ଟ୍ୟାଙ୍କର ଧକ୍କାରେ ଯୁବତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା : ରାସ୍ତାରୋକ କଲେ ସ୍ଥାନୀୟ ଲୋକେ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲାର ବିଷମକଟକ ଥାନା ଅନ୍ତର୍ଗତ ଝିମିରିଗୁଡ଼ା ନିକଟରେ ଟ୍ୟାଙ୍କର ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଘଟଣା ସ୍ଥଳରେ ଚାପ ଉତ୍ତେଜନା ଦେଖାଦେଇଥିଲା । ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାୟଗଡ଼ା-ବିଷମକଟକ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଘଟଣା ଅନୁଯାୟୀ, ବିଷମକଟକ ଥାନା ଝିମିରିଗୁଡ଼ାରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଗ୍ରାମର ବାମି କୃଷିକା (୩୦) ଅଟୋରୁ ଓହ୍ଲାଇ ଘରକୁ ଯାଉଥିବା ବେଳେ ରାୟଗଡ଼ାରୁ ମୁନିଗୁଡା ଅଭିମୁଖେ ଯାଉଥିବା ଟ୍ୟାଙ୍କର ଟି ଧକ୍କା ଦେଇଥିଲା । ମହିଳାଙ୍କୁ ବଞ୍ଚାଇବା ପାଇଁ ଟ୍ୟାଙ୍କର ଡ୍ରାଇଭର ଚେଷ୍ଟା କରିଥିବା ବେଳେ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡିଥିଲା । ଗୁରୁତର ଅବସ୍ଥାରେ ବାମିଙ୍କୁ ଚିକିତ୍ସା ପାଇଁ ବିଷମକଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଥିପାଇଁ କ୍ଷତିପୂରଣ ଦାବିରେ ଆଜି ସକାଳେ ଗ୍ରାମବାସୀଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ଥାନାକୁ ଆଲୋଚନା ପାଇଁ ଡାକିବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ୟାଙ୍କର ଡ୍ରାଇଭର ଫେରାର୍ ହୋଇ ଯାଇଥିବା ବେଳେ ପୋଲିସ ମାମଲା ରୁଜୁ କରି ଘଟଣାର ଛାନବିନ ଆରମ୍ଭ କରିଛି ।