ତେଲଙ୍ଗାନାରେ ରାଷ୍ଟ୍ରପତି ଶାସନ ଲାଗୁ ହେବ

ନୂଆଦିଲ୍ଲୀ : ତେଲଙ୍ଗାନାରେ ଆଗୁଆ ବିଧାନସଭା ନିର୍ବାଚନ ନିମନ୍ତେ କ୍ଷେତ୍ର ପ୍ରସ୍ତୁତି ଲାଗି ଟିଆରଏସ୍‍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ଯୋଜନା କରୁଥିବା ଖବର ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି ହୋଇଛି। ବିଭିନ୍ନ ରାଜନୈତିକ ଦଳ ଏହି ଖବରକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜ୍ୟରେ ଆଗୁଆ ନିର୍ବାଚନକୁ ବିଜେପି ବିଶେଷ ଗୁରୁତ୍ୱ ଦେଇ ନ ଥିଲେ ମଧ୍ୟ ଯଦି ବିଧାନସଭା ଭଙ୍ଗ ହୁଏ ସେଭଳି ସ୍ଥଳେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି ହେବ ବୋଲି କହିଛି। ଦଳୀୟ ମୁଖପାତ୍ର କ୍ରିଷ୍ଣା ସାଗର ରାଓ କହିଛନ୍ତି, ଟିଆର୍‍ଏସ୍‍ ସରକାରର କାର୍ଯ୍ୟକାଳ ପୂରଣ ହେବାକୁ ଆହୁରି ୮ ମାସ ବାକି ଥିବାରୁ ଦଳ ଏଭଳି କୌଣସି ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ନାହିଁ। ଅନ୍ୟପଟେ ଦେଶର ଅନ୍ୟ ୪ଟି ରାଜ୍ୟରେ ନଭେମ୍ବର ତୃତୀୟ ଏବଂ ପଞ୍ଚମ ସପ୍ତାହରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ ସେଥିନେଇ ପ୍ରସ୍ତୁତି କରୁଥିବା ବେଳେ ତେଲଙ୍ଗାନାରେ ସମୟ ପୂର୍ବରୁ ନିର୍ବାଚନ କରାଇବାକୁ ଉପଯୁକ୍ତ ସମୟ ପାଇବେ ନାହିଁ। ଅନ୍ୟପଟେ ଦେଶରେ ଏକକାଳୀନ ନିର୍ବାଚନ କରାଇବା ନେଇ ବିଜେପି ଦାବି କରୁଥିବାରୁ ତେଲେଙ୍ଗାନାରେ ଆଗୁଆ ନିର୍ବାଚନକୁ ସମର୍ଥନ କରିବ ନାହିଁ। ଏହାସତ୍ତ୍ବେ ତେଲଙ୍ଗାନା ବିଧାନସଭା ଭଙ୍ଗ ହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇ ସୁପାରିସ କରାଯିବ। କେସିଆର କେବଳ କାମଚଳା ମୁଖ୍ୟମନ୍ତ୍ରୀ ଭୂମିକା ନିର୍ବାହ କରିବେ ବୋଲି ସେ ଦର୍ଶାଇଛନ୍ତି। ଅନ୍ୟପଟେ ଯେକୌଣସି ସମୟରେ ନିର୍ବାଚନ ନିମନ୍ତେ ଦଳ ପ୍ରସ୍ତୁତ ବୋଲି ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି କହିଛି। ଏ ସମ୍ପର୍କରେ ନିର୍ବାଚନ ଆୟୋଗ ଯେଉଁ ନିଷ୍ପତ୍ତି ଗ୍ରହଣ କରିବେ ଦଳ ତାହାକୁ ସ୍ୱୀକାର କରିବ ବୋଲି ଦଳୀୟ ମୁଖ୍ୟ ଉତ୍ତମ କୁମାର ରେଡ୍ଡୀ କହିଛନ୍ତି।