ଜଳେଶ୍ୱର ରେଳ ଷ୍ଟେସନର ବିକାଶ ଲାଗି ଡିଆରଏମଙ୍କ ଆଲୋଚନା:ତିନିଯୋଡା ଟ୍ରେନ୍ ଚଳାଚଳ, ଆଧୁନିକିକରଣ ଓ ରାଇବଣିଆ ଦୁର୍ଗ ପ୍ରତିଫଳନ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଖଡଗପୁର ରେଳ ଡିଭିଜନ୍ରେ ଜଳେଶ୍ୱର ଏକ ପ୍ରମୁଖ ଷ୍ଟେସନ ହୋଇଥିବାରୁ ତାର ବିକାଶ ଲାଗି ଆଜି ସମାଜକଲ୍ୟାଲ ବିକାଶ ପରିଷଦ ଓ ଖଡଗପୁର ଡିଭିଜନଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି । ଜଳେଶ୍ୱରକୁ ଏକ ମଡେଲ ଷ୍ଟେସନ କରାଯିବା ଲାଗି କେତେକ ପଦକ୍ଷେପ ସଂପର୍କରେ ସୂଚନା ମିଳିଛି । ଅତୀତରେ ସମାଜ କଲ୍ୟାଣ ବିକାଶ ପରିଷଦର ସଂପାଦକ ଆଇନଜୀବୀ ରାମଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଦିଲ୍ଲିସ୍ଥିତ ରୟାଲ ଭବନ ଯାଇ ସଚିବଙ୍କ ସହ ଆଲୋଚନା, କୋଲକତାର ଗାଡେନ୍ରିଚ୍ ଯାଇ ମୁଖ୍ୟ ପ୍ରବନ୍ଧକଙ୍କ ସହ ସବିଶେଷ ଆଲୋଚନା ପରେ ଆଜି ଖଡଗପୁର ଡିଆରଏମ ମନୋଜ କୁମାର ପ୍ରଧାନଙ୍କ ସହ ଜଳେଶ୍ୱର ରେଳ ଷ୍ଟେସନ ସଂପର୍କରେ ଆଲୋଚନା କରିଛନ୍ତି । ଉତ୍ତର ବାଲେଶ୍ୱରୁ ସକାଳୁଆ ଭୁବନେଶ୍ୱର ଯିବାପାଇଁ ଖଡଗପୁରୁ ଛାଡୁଥିବା ଫାଷ୍ଟ ପାସେଞ୍ଜରକୁ ବାରିପଦା- ଭୁବନେଶ୍ୱର ସୁପରଫାଷ୍ଟ ସହିତ ଲିଙ୍କ୍ କରାଯିବା ସଂପର୍କରେ ଆଲୋଚନା ହୋଇଛି । ଦିନ ୯.୩୦ପରେ ଖଡଗପୁରରୁ ବାଲେଶ୍ୱର କୌଣସି ପାସେଞ୍ଜର ଟ୍ରେନ୍ ସଂଧ୍ୟା ୫ଟା ଯାଏ ଚଳାଚଳ କରୁନଥିବାରୁ ଏହି ସମୟରେ ଏକ ପାସେଞ୍ଜର ଟ୍ରେନ ଚଳାଚଳ କରିବା, ଖଡଗପୁର ଭେଲୁପୁରମ୍ ଏକ୍ସପ୍ରେସ୍ ଜଳେଶ୍ୱରରେ ଛିଡା ହେବା, ଜଳେଶ୍ୱରର ଉତ୍ତରପଟେ ୩ନଂ ପ୍ଲାଟଫର୍ମରୁ ପଶ୍ଚିମବାଡ ପଟେ ଯାତାୟତଲାଗି ଓଭରବ୍ରିଜ୍ ନିର୍ମାଣ ହେବା, ପଶ୍ଚିମବାଡପଟେ ଟିକଟ କାଉଣ୍ଟର ରହିବା, ୨ ଓ ୩ ନଂ ପ୍ଲାଟଫର୍ମରେ ଆଧୁନିକ ୟୁରିନାଲ ଓ ଲେଟ୍ରିନ୍ ନିର୍ମାଣ ହେବା, ୧ ନଂ ପ୍ଲଟଫର୍ମରେ ଅଧିକ ସେଡ୍ ନିର୍ମାଣ ହେବା, ୨ ଓ ୩ନଂ ପ୍ଲାଟଫର୍ମରେ ଟ୍ରେନ୍ର ୨ଟି ବଗି ବାହାରକୁ ରହୁଥିବାରୁ ତାହାର ଦର୍ଘ୍ୟ ବୃଦ୍ଧି କରିବା, ଲିଫ୍ଟର ନିର୍ମାଣ, ଆଇଭିଆର୍ ସିଷ୍ଟମ୍, ବଗି ଇଣ୍ଡିକେଟର, ରେଳ ଷ୍ଟେସନକୁ ଏନ୍ଏସ୍ଜି-୪ର ମାନ୍ୟତା ଏବଂ ରାଇବଣିଆ ଦୁର୍ଗ ଢାଞ୍ଚାରେ ଷ୍ଟେସନର ମୁଖ ଶାଳା ନିର୍ମାଣର ଦାବି ସଂପର୍କରେ କୁହାଯାଇଥିଲା । ଡିଆରଏମ ଶ୍ରୀ ପ୍ରଧାନ ଆଇଭିଆର୍ ଓ ୱାଇଫାଇ ସିଷ୍ଟମ ୫ଦିନ ମଧ୍ୟରେ କାର୍ଯ୍ୟ କରିବା, ମାର୍ଚ୍ଚ ସୁଦ୍ଧା ୨ଟି ଲିଫ୍ଟ କାର୍ଯ୍ୟକ୍ଷମ ହେବା, ୩ୟ ରେଳପଥ କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ପଶ୍ଚିବାର୍ଡ ପଟେ କୌଣସି ସଂପ୍ରସାରଣ କାର୍ଯ୍ୟ ନ ହେବା, ଟେମ୍ପୋ ଷ୍ଟାଣ୍ଡ ନିର୍ମାଣ ହେବା, ସିସି ଟିଭି କାର୍ଯ୍ୟକ୍ଷମ ହେବା, ଡିସ୍ପ୍ଲେ ବୋଡ ୫ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବା ସହିତ ଏଟିଭିଏମ୍ ଓ ଟ୍ରଲିପାଥ କାର୍ଯ୍ୟକ୍ଷମ ଥିବା ସଂପର୍କରେ ଦର୍ଶାଇଥିଲେ । ଅନ୍ୟ କେତେକ ଦାବି ସଂପର୍କରେ ରେଳବୋର୍ଡ ସହିତ ଆଲୋଚନା କରିବା ସଂପର୍କରେ କହିଥିଲେ । ଏହି ଆଲୋଚନା ବେଳେ ସମାଜ କଲ୍ୟାଣ ବିକାଶ ପରିଷଦର ସଂପାଦକ ଆଇନଜୀବୀ ରାମଚନ୍ଦ୍ର ଜେନା, ଶରତ ଚନ୍ଦ୍ର ପରିଡା, ସାମ୍ବାଦିକ ଅବନୀ ଚାନ୍ଦ, ଅଜିତ୍ ମହାନ୍ତି, ପ୍ରଦିପ୍ତ କିଶୋର ଚନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଡିଆର୍ଏଙ୍କ ସହିତ ଚିଫ ଅଫିସ୍ ସୁପରିଟେଣ୍ଡଣ୍ଟ ସୁନିଲ କୁମାର ଗିରି, ଏ ରବି କୁମାର, ସିଡିଟିସି ଗଦାଧର କରଣ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା