ଜଳେଶ୍ୱର ସହରତଳି ଅଞ୍ଚଳରେ ହାତୀ ଆତଙ୍କ : ହାତୀ ବଣଛାଡି ସହର ମୁହାଁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବୁଧବାର ରାତିରେ ବାଲେଶ୍ୱର ଜିଲାର ଜଳେଶ୍ୱର ସହରତଳି ସୁବର୍ଣ୍ଣରେଖା ନଦୀକୂଳ ଅଞ୍ଚଳକୁ ଏକ ଦନ୍ତା ପଶିଆଶିଥିଲା । ସକାଳେ ଏହାକୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଥିଲେ । ଲୋକେ ଭୟଭିତ ହୋଇ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ହାତୀଟି ବିରିଷପୁର, ଗୋପ, ଜଳେଶ୍ୱର ପୌରାଞ୍ଚର ବିଭିନ୍ନ ସ୍ଥାନରେ ଘୁରିବୁଲୁଥିବା ବେଳେ ରେଞ୍ଜର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ନଦୀ ପାରି କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ । ଅପରାହ୍ନ ୫ଟା ବେଳକୁ ବନବିଭାଗ ଓ ସବୁଜ ବାହିନୀ ହାତୀକୁ ସୁବର୍ଣ୍ଣରେଖା ନଦୀପାରି କରାଇବାରୁ ସେ ରାଇବଣିଆ ଅଞ୍ଚଳକୁ ପଶିଥିଲା । ଗୋଠ ଖଣ୍ଡି ହାତୀଟି ଏକ ସପ୍ତାହ ପୂର୍ବେ ଏହି ଅଞ୍ଚଳରେ ଥିବା ବେଳେ ବନବିଭାଗ ରାସଗୋବିନ୍ଦପୁର ଜଙ୍ଗଲକୁ ଘଉଡାଇ ଥିଲେ । ଜଙ୍ଗଲ ଅଞ୍ଚଳ ଗୁଡିକ ସଂକୁଚିତ ହେଉଥିବା ଯୋଗୁଁ ହାତୀଗୁଡିକ ଗାଁ ଓ ସହର ମୁହଁ ହେଉଛନ୍ତି । ହାତୀଟି ନଦୀକୂଳେ କୂଳେ ପରିବାଚାଷ ଖାଇବା ସହିତ ବ୍ୟାପକ ନଷ୍ଟ କରିଛି । ରାଇବଣିଆ ଅଞ୍ଚଳର ରଂଗାମାଟିଆ, ଆମ୍ବତୁମ୍ବା, ଜହ୍ନିଫୁଲିଆ ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକୁ ଚଳିତ ବର୍ଷ ବାରମ୍ବାର ହାତୀ ଉପଦ୍ରବ କରି ଆସୁଛି । ହାତୀ ଗ୍ରାମମୁହଁ ହୋଇନ ପାରିବାପାଇଁ କେତେକ ଅଂଚଳରେ ଟ୍ରେଞ୍ଚ ଖୋଳା ଯାଇଥିଲେ ମଧ୍ୟ ତାହା କାମରେ ଆସୁନାହିଁ । ଖବର ଲେଖା ହେଲା ବେଳକୁ ହାତୀଟି ପୁଣି ଫେରିଆସି ସୁବର୍ଣ୍ଣରେଖା ନଦୀର ପଠାରେ ବୁଲୁଥିବା ଦେଖିବାକୁ ମିଳିଛି ।

ରିପୋର୍ଟ : ଭୂପତି ପରିଡା