ତର୍କ ଓ ସତ୍ୟ-୧…

ସତ୍ୟ ଚିରନ୍ତନ, ଶାଶ୍ୱତ ।
ସତ୍ୟର ପରିବର୍ତ୍ତନ, ବିକଳ୍ପ ନଥାଏ !
ହେଲେ ମିଥ୍ୟାକୁ ବିତର୍କ ମାଧ୍ୟମରେ ସତ୍ୟରେ ପରିଣତ
କରି ପରିବର୍ତ୍ତିତ, ବିକଳ୍ପିତ କରିବା ସମ୍ଭବ !!

ବିଚାରାଳୟରେ ସତ୍ୟକୁ ପ୍ରମାଣିତ କରାଇବା ପାଇଁ ତର୍କ ମାଧ୍ୟମରେ ବିଭିନ୍ନ ଯୁକ୍ତି, ବାଦାନୁବାଦ, ପ୍ରମାଣ, ସାକ୍ଷୀ ଏବଂ ଆହୁରି ଅନେକ କୌଶଳ ବ୍ୟବହାର କରାଯାଇଥାଏ । ମୁଖ୍ୟତଃ ଦୁଇ ଗୋଷ୍ଠୀଙ୍କ ତର୍କ ମଧ୍ୟରୁ ନିଷ୍କର୍ସ ବାହାର କରି ସତ୍ୟର ଆନୁମାନିକ ଅନୁସନ୍ଧାନ କରିଥା’ନ୍ତି ବିଚାରପତି । ଶେଷରେ ବିଚାରପତିଙ୍କ ମନକୁ ପାଇଲା ଭଳି କୌଣସି ନିଦର୍ଶନ ଦେଖାଗଲେ ତାକୁହିଁ ସତ୍ୟ ବୋଲି ଧରି ନିଆଯାଇ ଥାଏ । କି’ନ୍ତୁ ବାସ୍ତବରେ ତାହା ସତ୍ୟ କି ନୁହେଁ, ସାଧାରଣରେ ଜାଣି ନହେଲେ ମଧ୍ୟ, ବିଚାରପତିଙ୍କ ଆଦେଶକୁ ସତ୍ୟ ବୋଲି ଗ୍ରହଣ କରାଯାଉଥିବା ସାମାଜିକ ନ୍ୟାୟୀକ ବ୍ୟବସ୍ଥାର ଆଦି, ଅନ୍ତର ରୁପରେଖ ବିଷୟରେ ସାଧାରଣ ଲୋକଙ୍କ ଗ୍ରହଣୀୟତା ଏକ ଭିନ୍ନ ଦୃଷ୍ଟିରେ ଦେଖିବାକୁ ମିଳେ । ବିଚାରପତିଙ୍କ ଶେଷ ନିଷ୍ପତ୍ତି କୌଣସି ମାନବୀୟ ବିଚାରଧାରା ଜଡିତ କମ୍ ଥିବା ବେଳେ ପୂର୍ବ ଲିଖିତ କେତେକ ଆଇନ ସମ୍ମତ ବିଚାର ଓ ଗ୍ରହଣୀୟତା ଉପରେ ପ୍ରାଧାନ୍ୟତା ଦିଆଯାଇ ଥାଏ । ସେହି ଆଇନ ଗୁଡିକ ଭାରତୀୟ ବିଚାରଧାରା, ମାନବିକ ଚରିତ୍ରର କୌଣସି ବିଷୟ ଆଧାରିତ ନହୋଇ ଇଂରେଜ ମାନ୍ୟତା ହୋଇଥିବା ବେଳେ ସେଗୁଡିକୁ ଭାରତୀୟଙ୍କ ପାଇଁ ଉଦ୍ଧିଷ୍ଠ କରାଯାଉଥିବା କେତେଦୂର ଯୁକ୍ତିଯୁକ୍ତ ବିଚାର ବିହୀନ ଆମ ସାମାଜିକ ପରିସ୍ଥିତିର ରୂପରେଖ ବିଷୟରେ ସମସ୍ତଙ୍କୁ ପ୍ରାୟତଃ ଜଣା ନଥିବ । କୌଣସି ଏକ ସମୟରେ ସେହି ଇଂରେଜ ଆଇନ ଗୁଡିକର ନକଲ ଭାରତୀୟ ସମ୍ବିଧାନରେ ଯୋଡି ଦେଇଥିବା ଆମ ପୂର୍ବଜଙ୍କ କିଛି ଅଭାବନିୟତା ସାବ୍ୟସ୍ତ କରୁଛି, ନା କୌଣସି ଉଦ୍ଦେଶ୍ୟ ଜଡିତ, ଭାବ ବହିର୍ଭୁତ ଉପସ୍ଥିତ ସମୟର ଭାରତୀୟଙ୍କ ଗତିବିଧି ଉପରେ କୌଣସି ବିଚାରଯୁକ୍ତ ତର୍ଜମା ନାହିଁ କେଉଁଠାରେ ? କେବଳ ବ୍ୟକ୍ତି କୈନ୍ଦ୍ରିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚାଲି ଆସୁଥିବା ଭାରତୀୟ ସମ୍ବିଧାନ ପରୋକ୍ଷରେ ସେହି ବିଦେଶୀ ମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଜ୍ଞାନ ଶୂନ୍ୟ ସାଧାରଣ ଜନତାଙ୍କ ବଂଚିବା ଶୈଳୀ ଏକ ଭିନ୍ନ ଦିଗରେ ପରିଲକ୍ଷିତ ହୋଇଥାଏ ଆମ ଦେଶରେ । ତାର୍କିକ ଉପସ୍ଥାପନା ଏବଂ ସତ୍ୟ ଉପରେ ଆଧାରିତ ପ୍ରମାଣ ମଧ୍ୟରେ ପାର୍ଥକ୍ୟ ଏବଂ ଦୂରତା କେତେ ବିଚାର କରିବା……. ମିଥ୍ୟକୁ ସତ୍ୟରେ ପରିଣତ କରିବା ତର୍କକୁ ତର୍କ ବୋଲି କୁହାଯାଇ ପାରିବ ନାହିଁ । ତାହା ବିତର୍କ ଅଟେ ଯାହା ବ୍ରିଟିଶ ପ୍ରଣୋଦିତ ଆମ ସାମ୍ବିଧାନିକ ନ୍ୟାୟାଳୟକୁ ଶୋଭାମଣ୍ଡିତ କରି ରଖିଅଛି ଅଦ୍ୟାବଧି । ସେହି ବିତର୍କ ମାଧ୍ୟମରେ ବିଦେଶୀ ଆମ ଦେଶ ଲୋକଙ୍କୁ ପ୍ରତାରିତ କରିବା ଲକ୍ଷ ରଖିଥିବା ବେଳେ ବର୍ତ୍ତମାନ ଆମ ନିଜ ଲୋକେ ଆମକୁ କ’ଣ କରୁଛନ୍ତି ସେହି ବିତର୍କିତ ଆଇନ ଗୁଡିକ ମାଧ୍ୟମରେ ?! ସେହି ବିତର୍କିତ ଆଇନ ତଥା ମିଥ୍ୟାବାଦୀ ସ୍ୱାର୍ଥନ୍ୱେଷୀ ବିଚାରଧାରା କାହାକୁ ଛାଡ଼ିନାହିଁ ଏପର୍ଯ୍ୟନ୍ତ ! ସତ୍ୟକୁ ଗ୍ରହଣ କରିବା ଆଜି ସମୟରେ ଏକ ରକମ ଅସମ୍ଭବ, ଅସହ୍ୟ ହୋଇପଡିଛି ସାଧାରଣ ନିର୍ବୋଧ ମଣିଷଙ୍କ ପାଖରେ । ମିଥ୍ୟା ଯୁଗର ପ୍ରହେଳିକା ଏବଂ ଅଜ୍ଞାନ ଚତୁର ଷଡ଼ଯନ୍ତ୍ରୀଙ୍କ ପ୍ରରୋଚନା ସାଧାରଣ ମଣିଷ ମାନସରେ ଏମିତି ସଂଲଗ୍ନ ହୋଇ ରହିଛି, ଯେ ସେଗୁଡିକୁ ବଦଳାଇବା ଅସମ୍ଭବ ହୋଇ ପଡୁଛି ଆଜି ସମୟରେ ! ମିଥ୍ୟାର ପ୍ରଖର ପ୍ରବକ୍ତାଗଣ ସମଗ୍ର ସମାଜକୁ ବ୍ୟାପାର ମୁଖରିତ କରି ନିଜସ୍ୱ ସ୍ୱାର୍ଥ ଦିଗରେ ବ୍ରତୀ ହେଉଥିବା ବେଳେ ସାଧାରଣ ନିର୍ବୋଧ ସେଗୁଡିକୁ ବୁଝିନପାରି ସତ୍ୟ ବୋଲି ଗ୍ରହଣ କରି ବାସ୍ତବ ସତ୍ୟକୁ ମିଥ୍ୟା ବୋଲି ବିଚାରୁଛନ୍ତି । ଏହିଭଳି ଏକ ପରିସ୍ଥିତି, ପରିବେଶ ସୃଷ୍ଟି ହୋଇଛି ଆଜି ସମୟରେ ଯେ ସମସ୍ତେ ପ୍ରାୟତଃ ମିଥ୍ୟାବାଦୀ, ମିଥ୍ୟଚାରୀ ଭଳି ଜୀବନ ବିତାଉଛନ୍ତି ଏବଂ ସେଇଥିରୁ ହିଁ ତୃପ୍ତି, ଆନନ୍ଦ ପାଉଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ! ମିଥ୍ୟାକୁ ମାଧ୍ୟମ କରି ରୋଜଗାର କରି ନିଜର ଧନ, ସମ୍ପତ୍ତି ବୃଦ୍ଧି କରିବା ସହିତ ସାମାଜିକ ସମ୍ମାନ ଇତ୍ୟାଦି ମଧ୍ୟ ହାସଲ କରାଯାଇ ପାରୁଥିବା ହେତୁ ମିଥ୍ୟା ଆଜି ସମୟରେ ଏକ ଅମୋଘ ଅସ୍ତ୍ର ପାଲଟିଛି ସମସ୍ତଙ୍କର ! ତେଣୁ ସତ୍ୟ ଆଜି କୋରଡରେ ପଶି ରହିଛି ଆତ୍ମ ଗୋପନ କରି । କଳି ଯୁଗ ପରେ ମିଥ୍ୟା ଯୁଗର ଆବିର୍ଭାବ ହେଲା ପ୍ରଥମେ ମୋଗଲ ଏବଂ ତାପରେ ବ୍ରିଟିଶ ମାନଙ୍କ ଆଗମନ, ଶାସନ ପରେ । ଆମ ଦେଶ ଲୋକେ କି’ନ୍ତୁ ତାହାର ବାସ୍ତବ ଚିତ୍ର ନପାଇ ଅଦ୍ୟାବଧି କଳି ଯୁଗ ଚାଲିଛି ବୋଲି ଭାବୁଛନ୍ତି ଯାହା ଆମର ସମ୍ପୂର୍ଣ୍ଣ ନିର୍ବୋଧତା । ଏହି ପରିପ୍ରେକ୍ଷୀରେ ଭାରତୀୟ ସଂସ୍କାରରେ ଜଡିତ ସତ୍ୟ ଏବଂ ତର୍କ ବିଷୟରେ କୌଣସି ଚେତନା ଜ୍ଞାନ ନାହିଁ କାହାର । ଅତଏବ ଭାରତୀୟ ସତ୍ୟବାଦୀ ବିଚାରଧାରା ଏବଂ ତାର୍କିକ ବିଚାର କ’ଣ ଥିଲା ଏବଂ ସେଗୁଡିକୁ କିପରି ପରିବର୍ତ୍ତନ କରି ବ୍ରିଟିଶ ବିଚାରଧାରାରେ ପରିବର୍ତ୍ତିତ କରାଗଲା ଯାହା ଆମକୁ ଏପର୍ଯ୍ୟନ୍ତ ଛାଡୁନାହିଁ ବିଚାର କରି ଦେଖିବା… ସତ୍ୟ ସବୁବେଳେ ଶାଶ୍ୱତ, ଚିରନ୍ତନ । ସତ୍ୟର ପଥ ନିର୍ମଳ, ଅପରିବର୍ତ୍ତିତ । ଭାରତୀୟ ସଂସ୍କାର ସବୁବେଳେ ଲୋକଙ୍କୁ ସତ୍ୟ ପଥରେ ପରିଚାଳିତ କରାଇ ସମାଜରେ ବାସ୍ତବ ସତ୍ୟ ପ୍ରତିଷ୍ଠା କରିବା ଲକ୍ଷ ରଖିଥିଲା । ଅନୁରୂପ ତର୍କ ମାଧ୍ୟମରେ କେତେକ ଅଜଣା ବିଷୟକୁ ଅନୁସନ୍ଧାନ, ବ୍ୟବଛେଦ କରି ପ୍ରକୃତ ସତ୍ୟର ଉନ୍ମୋଚନ କରିବା ଲକ୍ଷ ରହିଥିଲା । ସେହି ଦୁଇଟି ବିଷୟକୁ ବ୍ରିଟିଶ ସମ୍ବଳିତ ବ୍ୟବସ୍ଥା ଏମିତି ଏକ ବିକୃତ ପଥରେ ପରିଚାଳିତ କରି ବିପରୀତମୁଖୀ ବ୍ୟବସ୍ଥା କଲେ ଯେ ତାହା ଏପର୍ଯ୍ୟନ୍ତ ଆମକୁ ନଛାଡି କେବଳ ନିମ୍ନଗାମୀ କରିବାରେ ଯଥେଷ୍ଟ ସହାୟକ ହୋଇଚାଲିଛି ଯାହା ଆମ ଦେଶ ସାଧାରଣ ଲୋକେ ଏପର୍ଯ୍ୟନ୍ତ ବୁଝି ପାରୁନାହାନ୍ତି । ବ୍ରିଟିଶ ବ୍ୟବସ୍ଥା କେବଳ ମିଥ୍ୟକୁ ସତ୍ୟରେ ପରିଣତ କରି ସାଧାରଣ ଲୋକଙ୍କୁ ପ୍ରତାରିତ କରି ରଖିବା ଏବଂ ସେମାନଙ୍କୁ ଶୋଷଣର ଶିକାର କରି ସ୍ୱାର୍ଥ ହାସଲ କରିବା ଲକ୍ଷ ରଖି ସମାଜରେ ବିତରିତ ତତ୍ୱ, ତଥ୍ୟ ଗୁଡିକ ଏପର୍ଯ୍ୟନ୍ତ ପ୍ରଚଳିତ ରହିଛି ଆମ ଦେଶରେ । ସ୍ମରଣିକା ନଷ୍ଟ ହେବା ଦ୍ୱାରା ମଣିଷ ଅତ୍ୟଧିକ ମିଥ୍ୟାବାଦୀ ହୋଇଥାନ୍ତି ଯାହା ସାଧାରଣ ମଣିଷଙ୍କ କ୍ଷେତ୍ରରେ ପ୍ରାୟୋଜିତ ଭାବେ ପ୍ରସାର କରାଯାଉଥିବା ଦୁଖଦଃ ବିଷୟର କୌଣସି ସମୀକ୍ଷା, ତର୍ଜମା ନାହିଁ କାହା ପାଖରେ । ପୁଣି ବିତର୍କ ଦ୍ୱାରା ମିଥ୍ୟକୁ ସତ୍ୟ ସାବ୍ୟସ୍ତ କରି ବ୍ୟବସାୟ ମାଧ୍ୟମରେ ନିଜସ ସ୍ୱାର୍ଥ ହାସଲ କରିବା ଏବଂ ସାଧାରଣ ଲୋକଙ୍କୁ ପ୍ରତାରିତ କରି ଶୋଷଣର ଶିକାର କରିବା ଉଦ୍ଦେଶ୍ୟ ଜଡିତ ଥିଲେ ଯାହା ଆଜି ସମୟରେ ତୀବ୍ରତର ରୂପ ଧାରଣ କରି ସ୍ୱଦେଶୀ କୁଚକ୍ରାନ୍ତ କାରୀଙ୍କ ମାଧ୍ୟମରେ ସମାଜରେ ପ୍ରଚାର ପ୍ରସାର କରାଯାଉଅଛି । ସାଧାରଣ ନିର୍ବୋଧ ପୂର୍ବ ସ୍ମୃତି ଗୁଡିକୁ ପାସୋରି ଦେଇ ସେମାନଙ୍କ ସମୟ ସାପେକ୍ଷ ମଧୁର ବଚନରେ ବିମୁଗ୍ଧ ନିଜର ସ୍ଥିତି ବୁଝିନପାରି ପ୍ରତାରିତ ହୋଇ ଚାଲିଥିବା ଦୁଖଦଃ ପରିସ୍ଥିତି ହୁଏତ ଆଉ କେଉଁଠି ଥିବ କି ନାହିଁ ସନ୍ଦେହ । ଅର୍ଥାତ ଏମାନଙ୍କ ପ୍ରତାରଣାପୂର୍ଣ୍ଣ ମିଥ୍ୟା ଏବଂ ତାର୍କିକ ଆଲୋଚନା ଗୁଡିକୁ ନିଜସ୍ୱ ଚେତନା ଜ୍ଞାନରେ ତର୍ଜମା ନକରି କେବଳ ଗଣମାଧ୍ୟମରେ ପ୍ରଚାରିତ, ମିଥ୍ୟା ଜଡିତ ତାର୍କିକ ବିଷୟ ଗୁଡିକୁ ଅନ୍ତରଣୀୟ କରି ଜୀବନ କ୍ଷୀଣ କରି ଚାଲିଥିବା ଭାରତୀୟଙ୍କ ସ୍ଥିତି କ’ଣ ଦେଖିବା…..(କ୍ରମଶଃ)

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ-୭୬୧୦୨୦
ଦୂରଭାଷ.: ୯୪୩୭୩୨୪୯୧୭.