ଟ୍ରେଡ଼ ୟୁନିଅନ ଡ଼ାକରାରେ ଆସନ୍ତାକାଲି ଭାରତ ବନ୍ଦ : ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ…

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା) ବିଜେପି ତଥା ଏନ୍‌ଡିଏ ସରକାରଙ୍କ ‘ଦମନକାରୀ ନୀତି’ପ୍ରତିବାଦରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନ ସମର୍ଥନ କରିବା ସହ କଂଗ୍ରେସ ନୈତିକତା ଦୃଷ୍ଟିରୁ ସମର୍ଥନ ଦେବ ବୋଲି ଘୋଷଣା କରିଛି। ତେବେ ଭାରତ ବନ୍ଦ ଯୋଗୁଁ ସାରା ଦେଶରେ ରେଳ ଚଳାଚଳ ଓ ବ୍ୟାଙ୍କି କାରବାର ସହ ବିଭିନ୍ନ ସେବା ପ୍ରଭାବିତ ହେବ ବୋଲି ଜଣାପଡିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି । ଭାରତ ବନ୍ଦ ଯୋଗୁଁ ଆସନ୍ତାକାଲି ବନ୍ଦ ରହିବ ସବୁ ଶିକ୍ଷାନୁଷ୍ଠାନ ବୋଲି ସୂଚନା ଦେଇଛନ୍ତି ଶିକ୍ଷା ବିଭାଗର ଅତିରିକ୍ତ ସଚିବ ।ଶ୍ରମିକ ସଂଗଠନ ସିଟୁର ସାଧାରଣ ସଂପାଦକ ତପନ ସେନ ସୂଚନା ଦେଇଛନ୍ତି ଯେ ଅସଂଗଠିତ, ବ୍ୟାଙ୍କିଙ୍ଗ୍ ଏବଂ ବୀମା କ୍ଷେତ୍ର କର୍ମଚାରୀ , ବନ୍ଦର ଶ୍ରମିକ ଦେଶବ୍ୟାପୀ ଏହି ଧର୍ମଘଟରେ ସାମିଲ ହେବ। ଦେଶର ଆର୍ଥିକ ସଙ୍କଟ, ଦରଦାମ ବୃଦ୍ଧି ଏବଂ ବେରୋଜଗାର ପ୍ରସଙ୍ଗରେ ଏହି ବନ୍ଦ ପାଳନ କରାଯାଉଛି ବୋଲି କହିଛନ୍ତି । ସେହିଭଳି ଓଡିଶା ରାଜ୍ୟରେ ମଧ୍ୟ ଆସନ୍ତାକାଲି ଭାରତ ବନ୍ଦକୁ ସଫଳ କରିବା ପାଇଁ ,୧୨ ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡରେସନର ମିଳିତ ମଞ୍ଚ । ବେକାରୀ, ବେରୋଜଗର, ଶ୍ରମ ଆଇନ କୋ ଅଡିଫିକେସନ, ଦରଦାମ ବୃଦ୍ଧି, ସର୍ବନିମ୍ନ ବେତନ ବୃଦ୍ଧି ,ସାମାଜିକ ସୁରକ୍ଷା ଭଳି ୧୨ ଦଫା ଦାବିରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମିଳିତ ମଞ୍ଚ । ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ରେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛି ଏହି ମଞ୍ଚ ।ଏନ ଆର ସି ଓ ସିଏଏ ବିରୁଦ୍ଧରେ ମଧ୍ୟ ଏହି ସଂଗଠନ ଡାକରା ଦେଉଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା