ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଟିମ କ୍ଲିନ ସିଟି ସମ୍ବର୍ଦ୍ଧିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡ଼ିଶାର ଅଗ୍ରଣି ସ୍ଵେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟିର ସାମାଜିକ ଦାୟିତ୍ୱବୋଧ ଓ ନିଃସ୍ୱାର୍ଥପର ସେବା ମନୋବୃତ୍ତିକୁ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁୟସୀ ପ୍ରସଂଶା କରାଯାଇଛି । ଛତ୍ରପୁର ଠାରେ ଆୟୋଜିତ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଶାସନ ପକ୍ଷରୁ ପ୍ରସଂଶାପତ୍ର ଓ ସ୍ୱୀକୃତି ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ କୋଭିଡ କଟକଣା ଭିତରେ ଆୟୋଜିତ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିଥିଲେ । ପରେ ଛତ୍ରପୁର ବିଧାୟକ ସୁବାଷ ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସପି ବ୍ରିଜେଶ ରାୟଙ୍କ ଉପସ୍ଥିତିରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଟିମ ସଦସ୍ୟମାନେ ସମ୍ବର୍ଦ୍ଧିତ ହୋଇଥିଲେ । ଦୀର୍ଘ ଦୁଇ ବର୍ଷରୁ ଅଧିକ କାଳ ଧରି ବିଭିନ୍ନ ପ୍ରକାର ସାମାଜିକ ସେବା ଯୋଗାଇ ଆସୁଥିବା ଟିମ ସଦସ୍ୟଙ୍କ ଦ୍ୱାରା ଆଜି ମଧ୍ୟ ରାସ୍ତାକଡରୁ ୨ଜଣ ନିରାଶ୍ରୟଙ୍କୁ ଉଦ୍ଧାର କରିବା ସହ ସେବା ପ୍ରଦାନ କରାଯାଇଥିଲା । ଏଥିସହ ଟିମ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୦୨ଜଣଙ୍କୁ ସେବା ଯୋଗାଇ ଦିଆଯାଇଛି । ଟିମ କ୍ଲିନ ସିଟି ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ, ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ ହୋଇସାରିଛି । ତେବେ ଆଜି ଜିଲ୍ଲାସ୍ତରରେ ପ୍ରଶାସନ ପକ୍ଷରୁ ପ୍ରଦତ୍ତ ସ୍ୱୀକୃତି ଯୋଗୁଁ ଟିମ ସଦସ୍ୟଙ୍କ ମନୋବଳ ବୃଦ୍ଧି ପାଇଛି । ଏଥିପାଇଁ ଟିମ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଜିଲ୍ଳା ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରାଯାଇଛି ବୋଲି ଟିମ କ୍ଲିନ ସିଟି, ବ୍ରହ୍ମପୁର ପକ୍ଷରୁ ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା