ତିତ୍‌ଲିର ତାଣ୍ଡବ ଲୀଳା:୧୧୬କି.ମି.ବେଗରେ ପବନ:ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ବ୍ରହ୍ମପୁର-ଗୋପାଳପୁର ରାସ୍ତା ବିଚ୍ଛିନ୍ନ

ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ତିତ୍‌ଲି ଭୋର ୫ଟା ୨୫ ମିନିଟ୍‌ ସମୟରେ ଦକ୍ଷିଣ ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ ମଧ୍ୟରେ ସ୍ଥଳଭାଗରେ ମାଡ଼ ହୋଇଛି। ପ୍ରବଳ ବର୍ଷା ଓ ୧୪୦ କିଲୋମିଟର ବେଗରେ ପବନ ସହ ତିତ୍‌ଲି ଗୋପାଳପୁରରେ ତାଣ୍ଡବ ଆରମ୍ଭ କରିଛି। ଯଦିଓ ପ୍ରଶାସନ ପକ୍ଷରୁ ପ୍ରବଳ ସର୍ତକତାମୂଳକ ଅବଲମ୍ବନ କରାଯାଇଛି ତଥାପି ଗଛ ଉପୁଡି ଗୋପାଳପୁର-ବ୍ର୍ରହ୍ମପୁର ରାସ୍ତା ବିଚ୍ଛିନ୍ନ ହୋଇଯାଇଛି। ଏହା ଆଗାମୀ ୨ ଘଣ୍ଟ ମଧ୍ୟରେ ସ୍ଥଳଭାଗକୁ ସମ୍ପୂର୍ଣ୍ଣ ଆସିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଏହାର ବେଗ ୧୪୦ରୁ ୧୫୦ କିଲୋମିଟର ବେଗରେ ଥିବା ବେଳେ ଏହା ଆହୁରି ବଢ଼ି ୧୬୫ କିଲୋମିଟର ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା ପ୍ରକାଶ କରିଛି।ସୂଚନାଯୋଗ୍ୟ ଯେ, ଗତ ୮ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ପରେ ସାମୁଦ୍ରିକ ଝଡ଼ ତିତ୍‌ଲିର ରୂପ ନେଇଥିଲା। ତିତ୍‌ଲି କ୍ରମଶଃ ଜଳଭାଗରେ ଅଧିକ ସମୟ ରହି ଶକ୍ତି ସଂଗ୍ରହ କରିବା ସହ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଥିଲା। ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ଗୋପାଳପୁରଠାରେ ସ୍ଥଳଭାଗରେ ମାଡ଼ ହୋଇଛି। ଏବେ ଏହା ଏକ କର୍‌ର୍ଭ ନେଇ ଗାଙ୍ଗୀୟ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିବ ବୋଲି ପାଣିପାଗ ବିଭାଗ କହିଥିବାରୁ ଏହା ସମଗ୍ର ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି କରିବ ବୋଲି କୁହାଯାଇଛି। ଆଜି ସକାଳେ ତିତ୍‌ଲି ଭୋର ୫ଟା ୨୫ ମିନିଟ୍‌ ସମୟରେ ଗୋପାଳପୁରଠାରେ ସ୍ଥଳଭାଗ ଛୂଇଁଛି। ସାମୁଦ୍ରିକ ଝଡ଼ ତିତ୍‌ଲିର ଆଖିର ଚତୁଃପାର୍ଶ୍ୱ ଅଞ୍ଚଳ ସ୍ଥଳଭାଗ ଛୁଇଁଥିବା ବେଳେ ସମଗ୍ର ତିତ୍‌ଲି ଜଳଭାଗ ଛାଡ଼ି ସମ୍ପୂର୍ଣ୍ଣ ସ୍ଥଳଭାଗକୁ ଆସିବା ପାଇଁ ଆହୁରି ୨ ଘଣ୍ଟା ଲାଗିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅପରପକ୍ଷେ ତିତ୍‌ଲି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାରେ ଲାଗିଛି।ସେହିପରି ଗୋପାଳପୁର ଅଞ୍ଚଳରେ କେତେକ ଆଜବେଷ୍ଟ ଓ ଚାଳଛପର ଘରର ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ସେହିପରି ହାଇମାଷ୍ଟ ଲାଇଟ୍‌ ପୋଷ୍ଟ ମଧ୍ୟ ଭାଙ୍ଗି ପଡିଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି।                                                                                           ଆମ ପଲାସା ପ୍ରତିନିଧି ଲକ୍ଷ୍ମୀ ନାରାୟଣ ପଟନାୟକ ଜଣାଇଛନ୍ତି ଯେ  ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ତିତ୍‌ଲି’। ଗୋପାଳପୁରର ଦକ୍ଷିଣ-ପଶ୍ଚିମରେ ପଲାସାରେ ଏହା ସ୍ଥଳଭାଗ ଛୁଇଁ ଥିଲା। ‘ତିତ୍‌ଲି’ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ରହିଥିଲା।ଏହା ଏବେ ଗଞ୍ଜାମ ଜିଲ୍ଲା ଦେଇ ଓଡ଼ିଶାକୁ ଅତିକ୍ରମ କରୁଛି। ଫଳରେ ପୂରା ଗଞ୍ଜାମ ଜିଲ୍ଲା ‘ତିତ୍‌ଲି’ କବଳରେ ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି।ଗୋପାଳପୁରରେ ଜୋରରେ ବର୍ଷା ହେଉଛି। ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ବଡ଼ ବଡ଼ ଜୁଆର ଆସୁଛି। ଏବେ ଗୋପାଳପୁରରେ ପବନର ବେଗ ଘଣ୍ଟାପ୍ରତି ୧୨୬ କିଲୋମିଟର ରହିଛି। ପବନ ଯୋଗୁଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗଛ ଉପୁଡ଼ି ପଡ଼ିଥିବା ଯୋଗୁ ଗୋପାଳପୁର ଓ ବ୍ରହ୍ମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।ଗଜପତି ଜିଲ୍ଲାରେ ମଧ୍ୟ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଖବର ଆସିଛି।ପୂର୍ବ ସୂଚନା ମୁତାବକ ଯେଉଁ ଯେଉଁ ଜିଲ୍ଲା ଦେଇ ‘ତିତ୍‌ଲି’ ଅତିକ୍ରମ କରିବ ସେହି ସବୁ ସ୍ଥାନରେ ବର୍ଷା ସାଙ୍ଗକୁ ପବନର ବେଗ ବଢ଼ିବ। ପ୍ରାୟ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଗତକାଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ,କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ କରାଯାଇଥିଲା। ଏଠାରେ ପ୍ରବଳ ବର୍ଷା ହେବ।‘ତିତ୍‌ଲି’ ଲ୍ୟାଣ୍ଡଫଲ୍ କରିବା ପରେ ଏବେ ଉତ୍ତର ଓଡ଼ିଶା ପ୍ରତି ବିପଦ ରହିଛି। କାରଣ ଏହା ସେହି ବାଟ ଦେଇ ପଶ୍ଚିମ ବଙ୍ଗ ଆଡ଼କୁ ଯିବ ବୋଲି କୁହାଯାଉଛି। ଏହାର ପ୍ରଭାବରେ ବାଲେଶ୍ୱର,ଭଦ୍ରକ ଓ ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ ଜୋର୍ ବର୍ଷା ହେବ। ତା’ସାଙ୍ଗକୁ ପବନ ମଧ୍ୟ ବହିବ। ଏସବୁ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି,ଗୋପାଳପୁରରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ଉପୁଡ଼ି ପଡ଼ିଛି। ଫଳରେ ଦୁଇ ସହର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ତେବେ ଏନେଇ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିନାହିଁ। ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ସଫା କରିବାକୁ ପ୍ରଶାସନିକ କଳ ତତ୍ପରତା ଦେଖାଇ ନାହିଁ।ଗୋପାଳପୁର ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗଛ ଉପୁଡ଼ି ପଡ଼ିଥିବା ଖବର ଆସିଛି। ଗୋପାଳପୁର ଓ ପୁରୀରେ ସମୁଦ୍ର ଅଶାନ୍ତ ରହିଛି। ଲହଡ଼ିର ଉଚ୍ଚତା ବଢ଼ିଛି।