ଟିଟାନିୟମ୍ ସ୍ଲାଗ୍ ପ୍ଲାଣ୍ଟ୍‌କୁ ପୁନଃ କାର୍ଯ୍ୟକ୍ଷମ କରାଇବା ଲାଗି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବହୁ ଶ୍ରମିକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଟିଟାନିୟମ୍ ସ୍ଲାଗ୍ ପ୍ଲାଣ୍ଟ୍‌କୁ ପୁନଃ କାର୍ଯ୍ୟକ୍ଷମ କରାଇବା ଲାଗି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବହୁ ଶ୍ରମିକ । ସୂଚନା ଅନୁଯାୟୀ ଛତ୍ରପୁର ବ୍ଲକ ତିନୋଟି ମୌଜାରେ ୩୫୦ କୋଟି ଟଙ୍କା ବ୍ୟୟରେ ଏହି ଟିଟାନିୟମ୍ ସ୍ଲାଗ୍ ପ୍ଲାଣ୍ଟ ସ୍ଥାପନ ହୋଇଥିବା ବେଳେ ବର୍ତ୍ତମାନ ଏହା ବନ୍ଦ ହେବାକୁ ଯାଉଥିବା ଜଣାପଡିଛି । ଏଥି ପାଇଁ ଲୋକାଲ ନୋଟିସ ଦେବାର କାର୍ଯ୍ୟକ୍ରମ ରହିଛି । ଟିଟାନୀୟମ କମ୍ପାନୀ ପାଇଁ ଜମି ହରାଇଥିବା ତିନୋଟି ମୌଜାର ପ୍ରାୟ ୫ ଖଣ୍ଡ ଗାଁର ପ୍ରାୟ ୪ଶହରୁ ଉର୍ଦ୍ଧ୍ୱ ଶ୍ରମିକଙ୍କ ପରିବାର ଜୀବିକା ହରାଇବାକୁ ବସିଲେଣି । ଗୋଟିଏ ପେଟେ ଜମି ଗଲା ଅନ୍ୟପକ୍ଷରେ କାରାଖାନା ବନ୍ଦ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଟାକରିଆ ବ୍ରହ୍ମପୁର, କଣମଣା, ଚନ୍ଦ୍ରପ୍ରଦା, ମାୟାପାଟଣା, କାଳିଆବାଲି ଗ୍ରାମର ଶହ ଶହ ଶ୍ରମିକ ଜୀବିକା ହରାଇବାକୁ ବସିଲେଣି । କମ୍ପାନି ଆମ୍ଭମାନଙ୍କୁ ଭବିଷ୍ୟତ ସପ୍ନ ଦେଖାଇ ଆମ ଅଞ୍ଚଳରୁ ଲାଭବାନ ହୋଇ ସମସ୍ତ ଅର୍ଥ ହରିଲୁଟ୍ କରିଛି । ଏଠୁ ଲାଭବାନ ହୋଇ ଉକ୍ତ ଟଙ୍କା ଅନ୍ୟ କାର୍ଯ୍ୟରେ ବିନିଯୋଗ କରିଛି । କମ୍ପାନି ମାଲିକ ଏମ୍‌.ସରାଫ୍‌ଙ୍କ ଦେହାନ୍ତ ପରେ ତାଙ୍କରି ପୁତ୍ର କମ୍ପାନିକୁ ଏଠାରେ ବନ୍ଦ କରିବାକୁ ଚାହୁଁଛି । ଯଦ୍ୱାରା ଏଠାକାର ୪ ଶହରୁ ଅଧିକା ଶ୍ରମିକ ସେମାନଙ୍କ ଜୀବିକା ହରାଇବା ସହ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରିବେ । ଟିଟାନିୟମ୍ ପ୍ଲାଣ୍ଟ୍ ଏହି ଅଞ୍ଚଳରେ ତୁରନ୍ତ କାର୍ଯ୍ୟକ୍ଷମ ନହେଲେ ଶ୍ରମିକ ଏବଂ ଶ୍ରମିକମାନଙ୍କ ପରିବାର ଆନ୍ଦୋଳନପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଟିଟାନିୟମ୍ ଭୂ-ବିସ୍ଥାପିତ କଲ୍ୟାଣ ସଂଘର ସଭାପତି ଏସ୍‌.ଚକ୍ରପାଣି ରେଡ୍ଡୀ ଦାବି କରିଛନ୍ତି । ଏନେଇ ଶ୍ରୀ ରେଡ୍ଡୀଙ୍କ ନେତୃତ୍ୱରେ ଶ୍ରମିକମାନେ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶ୍ରମିକମାନଙ୍କ ଗୁହାରୀକୁ ହୃଦୟଙ୍ଗମ କରି ଖୁବ୍ ଶୀଘ୍ର କମ୍ପାନି କର୍ତ୍ତୃପକ୍ଷଙ୍କୁ ଡାକି ଆଲୋଚନା କରିବେ ବୋଲି କହିଛନ୍ତି । କେଉଁ କାରଣରୁ କମ୍ପାନିରେ କାମ ବନ୍ଦ ରହିଛି । ଏହାର ସମାଧାନ ଲାଗି ଆବଶ୍ୟକ ପଡିଲେ ରାଜ୍ୟ ସରକାରଙ୍କ ସାହାର୍ଯ୍ୟ ଲୋଡାଯାଇ ପ୍ଲାଣ୍ଟ୍‌କୁ ପୁନଃ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରମିକମାନଙ୍କୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ବେଳେ ଟିଟାନିୟମ୍ ଭୂ-ବିସ୍ଥାପିତ କଲ୍ୟାଣ ସଂଘର ଉପସଭାପତି ଭି.ଭେଙ୍କଟ ରାବଣା, ସାଧାରଣ ସଂପାଦକ ଲକ୍ଷ୍ମୀନାରାୟଣ ମହାରଣା, ଏସ୍‌.ତ୍ରିନାଥ ରେଡ୍ଡୀ, ଏସ୍‌.କ୍ରିଷ୍ଣା ରେଡ୍ଡୀଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ରହିଥିଲେ ।