ଟାଟା-ବିଏସଏଲ ଇଣ୍ଡଷ୍ଟ୍ରିଜ ଶ୍ରମିକ ୟୁନିଅନର ଶ୍ରମିକମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଦାବିପୂରଣ ଯାଏଁ ଦେଲେ ଧାରଣା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଟାଟା ଷ୍ଟିଲ ବିଏସଏଲ ଏବଂ ଏହାର ଲେବର କଣ୍ଟ୍ରାକ୍ଟର ବର୍ଷା ଓ ଟିଏସପିଏଲର ଠକାମୀ ବିରୋଧରେ ଆଜି ସକାଳ ୧୦ଟା ସମୟ ବେଳେ ଟାଟା ବିଏସଏଲ ଇଣ୍ଡଷ୍ଟ୍ରିଜ ଶ୍ରମିକ ୟୁନିଅନର ଶତାଧିକ ଶ୍ରମିକ ଓ ସେମାନଙ୍କ ପରିବାର ଇଂଜିନିୟର ଦେବାଶିଷ ହୋତାଙ୍କ ନେତୃତ୍ୱରେ ଦକ୍ଷିଣକାଳୀସ୍ଥ କାର୍ଯ୍ୟାଳୟରୁ ଏକ ବିରାଟ ପଟୁଆରରେ ବାହାରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଦାବି ପୂରଣ ହେବା ଯାଏ ଧାରଣାରେ ବସି ରହିଛନ୍ତି । ସେମାନେ ପ୍ରଚଣ୍ଡ ଥଣ୍ଡାରେ ମରିବେ ପଛେ କିନ୍ତୁ ଦାବି ପୂରଣ ନ ହେଲେ ଏଠାରୁ ଯିବେ ନାହିଁ ବୋଲି ରୋକ ଠୋକ ଭାବେ ପ୍ରକାଶ କରିଛନ୍ତି । କମ୍ପାନୀ ଓ ସେମାନଙ୍କର କଣ୍ଟ୍ରାକ୍ଟର ମାନେ ଡିଏଲଓ ମାନଭଂଜନ ପ୍ରଧାନଙ୍କର ନୋଟିସ ପାଇ ମଧ୍ୟ ମାସ ମାସ ଧରି ବିଭିନ୍ନ ବାହାନା ଦେଖାଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ହାଜିର ହେଉନାହାନ୍ତି । ଡିଏଲଓ ଶ୍ରୀ ପ୍ରଧାନ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ କେଶ ଟିକୁ କ୍ଲୋଜ କରି ଦେଉଛନ୍ତି । ଗରିବ ଶ୍ରମିକ ଟଙ୍କା ଅଭାବରୁ ଶହେ କିଲୋମିଟର ଦୂରରେ ଥିବା ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲରେ କେଶ ଲଢ଼ି ପାରୁନାହିଁ । ଏହାର ଫାଇଦା କମ୍ପାନୀ ଓ ସେମାନଙ୍କର କଣ୍ଟ୍ରାକ୍ଟର ମାନେ ନେଉଛନ୍ତି । ଟାଟା ଷ୍ଟିଲ ବିଏସଏଲର ଲେବର କଣ୍ଟ୍ରାକ୍ଟର ବର୍ଷା ଏଣ୍ଟରପ୍ରାଇଜର୍ସ ଏହାର ୩ ଶହ ପାଖାପାଖି ଗରିବ ଶ୍ରମିକଙ୍କୁ ଗତ ୩୧ ଜୁଲାଇ ୨୦୧୯ରେ ବିନା ନୋଟିସରେ ଛଟେଇ କରିଦେଇଥିଲା । ଆଇନ ଅନୁଯାୟୀ ରିଟ୍ରେଂଚମେଣ୍ଟ କମ୍ପେନସେସନ ଦେବା ନିମନ୍ତେ ସେମାନେ ଟାଟା ଷ୍ଟିଲ ବିଏସଏଲ କମ୍ପାନୀର ଅଧିକାରୀମାନଙ୍କୁ ବାରମ୍ବାର ନିବେଦନ କରିବା ସତ୍ତ୍ୱେ କିଛି ଲାଭ ନ ପାଇବାରୁ ବାଧ୍ୟ ହୋଇ ଇଂ ହୋତାଙ୍କୁ ୪ ଅକ୍ଟୋବରରେ ଏ ବିଷୟରେ ଜଣାଇଥିଲେ । ଇଂ ହୋତା ୯ ଅକ୍ଟୋବର ଦିନ ସମସ୍ତ ରେକର୍ଡ ସହିତ ଡିଏଲଓ ଶ୍ରୀ ପ୍ରଧାନଙ୍କୁ ଭେଟି ୬୩ ଲକ୍ଷ ୨୨ ହଜାର ୭୫୦ ଟଙ୍କାର ରିଟ୍ରେଂଚମେଣ୍ଟ କମ୍ପେନସେସନ ଦେବା ନିମନ୍ତେ କେଶ ଦାୟାର କରିଥିଲେ । ନୋଟିସ ପାଇ ଟାଟା ଷ୍ଟିଲ ବିଏସଏଲ କମ୍ପାନୀର ଅଧିକାରୀ ଦିପାଞ୍ଜାନ ଦେ ଏବଂ ଏମପି ସିଂ ୧୫ ନଭେମ୍ବର ଦିନ ଡିଏଲଓ ଶ୍ରୀ ପ୍ରଧାନଙ୍କ ପାଖକୁ ଆସି ଏକ ମାସ ମଧ୍ୟରେ ସମସ୍ତଙ୍କୁ ରିଟ୍ରେଂଚମେଣ୍ଟ କମ୍ପେନସେସନ ଦେଇ ଦେବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ । ଅଥଚ ଏହି ପ୍ରତିଶ୍ରୁତି ପୂରଣ କରି ନ ଥିଲେ ଏବଂ ତା ପର ତାରିଖ ୨୦ ଡିସେମ୍ବର ଦିନ ଶ୍ରମ କାର୍ଯ୍ୟାଳୟକୁ ଆସି ନଥିଲେ । ଡିଏଲଓ ଶ୍ରୀ ପ୍ରଧାନ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ତତକ୍ଷଣାତ କେଶ ଟିକୁ କ୍ଲୋଜ କରି ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲକୁ ପଠାଇ ଦେବା ପାଇଁ କହିବାରୁ ଇଂ ହୋତା ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ବେହେରା ଡିଏଲଓ ଶ୍ରୀ ପ୍ରଧାନଙ୍କ କଥାକୁ ସମର୍ଥନ କରିବାରୁ ଗରିବ ଶ୍ରମିକମାନେ ଅନ୍ୟ ଉପାୟ ନ ପାଇ ଆନ୍ଦୋଳନ ମାର୍ଗକୁ ବାଛି ନେଇଛନ୍ତି । ଗତ ୩ବର୍ଷ ପୂର୍ବରୁ ୬ମଇ ୨୦୧୬ ଦିନ ବିନା ନୋଟିସରେ ଛଟେଇ ହୋଇ ଆଜି ଯାଏ ରିଟ୍ରେଂଚମେଣ୍ଟ କମ୍ପେନସେସନ ପାଇ ନଥିବା ଟାଟା ଷ୍ଟିଲ ବିଏସଏଲର ଲେବର କଣ୍ଟ୍ରାକ୍ଟର ଟିଏସପିଏଲର ୭ ଶହ ଗରିବ ଶ୍ରମିକ ବର୍ଷା ଏଣ୍ଟରପ୍ରାଇଜର୍ସର ଏହି ଶ୍ରମିକମାନଙ୍କୁ ସମର୍ଥନ ଜଣାଇ ଆଜିର ଆନ୍ଦୋଳନରେ ସାମିଲ ହେବା ସରକାର ଓ ପ୍ରଶାସନକୁ ହରଡ଼ଘଣାରେ ପକାଇଛନ୍ତି । କାରଣ ୧୨ ଜୁଲାଇ ୨୦୧୬ ଦିନ ତତକାଳୀନ ଡିଏଲଓ ଶ୍ରୀ ପ୍ରଦୀପ ମହାନ୍ତି କେଶ ଟିକୁ କ୍ଲୋଜ କରି ଭୁବନେଶ୍ୱର ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲକୁ ପଠାଇ ଦେଇଥିଲେ । ୨ ବର୍ଷ ଯାଏ ଭୁବନେଶ୍ୱର ଦୌଡ଼ି ଦୌଡ଼ି କୌଣସି ସଫଳତା ନ ପାଇବାରୁ ବାଧ୍ୟ ହୋଇ ସେମାନେ ଇଂ ହୋତାଙ୍କୁ ଜାନୁୟାରୀ ୨୦୧୯ରେ ଏ ବିଷୟରେ ଜଣାଇଥିଲେ । ଇଂ ହୋତା ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲକୁ ଯାଇ ଦେଖିଲେ ସରକାରଙ୍କ ପାଖରୁ କୌଣସି ରେକର୍ଡ ସେଠାରେ ପହଞ୍ଚିନାହିଁ । ସେକ୍ରେଟାରିଏଟରୁ ସବୁ ରେକର୍ଡ ପଠାଇଲା ପରେ ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲ ଟାଟାଷ୍ଟିଲ ବିଏସଏଲ କମ୍ପାନୀର ଅଧିକାରୀ ମାନେ ଆଜି ଯାଏ ହାଜିର ହେଉନାହାନ୍ତି । ସବୁଠୁ ଆଚାର୍ଯ୍ୟର କଥା, ଟିଏସପିଏଲକୁ ଯାଉଥିବା ନୋଟିସ ଭୁଲ ଠିକଣା ପାଇଁ ଫେରି ଆସିଛି । ଏଠାରେ ପ୍ରଶ୍ନ ଉଡ଼ୁଛି ଏକ ଏତେ ବଡ ଲେବର କଣ୍ଟ୍ରାକ୍ଟରର ଠିକଣା ଭୁଲ ହେଲା କିପରି ? ତେଣୁ ବର୍ଷା ଏଣ୍ଟରପ୍ରାଇଜର୍ସ ଏବଂ ଟିଏସପିଏଲର ମାଲିକ ଦ୍ୱୟ ତଥା ଏଥିପାଇଁ ଦାୟୀ ସରକାରୀ ଅଧିକାରୀମାନଙ୍କୁ ଗିରଫ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ବେହେରା ତୁରତ୍ନ ଆଦେଶ ଦିଅନ୍ତୁ ତଥା ସମସ୍ତ ଗରିବ ଶ୍ରମିକମାନଙ୍କୁ ଅତିଶ୍ରୀଘ୍ର ରିଟ୍ରେଂଚମେଣ୍ଟ କମ୍ପେନସେସନ ପାଇବାରେ ସହଯୋଗ କରନ୍ତୁ । ନଚେତ ଆଗାମୀ ଦିନରେ ଢେଙ୍କାନାଳରେ ଭୟଙ୍କର ଶ୍ରମିକ ଆନ୍ଦୋଳନ ଗଢି ଉଠିବ ବୋଲି ଇଂ ହୋତା ଇତ୍ୟବସରରେ ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି