ଢେଙ୍କାନାଳର ବିବି ହାଇସ୍କୁଲରେ ଛାତ୍ର ମାତୃପ୍ରସାଦ ଓ ମାର୍ଗ ଦର୍ଶକ ଶିକ୍ଷକ ଡା.ଦେବୀ ପ୍ରସାଦ ରାଜ୍ୟ ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଉଚ୍ଚ ପ୍ରଶଂସିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସ୍ଥାନୀୟ ଶତାୟୁ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ମାତୃ ପ୍ରସାଦ ପଣ୍ଡା ଓ ମାର୍ଗ ଦର୍ଶକ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ରାଜ୍ୟ ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା-୨୦୧୯ରେ ଯୋଗଦାନ କରି ମୁଖ୍ୟ ଅତିଥି ଓଡିଶା ସରକାରଙ୍କର ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ସମ୍ମାନୀୟ ଅତିଥି ବିଦ୍ୟାଳୟ ଗଣଶିକ୍ଷା ବିଭାଗର ପ୍ରାକ୍ତନ ଅତିରିକ୍ତ ସଚିବ ପ୍ରଦୀପ କୁମାର ମହାପାତ୍ର, ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ଗଙ୍ଗାଧର ସାହୁ, ମୁଖ୍ୟ ବିଚାରକ ପ୍ରାଧ୍ୟାପକ ବିଶ୍ୱରଞ୍ଜନଙ୍କ ଦ୍ୱାରା ପ୍ରଶଂସାପତ୍ର ଓ ମେମେଂଟୋ ହାସଲ କରି ସମ୍ବର୍ଦ୍ଧିତ ହୋଇଛନ୍ତି । ଭାରତ ଗଣତନ୍ତ୍ରର ପ୍ରକୃଷ୍ଠ ଆଲୋଚନା ସ୍ଥଳ ଭାବେ ପରିଚିତ ସଂସଦର କାର୍ଯ୍ୟକଳାପ ସମୂହକୁ ଭବିଷ୍ୟତ ନାଗରିକମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସ୍ତରୀୟ ସଂସଦର ପ୍ରତିଯୋଗିତା ୨୦୧୯, ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ଅନୁକୁଲ୍ୟରେ ଚଳିତ ମାସ ୨୮ ତାରିଖ ଦିନ ଇନିଷ୍ଟିଚ୍ୟୁଟ ଅଫ ଇଂଜିନିୟର୍ସ ପ୍ରେକ୍ଷାଳୟ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଦ୍ୱାରା ପ୍ରାୟୋଜିତ ଏବଂ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ଏହି ପ୍ରତିଯୋଗିତାରେ ଓଡିଶା ରାଜ୍ୟର ପ୍ରାୟ ୩୦ଟି ଜିଲ୍ଲାର ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ପ୍ରତ୍ୟେକ ବିଭାଗରୁ ଜଣେ ଓ ପ୍ରତ୍ୟେକ ଜିଲ୍ଲାରୁ ଦୁଇ ଜଣ କୃତୀ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ଶାସକ ଦଳ ଏବଂ ବିରୋଧୀ ଦଳର ନେତାମାନଙ୍କର ଭୂମିକା ଅତ୍ୟନ୍ତ ନିଖୁଣ ଭାବରେ ତୁଲାଇଥିଲେ । ଭାରତର ସାମ୍ପ୍ରତିକ ରାଜନୈତିକ ପଦକ୍ଷେପ ଭାବରେ କାଶ୍ମିରରୁ ଧାରା ୩୭୦ ଓ ୩୫(କ)ର ଉଚ୍ଛେଦ, ତିନ ତଲାଖ ଉଚ୍ଛେଦ, ଘରୋଇ ଶିକ୍ଷାନୁଷ୍ଠାନଙ୍କ ଟିଉସନ ଫିର ବୃଦ୍ଧି ଇତ୍ୟାଦି ପ୍ରସଙ୍ଗକୁ ପ୍ରତିଯୋଗୀମାନେ ଅତ୍ୟନ୍ତ ଜୀବନ୍ତ ଭାବରେ ଉପସ୍ଥାପନା କରିଥିଲେ । ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ପ୍ରେକ୍ଷାଳୟ ଗୃହଟି ଏକ ଜୀବନ୍ତ ସଂସଦ ଅନୁଭୂତି ପ୍ରଦାନ କରିପାରିଥିଲା । ବିବି ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ମାତୃ ପ୍ରସାଦ ପଣ୍ଡା, ମାର୍ଗ ଦର୍ଶକ ଶିକ୍ଷକ ଡା. ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭୂମିକାରେ ନିଖୁଣ ଅଭିନୟ କରି ରାଜ୍ୟ ସ୍ତରୀୟ ପ୍ରଶଂସା ପତ୍ର ଓ ମେମେଂଟୋ ହାସଲ କରି ଆମ ଜିଲ୍ଲାର ଗୌରବ ବୃଦ୍ଧି କରିଥିବାରୁ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡା, ବିଜ୍ଞାନ ପର୍ଯ୍ୟବେକ୍ଷଣ ସୁକାନ୍ତ ଚରଣ ସାହୁ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ମୌସୁମୀ ସାହୁ, ଜିଲ୍ଲା ସ୍ତରୀୟ ବିଚାରକ ଶିକ୍ଷାବତ କ୍ଷେତ୍ରବାସୀ ସାହୁ, ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ, ପ୍ରଖ୍ୟାତ ସଂଯୋଜକ ସୁସାହିତ୍ୟିକ ଅବନୀ ମିଶ୍ର, ବିଦ୍ୟାଳୟ ଆଲୁମୁନି ଆସୋସିଏସନର ସଭାପତି ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର, ସଂଯୋଜକ ଡା. ଦେବୀ ପ୍ରସାଦ ମିଶ୍ର, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ, ଛାତ୍ର ଛାତ୍ରୀବୃନ୍ଦ, ଅଭିଭାବକ, ଅଭିଵାବିକା ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ଉପସଭାପତି ଓ ସମସ୍ତ ସଭ୍ୟ ସଭ୍ୟାବୃନ୍ଦ ଉଭୟଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ବୋଲି ସଂଯୋଜକ ଡା. ଦେବୀ ପ୍ରସାଦ ମିଶ୍ର ଜଣାଇଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି