ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଠାରୁ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାର ହିଞ୍ଜିଳି ବ୍ଲକର ପ୍ରଥମେ ସାରୁ ଗ୍ରାମରୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରାଯାଇଛି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେହିମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ସମ୍ପର୍କରେ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କ୍ରମରେ ଜିଲ୍ଲାରେ ଅଙ୍ଗନୱାଡି କର୍ମୀ, ହେଲପର ଓ ଶିକ୍ଷକ ମାନଙ୍କୁ ନେଇ ଟିମ ଗଠିତ କରାଯାଇଛି । ଏହି ଟିମ ଘରକୁ ଘର ବୁଲି ପରିବାର ବର୍ଗର ସ୍ୱାସ୍ଥ୍ୟଗତରୁ ଆରମ୍ଭ କରି ବିଭିନ୍ନ ଆବଶ୍ୟକୀୟ ଅନୁଯାୟୀ ତଥ୍ୟ ସଂଗ୍ରହ କରିଛନ୍ତି । ଏହା ସହିତ କରୋନା ଭୁତାଣୁ ଲକ୍ଷଣ ଅନୁସାରେ ପରିବାରର ଯେଉଁ ବ୍ୟକ୍ତିଙ୍କୁ ଜର, କାଶ, ନିଶ୍ୱାସ ରୁଦ୍ଧ ହୋଇଥିବ, ସେମାନଙ୍କ ତଥ୍ୟ ସଂଗ୍ରହ କରି ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ତଥ୍ୟ ପ୍ରଦାନ କରାଯାଉଛି । ଯଦି ଯେଉଁ ଅଞ୍ଚଳରେ ଏପରି ଲକ୍ଷଣରେ ଥିବା ବ୍ୟକ୍ତିମାନେ ଚିହ୍ନଟ ହୁଅନ୍ତି, ସେମାନଙ୍କ ନିକଟକୁ ସ୍ୱାସ୍ଥ୍ୟ ଟିମ ପହଞ୍ଚି ବିଭିନ୍ନ ପରୀକ୍ଷା ଓ ସ୍କ୍ରିନିଂ କରାଯାଇ ଯଦି କରୋନା ଆକ୍ରାନ୍ତ ଭଳି ସନ୍ଦେହ ଉପୁଜିବ ସେମାନଙ୍କ ରକ୍ତ ନମୁନା କରୋନା ଟେଷ୍ଟ ପାଇଁ ପଠାଯିବ ବୋଲି ଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି । ଏହାସହ ଜିଲ୍ଲାର ସମସ୍ତ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ ସ୍ୱାସ୍ଥ୍ୟ ଯାଞ୍ଚ କରୁଥିବା ଟିମଙ୍କୁ ସମସ୍ତେ ସତ କଥା କହିବାକୁ ସେ ଅନୁରୋଧ କରିଥିଲେ । ଏହାସହ କରୋନା ଭୁତାଣୁ ମହାମାରୀ କିପରି ଜିଲ୍ଲାରୁ ଦୁରେଇ ରହିବ ସେଥି ନିମନ୍ତେ ମାକ୍ସ ପିନ୍ଧିବା ନିହାତି ଜରୁରୀ ବୋଲି ସେ କହିଥିଲେ । କରୋନାର ମୁଖ୍ୟ ଦ୍ୱାର ନାକ ଓ ପାଟି । ଏଥିପାଇଁ ଆମେ ଏହାକୁ ସତର୍କତାର ସହ ଅବଲମ୍ବନ କରି ସମସ୍ତେ ସମଧୁରତା ରହିବ ସହିତ ଘରେ ରହି ନିଜେ ସୁରକ୍ଷିତ ରହିବ ସହିତ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଉପରେ ଜିଲ୍ଲାପାଳ ମଧ୍ୟ ଏହି ବାର୍ତ୍ତାରେ ସୂଚନା ଦେଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ବ୍ଲକର ୨୩୯ ଗୋଟି ଟିମ ଗଠନ କରାଯାଇ ବ୍ଲକର ସମସ୍ତ ଗାଁକୁ ପହଂଚି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସମ୍ପର୍କିତ ଯାଞ୍ଚ କାର୍ଯ୍ୟକ୍ରମ ଗତକାଲି ଠାରୁ ଆରମ୍ଭ କରାଯାଇଛି । କଣମଣା ପଞ୍ଚାୟତର କଣମଣା ଗ୍ରାମଠାରେ ଅଙ୍ଗନୱାଡି କର୍ମୀ ବାସନ୍ତୀ ସାହୁ, ହେଲପର ତୁଳସୀ ସାହୁ ଓ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ସେଠି ଗାଁର ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କରୋନରୁ କିପରି ଦୁରେଇ ରହିବ ଏଥି ନିମନ୍ତେ ସଚେତନ କରାଇଥିଲେ । ସେହିପରି ଛତ୍ରପୁର ଏନଏସିର ୧୪ଟି ୱାର୍ଡରେ ଏହି ଟିମ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା