ଜିଲ୍ଲାର ସମସ୍ତ ଆଦର୍ଶ ବିଦ୍ୟାଳୟ ଗୁଡିକରେ ସ୍ମାର୍ଟକ୍ଲାସ୍ ଦ୍ୱାରା ଶିକ୍ଷା ପ୍ରଦାନ କରାଯିବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ରହିଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକର ଶିକ୍ଷାର ମାନ ବୃଦ୍ଧି ଏବଂ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ଏବଂ ସ୍ୱଚ୍ଛତା ଦିଗରେ ଅଧିକ ଧ୍ୟାନ ଦିଆଯିବ । ଏଥି ସକାଶେ ଆଜି ଜିଲ୍ଲାପାଳଙ୍କ ସତଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାରେ ରହିଥିବା ସମସ୍ତ ୨୨ ଗୋଟି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ନେଇ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୧୪ଗୋଟି ଅପ୍ ଗ୍ରେଡେସନ୍ ହୋଇଥିବା ବିଦ୍ୟାଳୟର ଏକାଦଶ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ କିଣାଯିବାକୁ ଥିବା ଆସବାବ ପତ୍ର ନେଇ କ୍ରୟ କରିବାକୁଥିବା କମିଟିଦ୍ବାରା ଆଲୋଚନା ହୋଇଥିଲା । ପୋଲସରା ବ୍ଲକର ହାତୀଓଟ ଆଦର୍ଶ ବିଦ୍ୟାଳୟରେ ଦଶମ ଶ୍ରେଣୀର ଫଳାଫଳ ଅତୀ ଉଚ୍ଚକୋଟୀର ହୋଇଥିବା ହେତୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ ଏବଂ ସମସ୍ତ ଆଦର୍ଶ ବିଦ୍ୟାଗୁଡିକରେ ସେହିଭଳି ଫଳାଫଳ ଯେମିତି ହେବ ତାହାକୁ ଦୃଷ୍ଟିରେ ରଖି ଶିକ୍ଷା ପ୍ରଦାନ କରିବାକୁ ଅଧ୍ୟକ୍ଷ ମାନଙ୍କୁ ଜଣାଇଥିଲେ । ଉକ୍ତ ହାତୀଓଟ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଛାତ୍ରାବାସରେ ରହିବା ବ୍ୟବସ୍ଥା କରାଯାଇ ଶତକଡା ୯୦ ପ୍ରତିଶତ କୋଚିଂ ବ୍ୟବସ୍ଥା କରାଯିବ । ସମସ୍ତ ଆଦର୍ଶ ବିଦ୍ୟାଳୟ ଗୁଡିକରେ କମ୍ପ୍ୟୁଟର ପ୍ରୋଜେକ୍ଟର ସ୍ଥାପନ କରି ସ୍ମାର୍ଟ କ୍ଲାସ୍ ପ୍ରସ୍ତୁତ ହେବ । ବିଦ୍ୟାଳୟ ଗୁଡିକର ପାଠ୍ୟକ୍ରମ ଖସଡା ପ୍ରସ୍ତୁତ ହୋଇ ଉନ୍ନତମାନ ଶିକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା । ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ ଓ ସ୍ବଚ୍ଛତା ଦିଗରେ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ । ଅଧ୍ୟକ୍ଷଗଣ ବିଦ୍ୟାଳୟର ମୁଖ୍ୟ । ଏମାନେ ବିଦ୍ୟଳୟର ଉନ୍ନତି ଦିଗରେ ଚେଷ୍ଟା କରିବା ସହିତ ଉତ୍ତମ ଚରିତ୍ରବାନ ଛାତ୍ର ଗଠନ ଦିଗରେ ପ୍ରୟାସ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ . । ଶିକ୍ଷକଗଣ ପାଠପଢା ସମୟ ବ୍ୟତୀତ ଅନ୍ୟ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରି ବୃକ୍ଷ ରୋପଣ, ସଫେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷ ପ୍ରଥମେ ଶୌଚାଳୟର ସଫେଇ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ । ତେବେଯାଇ ଅନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀଗଣ ଅନୁପ୍ରାଣୀତ ହୋଇ ଉକ୍ତ କାର୍ଯ୍ୟକୁ ଘୃଣ୍ୟ ମନେ ନକରି ନିଜେମଧ୍ୟ ସଫେଇ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଉପସ୍ଥିତ ଅଧ୍ୟକ୍ଷଗଣ ନିଜନିଜ ବିଦ୍ୟାଳୟରେ ରହିଥିବା ସମସ୍ୟାମାନ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି) ଏସ୍. ଏସ୍. ମିଶ୍ର, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି) ତପନ କୁମାର ପାଣିଗ୍ରାହୀ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠାବାଡି) ଗଞ୍ଜାମ-୧ ଅରୁଣ ଶତପଥୀ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର କର, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳ ଓ ପରିମଳ ବ୍ରହ୍ମପୁର ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗ ଲଡୁ କିଶୋର ମିଶ୍ର ଏବଂ ସମସ୍ତ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଗଣ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା