ଜିଲ୍ଲାମଙ୍ଗଳ ବିଭାଗ କର୍ମଶାଳାରେ ଶିକ୍ଷକମାନଙ୍କ ଉପରେ ଗୁରୁଦାୟିତ୍ୱ ଲଦିଦେଲେ ଅଧିକାରୀ

ଛତ୍ରପୁର :ମଙ୍ଗଳ ବିଭାଗର ବିଦ୍ୟାଳୟ ଗୁଡିକର ହୋଷ୍ଟେଲ ମାନଙ୍କରେ ରହୁଥିବା ଅନ୍ତେବାସୀମାନଙ୍କର ସୁରକ୍ଷା ବିପନ୍ନ ହେଲେ ଏଣିକି ଶିକ୍ଷକମାନେ ସମ୍ପୂର୍ଣ ଦାୟୀ ରହିବେ ଓ ତା ‘ସହିତ ଏଥି ସଂଲଗ୍ନ ଅନ୍ୟାନ୍ୟ ନିୟମ ଗୁଡିକୁ କଡାକଡ଼ି ଭାବେ ପାଳନ ତଥା ମାନିବାକୁ ବାଧ୍ୟ ବୋଲି ଅଧିକାରୀମାନେ କର୍ମଶାଳାରେ ନିର୍ଦେଶ ଦେଇଛନ୍ତି । ମାସରେ ଅତିକମରେ ଦୁଇଥର ଶିକ୍ଷକମାନେ ବିଦ୍ୟାର୍ଥୀର ଅଭିଵାବକମାନଙ୍କ ସହ ମିଶି ଭଲମନ୍ଦ ବୁଝିବେ । ବିଦ୍ୟାଳୟରେ ଥିବା ଅଭିଯୋଗ ବାକ୍ସକୁ ପ୍ରତିଦିନ ଯାଞ୍ଚକରି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ବଢୁଥିବା ଯୌନ ନିର୍ଯାତନାକୁ ନଜରରେ ରଖି ଜିଲ୍ଲା ମଙ୍ଗଳ ବିଭାଗର ହଷ୍ଟେଲ ମାନଙ୍କରେ ରହୁଥିବା ଛାତ୍ରୀମାନଙ୍କ ସୁରକ୍ଷା ସମ୍ୱନ୍ଧରେ ଏହି କର୍ମଶାଳା ଛତ୍ରପୁର ଗ୍ରାମ୍ୟ ଉନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ, ତତ୍ଵାବଧାରିକା ଓ ମଙ୍ଗଳ ସଂପ୍ରସାରଣ ଅଧିକାରୀ ମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଗଂଜାମ ଜିଲ୍ଲାର 60ଟି ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ରହିଛି । ସେଥିରୁ 42ଟି ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ଥିବାବେଳେ 18ଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରହିଛି ।60ହଜାର ବିଦ୍ୟାର୍ଥୀଙ୍କୁ ରଖିବା ପାଇଁ 50ଟି ହଷ୍ଟେଲ ରହିଛି । 55ହଜାର ଝିଅ ଓ 5ହଜାର ପୁଅ ଏଥିରେ ରହିପାରିବେ । ପ୍ରତ୍ୟେକ ହିଷ୍ଟେଲରେ ବିଦ୍ୟାର୍ଥୀଙ୍କ ପାଇଁ ଖଟ, ବେଡ଼ ସିଟ ଓ଼  ମଶାରୀ ଯୋଗାଇ ଦିଆଯାଇଥିବା ବେଳେ ବିଦ୍ୟୁତ କାଟରୁ ରକ୍ଷା ପାଇବା ପାଇଁ ଇନଭର୍ଟର ଯୋଗାଇଦିଆଯାଇଛି । ବିଶୁଦ୍ଧ ପାନୀୟ ଜଳ ପାଇଁ ଆକୁଆ ଗାର୍ଡର ବ୍ୟବସ୍ଥା କରାଯାଇଛି ।ଗୁଣାତ୍ମକ ମାନର ଖାଦ୍ୟ ପରିବେଷଣ ପାଇଁ ସୁବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଏହାକୁ ରୀତିମତ ଯାଞ୍ଚ କରିବା ବ୍ୟବସ୍ଥା ରହିଛି । ଏ ସବୁ ସତ୍ୱେ ଝିଅ ମାନଙ୍କ ସୁରକ୍ଷା ନିମନ୍ତେ ଅଧିକ ପ୍ରାଥମିକତା ଦିଆଯାଇଛି । ଯୌନ ଶୋଷଣକୁ ରୋକିବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସୁନିଶ୍ଚିତ ହେବାକୁ କୁହାଯାଇଛି । ବ୍ୟତିକ୍ରମ ହେଲେ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ରହିଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି । ଏହି କର୍ମଶାଳାରେ ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଢଙ୍ଗୀ, ତୁମ୍ବା ଉନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରି ରାମ ଚନ୍ଦ୍ର ସେଠି, ଅନୁସୂଚିତ ଜାତି ଜନଜାତି ବିଭାଗର ସଂଯୋଜକ ସୁଶାନ୍ତ ପଣ୍ଡା, ଭଞ୍ଜନଗର ସହକାରୀ ମଙ୍ଗଳ ଅଧିକାରୀ ଦିଲ୍ଲୀପ ପଟନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ ବୋଲି ଗଂଜାମ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ଜଣାଇଛନ୍ତି ।