ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି : ଆଗାମୀ ମାସରେ ନେବେ ଶପଥ

କଟକ(ସମୃଦ୍ଧ ଓଡିଶା)ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ୍‌ ତାଳପତ୍ରଙ୍କ ନାଁ ସୁପାରିସ୍ କଲେ ସୁପ୍ରିମକୋର୍ଟ କଲେଜିୟମ। ଆସନ୍ତାମାସ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଅବସର ନେବା ପରେ ଜଷ୍ଟିସ୍‌ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ। ତ୍ରିପୁରା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ ଶୁଭା‌ଶିଷ ତାଳପତ୍ରଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ୨୦୨୨ ମସିହାରେ ସୁପାରିସ କରାଯାଇଥିଲା। ଏହାପରେ ସେ ଜୁନ ୧୦ ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସେ ଶପଥ ନେଇଥିଲେ। ସେବେଠୁ ସେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାମ କରୁଥିବା ବେଳେ ଆସନ୍ତା ମାସ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ।ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧, ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୮, ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯, ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।