ଜଳେଶ୍ୱର ହେଉ ଅପରାଧମୁକ୍ତ ଅଞ୍ଚଳ-ଅଣ୍ଟାଭିଡିଲା ସମାଜ କଲ୍ୟାଣ ବିକାଶ ପରିଷଦ : ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଭିନ୍ନ ମାଦକ ଦ୍ରବ୍ୟର ଚୋରା ଚାଲାଣ ଓ ସେବନ, ଚୋରୀ, ଛିନ୍‌ତାଇ, ରାହାଜାନୀ ଇତ୍ୟାଦି ନେଇ ଜଳେଶ୍ୱର ଅଶାନ୍ତ ହୋଇ ଉଠିଥିବା ବେଳେ ଏହାର ନିରାକରଣ ଲାଗି ପୋଲିସ୍ ଓ ବିଭିନ୍ନ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏଥିଲାଗି ସମାଜ କଲ୍ୟାଣ ବିକାଶ ପରିଷଦ ଥାନା ଆଇଆଇସିଙ୍କ ଠାରୁ ଡିଜିଙ୍କ ଯାଏ ଏହାର ନିରାକରଣ ଲାଗି ପଦକ୍ଷେପ ନେବାକୁ ଦାବି କରିଛନ୍ତି ଓ ଆସନ୍ତା ଦିନରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବେ ବୋଲି ଆଜିର ବୈଠକରେ ସ୍ଥିର କରାଯାଇଛି । ରାଜ୍ୟ ଓ ରାଜ୍ୟ ବାହାରୁ ଆମଦାନୀ ହେଉଥିବା ବିଭିନ୍ନ ଉତ୍କଟ ମାଦକଦ୍ରବ୍ୟର ପେଣ୍ଠସ୍ଥଳୀ ପାଲଟିଛି ଜଳେଶ୍ୱର । ଏପରିକି ବାଂଲାଦେଶରୁ ଧଳା ଜହର ଆସି ଏଠାରେ ଗଚ୍ଛିତ କରାଯିବା ସହିତ ରାଜ୍ୟର ବିଭିନ୍ନ ଅଂଚଳକୁ ପ୍ରେରଣ କରାଯାଉଛି । ସେହିପରି ମଦ, ଗଞ୍ଜେଇ ବହୁଳ ବିକ୍ରି ସହିତ କେତେକ ଦୈନନ୍ଦିନ ସମାଗ୍ରୀ ଯଥା ନକଲି ଜର୍ଦ୍ଦା, ଚା, ବିଳାସ ସାମଗ୍ରୀ ଇତ୍ୟାଦିର ବ୍ୟାପକ ନେଣଦେଣ ହୋଇ ଆସୁଛି । ସେହିପରି ୬୦ନଂ ଜାତୀୟ ରାଜପଥରେ ଯାଉଥିବା ବଡବଡ ଟ୍ୟାଙ୍କର, ଟ୍ରକ, ଡମ୍ପର ଅପହରଣ କରାଯାଇ ଆସୁଛି । ଏହା ବ୍ୟତିତ ଚୋରୀ, ଡକାୟତି ବଢି ଚାଲିଛି । କେତେକ ଦୁବୃତ୍ତ ସୋମବାର ଓ ଗୁରୁବାର ବାଇକ୍ ଡିକି ଭାଂଗି ଟଙ୍କା ଲୁଟ କରିବା ଓ ବାଇକ୍ ଚୋରି କରିବା ନିତିଦିନିଆ ଘଟଣାରେ ପରିଣତ ହେଲାଣି । ଏଥିଯୋଗୁଁ ଜଳେଶ୍ୱର ରାଜ୍ୟରେ ଅପରାଧ ଶିରୋନାମା ହେଉଥିବା ଯୋଗୁଁ ଆଜି ଜଳେଶ୍‌ବର ଅଂଚଳର କେତେକ ବୁଦ୍ଧିଜିବୀ ଏବଂ ସମାଜ କଲ୍ୟାଣ ବିକାଶ ପରିଷଦ ନେତୃତ୍ୱରେ ଆୟୋଜିତ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି । ଏଥିନେଇ ବୈଠକରେ ସ୍ଥାନୀୟ ପୁଲିସ୍ ଅଧିକାରୀଙ୍କ ଠାରୁ ଡିଜିଙ୍କ ଯାଏ ଏହାର ନିରାକରଣ ଲାଗି ଅଧିକ ପୁଲିସ୍ ମୁତୟନ, ଜଳେଶ୍ୱରରେ ଜଣେ ଯୁବ ଆଇପିଏସ୍ ନିଯୁକ୍ତି, ୬୦ନଂ ଜାତୀୟ ରାଜପଥ ଓ ସହରାଞ୍ଚଳରେ ପିସିଆର୍ ପେଟ୍ରୋଲିଂ, ସହରର ବିଭିନ୍ନ ସ୍ଥାନରେ ସି-ସି ଟିଭି ଲଗାଯିବା ନେଇ ଦୃଷ୍ଟି ଆକର୍ଷଣ କରାଯାଇଛି । ଆସନ୍ତା ଦିନରେ ବାଲେଶ୍ୱର ଏସଥପି, ଆଇ ଓ ପୁଲିସ୍ ଡିଜିଙ୍କୁ ସାକ୍ଷାତ କରି ନିରାକରଣର ବ୍ୟବସ୍ଥା କରାଯିବାକୁ ବୈଠକରେ ସିଦ୍ଧାନ୍ତ ହୋଇଛି । ଏହି ବୈଠକରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡ. ରମାକାନ୍ତ ଭଂଜ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ତଥା ଆଇନ୍‌ଜିବୀ ରାମଚନ୍ଦ୍ର ଜେନା ଏ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା