ତି । ସେମାନେ ସମସ୍ତେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଇଣ୍ଡୋର ଷ୍ଟାଡିଅମ ଠାରୁ ମଧ୍ୟାହ୍ନରେ ଶିବ କୁମାର ନାମକ ଏକ ଘରୋଇ ବସ ଯୋଗେ ବ୍ରହ୍ମପୁର ଗଲେ ଏବଂ ସେଠାରୁ ଟ୍ରେନ ଯୋଗେ ଯାତ୍ରା କରିବେ । ବରିଷ୍ଠ ନାଗରିକ ମାନଙ୍କ ଏହି ତୀର୍ଥଯାତ୍ରାର ଶୁଭାରମ୍ଭ ଗଜପତି ଜିଲ୍ଲାପାଳ ଅନୁପମ ଶାହା ନଡ଼ିଆ ଭାଙ୍ଗି ଓ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତୀର୍ଥଯାତ୍ରୀ ଦଳ ଏଠାରୁ ବସ ଯୋଗେ ଯାଇ ବ୍ରହ୍ମପୁର ପହଞ୍ଚିବା ପରେ ସେଠାରେ ରେଳ ଷ୍ଟେସନ ନିକଟସ୍ଥରେ ଥିବା ଗୁରୁକୂଳ ଇଣ୍ଟରନେସନାଲ ସ୍କୁଲ ପରିସରରେ ରାତ୍ରିଯାପନ ଓ ଖାଇବା ପ୍ରଭୃତିର ବ୍ୟବସ୍ଥା କରାଯାଇଛି-ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀଙ୍କ ତତ୍ତ୍ୱବଧାନରେ । ସେଠାରୁ ଆସନ୍ତା କାଲି ସକାଳ ୧୦ ଟାରେ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଦକ୍ଷିଣ ଭାରତର ପ୍ରସିଦ୍ଧ ତୀର୍ଥସ୍ଥଳୀ ରାମେଶ୍ୱର, ମଦୁରାଇ ଏବଂ ତିରୁପତି ପ୍ରଭୃତି ଯାତ୍ରାରେ ଯିବେ । ଏହି ତୀର୍ଥଯାତ୍ରାରେ ଗଜପତି ଜିଲ୍ଲାରୁ ମୋଟ ୫୯ ଜଣ ବରିଷ୍ଠ ନାଗରିକ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୋହନାରୁ ୯ ଜଣ, ରା:ଉଦୟଗିରିରୁ ୮ଜଣ, ନୂଆଗଡରୁ ୨ ଜଣ, ଗୋସାଣିରୁ ୩୦ ଜଣ ଏବଂ ପାରଳାଖେମୁଣ୍ଡି ପୌର-ପରିଷଦରୁ ୧୦ ଜଣ ଏବଂ ଏଭଳି ପୁରୁଷ ୨୯ ଜଣ ଓ ମହିଳା ୩୦ ଜଣ ରହିଛନ୍ତି । ବ୍ରହ୍ମପୁରରୁ ଏହି ତୀର୍ଥଯାତ୍ରା ଗସ୍ତବେଳେ ଦକ୍ଷିଣ ଓଡ଼ିଶାର ୮ ଟି ଜିଲ୍ଲାର ଯଥା:-ଗଂଜାମ, ଗଜପତି, ଫୁଲବାଣୀ, ବଉଦ, କୋରାପୁଟ, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ବରିଷ୍ଠ ନାଗରିକ ମାନେ ରହିଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳ ଅନୁପମ ଶାହା ଅଧିକ ସୂଚନା ଦେଇ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ, ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆମ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କୁ ଦେଜ଼ହର ବିଭିନ୍ନ ତୀର୍ଥସ୍ଥଳୀ ମାନଙ୍କୁ ପଠାଯାଉଛି । ସେଥିରେ ଗଜପତି ଜିଲ୍ଲାର ମୋଟ ୫୯ ଜଣ ବରିଷ୍ଠ ନାଗରିକମାନଙ୍କୁ ପଠାଯାଇଛି ଏବଂ ତୀର୍ଥଯାତ୍ରାର ଶୁଭାରମ୍ଭ କରାଯାଇଛି । ଆଜି ସେମାନେ ବସ ଯୋଗେ ବ୍ରହ୍ମପୁର ଯାତ୍ରା କରିଛନ୍ତି । ସେଠାସରୁ ଟ୍ରେନ ଯୋଗେ ଦକ୍ଷିଣ ଭାରତର ରାମେଶ୍ୱର, ମଦୁରାଇ ଓ ତିରୁପତି ୫ ଦିନପାଇଁ ତୀର୍ଥଯାତ୍ରା ଗସ୍ତ କରିବେ । ସେମାନଙ୍କ ଯିବା ତୀର୍ଥ ଭ୍ରମଣରେ ଯେଭଳି କୋଣସି ପ୍ରକାର’ର ଅସୁବିଧା ନ ହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ସହିତ ୨ ଜଣ ଗାଇଡ଼ ମନୋଜ କୁମାର ସାବତ ଏବଂ ଅଜିତ କୁମାର ବେହେରା ଦଳେଇଙ୍କୁ ପଠା ହୋଇଛି । ପ୍ରତ୍ୟେକ ଦିନ ସେମାନଙ୍କ ସୁବିଧା-ଅସୁବିଧା ବୁଝିବେ ଏବଂ ସେମାନଙ୍କ ସହ ଜିଲ୍ଲା ପ୍ରଶାସନ ଯୋଗାଯୋଗରେ ରହିବେ । ତାଙ୍କ ସହିତ ମେଡିକାଲ କୀଟ ଏବଂ ଅତ୍ୟାବଶ୍ୟକ ଜରୁରୀକାଳୀନ ଜିନିଷ ମଧ୍ୟ ପଠାହୋଇଛି । ଆଶା କରୁଛୁ, ବରିଷ୍ଠ ନାଗରିକ ମାନେ ସୁଖ-ଶାନ୍ତିରେ ଯାତ୍ରା କରି ଫେରି ଆସିବେ ବୋଲି କାମନା କରୁଛୁ, କହିଥିଲେ । ବରିଷ୍ଠ ନାଗରିକ ମାନଙ୍କ ଏହି ତୀର୍ଥଯାତ୍ରା ଯିବା ଓ ଶୁଭାରମ୍ଭ ହେବା ସମୟରେ ଅନ୍ୟମାନଙ୍କ ମଧ୍ୟରେ ଡିସିପିୟୁ:-ଅରୁଣ କୁମାର ତ୍ରିପାଠୀ ଓ ଜିଲ୍ଲା ବିଜେବିର କାର୍ଯ୍ୟକ୍ରମ ଅଧିକାରୀ ସୁନିତା ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା