ତୁରନ୍ତ ଧାନ କିଣିବା ଦାବି ନେଇ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କଲେ ବହୁ ଚାଷି…

ଛତ୍ରପୁର (ସମୃଦ୍ଧ ଓଡିଶା) ତୁରନ୍ତ ଧାନ କିଣିବା ଦାବି ନେଇ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ସାକ୍ଷତ କରି ଏକ ଦାବି ପତ୍ର ବହୁ ଚାଷି ପ୍ରଦାନ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡାପଦର ଗ୍ରାମର ଚାଷି ଅମଳ କରିଥିବା ଧାନ ଗୁଡିକ ମିଲର ମାନେ କିଣୁ ନାହାନ୍ତି । ଯାହା ଫଳରେ ସେମାନେ ବହୁ ଅସୁବିଧାରେ ଗତି କରି ଆସୁଛନ୍ତି । ଏନେଇ ବାରମ୍ବାର ଗ୍ରାମବାସୀ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଲେ ସୁଦ୍ଧା ସେମାନେ ଏଥିପ୍ରତି ଦୃଷ୍ଟି ଦେଉନଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି । ଗ୍ରାମ ପକ୍ଷରୁ ପୂର୍ବରୁ ରାସ୍ତା ରୋକ କରି ଆନ୍ଦୋଳନ କରାଯାଇଥିବାରୁ ଗ୍ରାମର କିଛି ଚାଷୀମାନଙ୍କର ଧାନ ସଂଗ୍ରହ ହୋଇଥିଲେ ମଧ୍ୟ ଅଧିକାଂଶ ଏହାରୁ ବାଦ୍ ପଡିଛନ୍ତି । ନିୟୋଜିତ ହୋଇଥିବା ମିଲର ମାନେ ୧୦୭୫ ଓ ସାରଳା ଧାନ କିଣୁନାହାନ୍ତି । ଏହାର ପ୍ରତିବାଦରେ ଗ୍ରାମର ଶତାଧିକ ଚାଷୀ ଆଜି ସେମାନଙ୍କ ଧାନ ଗୁଡିକ ତୁରନ୍ତ କିଣିବା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଓ ବିଭିନ୍ନ ଅଧିକାରୀ ମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗ୍ରାମର ଅଧିକାଂଶ ଚାଷୀ ମାନେ ୧୦୭୫ ଓ ସାରଳା ଧାନ ଅମଳ କରି ଗଚ୍ଛିତ ରଖିଥିବା ବେଳେ ମିଲର ମାନେ କିଣୁ ନଥିବାରୁ ସେମାନଙ୍କ ଧାନ ଗୁଡିକ ନଷ୍ଟ ହେବାରେ ଲାଗିଲାଣି । ଖୁବ୍ ଶୀଘ୍ର ସେମାନଙ୍କ ଧାନ କିଣା ନ ଗଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନପନ୍ଥା ଗ୍ରହଣ କରାଯିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି । ଏନେଇ ଏକ ଦାବୀପତ୍ର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମା ଶଙ୍କର ପତିଙ୍କୁ ଗ୍ରାମ ପକ୍ଷରୁ ପ୍ରଦାନ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଡି.ନାଇଡୁ, ବି.କାମରାଜୁ, କିଶୋର ଚନ୍ଦ୍ର ପଣ୍ଡା, ଡି.ରାଜେଶ୍ୱର ରାଓ, ଏ.ଜଗା ରାଓଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହିଥିଲେ ।