ଟ୍ରକ ଧକ୍କାରେ ମହିଳା ମୃତ : କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ଥାନା ଅଧୀନ ବଡ଼ମାଧପୁର ନିକଟ ରଙ୍ଗମାଟିଆ ଛକ ଠାରେ ଏକ ସ୍କୁଟିକୁ ଧକ୍କା ଦେଲା ଏକ ଟ୍ରକ । ଯାହା ଫଳରେ ଶୋଭାମଣି ନାମକ ଏକ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାଇ ହଂସପୁରର ଶିବୁ (୫୭) ତାଙ୍କ ସ୍ତ୍ରୀ ଶୋଭାମଣି ଏକ ସ୍କୁଟି (ସିଜି ୦୪କେକ୍ୱୁ୍ୟ-୪୦୫୩) ଯୋଗେ ପୁରୁଷୋତମପୁର ଯାଉଥିବା ବେଳେ ବଡ଼ମାଧପୁର ରଙ୍ଗମାଟିଆ ଛକ ନିକଟରେ ଏକ ଟ୍ରକ୍ (ଓଆର-୦୭ଜେଡ୍‌-୭୪୬୭)ନମ୍ବର ଏକ ଟ୍ରକ୍ ସ୍କୁଟିକୁ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟିର ପଛରେ ବସିଥିବା ଶୋଭାମଣି ତଳେ ପଡ଼ିଯାଇଥିଲେ । ଟ୍ରକର ଚକା ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ଗ୍ରାମବାସୀ ମାନେ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଂଚି ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେ ମାଧପୁର ଠାରୁ ପୁରୁଷୋତମପୁର ଯାତାୟତ ବନ୍ଦ ରହିଥିଲା । ଏହି ଖବର ପାଇ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟ ରାୟ ଓ ତାଙ୍କ ଟିମ୍ ଲୋକଙ୍କୁ ବୁଝାସୁଝା କରି ଟ୍ରକ୍ ଚାଳକକୁ ଅଟକ ରଖିଥିଲେ । ଗ୍ରାମ ନିକଟରେ ବାଲି ରେମ୍ପ୍ ଥିବାରୁ ସବୁବେଳେ ଏପରି ଦୁର୍ଘଟଣା ଘଟୁଛି ବୋଲି ଗ୍ରାମବାସୀମାନେ ଆନ୍ଦୋଳନ କରି ଅଭିଯୋଗ କରିଥିଲେ । ତୁରନ୍ତ ଏହି ର‌୍ୟାମ୍ପ୍ ବନ୍ଦ କରିବା ସହ ମୃତ ମହିଳାଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ ମଧ୍ୟ ଦାବି କରିଥିଲେ । ଏହାପରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଓ ଅତିରିକ୍ତ ତହସିଲଦାର ଯଶ୍ମିନି ପ୍ରଧାନ, ସ୍ଥାନୀୟ ଆରଆଇ ଲୋକମାନଙ୍କୁ ବୁଝାସୁଝା କରିବା ସହ ରେଡ୍ କ୍ରସ୍ ଫଣ୍ଡରୁ ମୃତ ପରିବାରବର୍ଗଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ । କିଛି ସମୟ ପରେ ରାସ୍ତା ଅବରୋଧ ହଟିବା ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଛତ୍ରପୁର ମେଡ଼ିକାଲକୁ ପଠାଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା