ଠାବ ହେଲା ନିଷିଦ୍ଧ ପ୍ଲାଷ୍ଟିକ୍ ଗୋଦାମ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନିୟମିତ ଢଙ୍ଗରେ ବି.ଏମ୍‌.ସି.ର ଉତ୍ତର ମଣ୍ଡଳ ପ୍ରଦକ୍ଷଣ କରି ପ୍ଲାଷ୍ଟିକ୍ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଆଜି ଆଉ ଏକ ସଫଳତା ହାତେଇଛନ୍ତି । ସ୍ଥାନୀୟ ଡ଼ମଣା ଛକ ସ୍ଥିତ ଦୈନିକ ହାଟର ପଛପଟେ ଠାବ ହୋଇଛି ଏହି ଲୁଚାଛପା ବେପାର । ଉକ୍ତ ଅଂଚଳକୁ ପ୍ଲାଷ୍ଟିକ୍ ଏନ୍‌ଫୋର୍ସମେଂଟ ସ୍କ୍ୱାର୍ଡର ଗସ୍ତ ସମୟରେ କିଛି ଲୋକଙ୍କର ସନ୍ଦେହଜନକ ଆଚରଣକୁ ଆଧାର କରି ଉକ୍ତ ଟିମ୍ କୌଣସି କ୍ରମେ ନିଷିଦ୍ଧ ପ୍ଲାଷ୍ଟିକ୍ ଓ ପଲିଥିନ୍ ଦ୍ରବ୍ୟ ରଖାଯାଇଥିବା ଗୋଦାମ ପାଖରେ ପହଂଚିଯାଇଥିଲେ । ଏହି ଗୋଦାମରେ ରହିଥିବା ଜିନିଷ ଗୁଡ଼ିକର ମାଲିକ ଟୁକୁନା ସାହୁ ବୋଲି ଜଣାପଡ଼ିଥିଲା ।ଏହାପରେ ଜୋନାଲ୍ ଡ଼େପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟିଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ସ୍କ୍ୱାର୍ଡ଼ର ରଣନୀତି ସ୍ଥିର କରାଯାଇ ସନ୍ଦେହ କରାଯାଉଥିବା ଘର ଗୁଡ଼ିକୁ କରାୟତ କରାଯାଇଥିଲା । କ୍ରମେ ସ୍କ୍ୱାର୍ଡ଼ ସଦସ୍ୟମାନେ ଘର ଭିତରକୁ ପଶିଲା ପରେ ସେଠାରେ ଟ୍ରକ୍ ଟ୍ରକ୍ ପରିମାଣର ନିଷିଦ୍ଧ ପ୍ଲାଷ୍ଟିକ୍ ଦ୍ରବ୍ୟ ମହଜୁଦ ହୋଇ ରହିଥିବାର ଦେଖିପାରିଥିଲେ । ଗୋଟି ଗୋଟି କରି କାର୍ଟୁନ୍ ଓ ବ୍ୟାଗ୍‌କୁ ଦେଖିବା ପରେ ଅଧିକାଂଶ ଠୁଳ ହୋଇଥିବା ଦ୍ରବ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍ ବୋଲି ଜାଣିପାରିଥିଲେ ସମ୍ପୃକ୍ତ ସ୍କ୍ୱାର୍ଡ ସଦସ୍ୟ । ଏହାପରେ ଡ଼େପୁଟି କମିଶନର ସାନିଟେସନ୍ ଶୁଭେନ୍ଦୁ ସାହୁଙ୍କ ପରାମର୍ଶ କ୍ରମେ ବି.ଏମ୍‌.ସି ଏସ୍ ବି ଏ ସେଲ୍‌ର ପରିବେଶ ଯନ୍ତ୍ରୀ କୀର୍ତିମାନ୍ ଷଡ଼ଙ୍ଗୀ ଏବଂ ସୁନିଲ୍ କୁମାର ସାମଲ ସମ୍ପୃକ୍ତ ସ୍ଥାନକୁ ଯାଇ ପ୍ୟାକ୍ ହୋଇ ରହିଥିବା ଦ୍ରବ୍ୟ ଗୁଡ଼ିକୁ ଦେଖି ଏଗୁଡ଼ିକ ନିଷିଦ୍ଧ ପ୍ଲାଷ୍ଟିକ୍ ଦ୍ରବ୍ୟ ବୋଲି ସାବ୍ୟସ୍ତ କରିଥିଲେ । ଗୋଦାମ ଭଳି ଠୁଳ କରି ରଖାଯାଇଥିବା ଉକ୍ତ ପ୍ଲାଷ୍ଟିକ୍ ଦ୍ରବ୍ୟ ମଧ୍ୟରେ ଥର୍ମୋକୁଲ୍ କପ୍‌, ଥର୍ମୋକୁଲ୍ ଓ ପ୍ଲାଷ୍ଟିକ୍ ଗ୍ଲାସ୍‌, ପଲିଥିନ୍‌, କ୍ୟାରିବ୍ୟାଗ୍ ଇତ୍ୟାଦି ରହିଥିବାର ଜଣାପଡ଼ିଥିଲା । ପୁନଶ୍ଚ ଜବତ ହୋଇଥିବା ଏହି ସମସ୍ତ ସାମଗ୍ରୀ ନିଷିଦ୍ଧ ପ୍ଲାଷ୍ଟିକ୍ ମଧ୍ୟରେ ପ୍ରାୟ ୨.୫ ଟନ୍‌ର ନିଷିଦ୍ଧ ପଲିଥିନ୍ କ୍ୟାରିବ୍ୟାଗ୍ ଥିବାର ଜଣାପଡ଼ିଥିଲା । ଡ଼ମଣା ହାଟରେ ତେଜରାତି ଦୋକାନ ଦେଇଥିବା ଟୁକୁନା ସାହୁ ଏହି ଗୋଦାମକୁ ଭଡ଼ା ନେଇ ଏଠାରେ ଟ୍ରକ୍ ଟ୍ରକ୍ ପଲିଥିନ୍ ବେପାର ଚଳାଇଛନ୍ତି । ତେବେ ଜବତ ହୋଇଥିବା ପ୍ରାୟ ୫ ଟ୍ରକ୍ ନିଷିଦ୍ଧ ପ୍ଲାଷ୍ଟିକ୍ ଦ୍ରବ୍ୟକୁ ବି ଏମ୍ ସି ଯାତ୍ରୀ ନିବାସକୁ ଅଣାଯାଇଛି ସଂପୃକ୍ତ ବ୍ୟବସାୟୀଙ୍କୁ ଟ.୫୦,୦୦୦/- ଆର୍ଥିକ ଜୋରିମାନା କରାଯାଇଛି ।

ରିପୋର୍ଟ : ଆକାଶ ମିଶ୍ର