ଗ୍ରାମାଞ୍ଚଳରେ ନୂତନ ପାଠାଗାର ସ୍ଥାପନର ଗୁରୁତ୍ୱ ରହିଛି:ମନ୍ତ୍ରୀ ରଘୁନାଥ ଦାସ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଗତକାଲି ସନ୍ଧ୍ୟାରେ ବାଲିକୁଦା ବ୍ଲକର ଅଢଙ୍ଗା ଗ୍ରାମସ୍ଥିତ “ଦିବାକର ଦାସ ସ୍ମାରକୀ ପାଠାଗାର”କୁ ଉଦଘାଟକ ଭାବେ ଯୋଗଦେଇ ଲୋକାର୍ପିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଏହିଭଳି ପାଠାଗାର ସ୍ଥାପନ ଗ୍ରାମାଞ୍ଚଳରେ ପାଠାଗାର ଆନ୍ଦୋଳନକୁ ଉତ୍ସାହିତ କରିବ । ଏ ଦିଗରେ ବିଭିନ୍ନ ଅଞ୍ଚଳର ଜନପ୍ରତିନିଧି ଓ ଆଗ୍ରହୀ ବ୍ୟକ୍ତିମାନେ ଆଗେଇ ଆସିବାକୁ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ । ଘରୋଇ ଉଦ୍ୟମରେ ସ୍ଥାପିତ ଏହି ପାଠାଗାରର ଉଦଘାଟନୀ ଦିବସରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ଏଥିରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ ଯୋଗଦେଇ କହିଲେ ଯେ, ପାଠାଗାର ଜ୍ଞାନ ବୃଦ୍ଧିରେ ସହାୟକ ହୋଇଥାଏ । ତତ ସହିତ ଆଧ୍ୟାତ୍ମିକ ପୁସ୍ତକ ଓ ପୁରାତନ ପୁସ୍ତକର ଅଧ୍ୟୟନ ଦ୍ୱାରା ସମାଜ ଅଧିକ ଶୃଙ୍ଖଳିତ, ଶିକ୍ଷିତ ହୋଇପାରିବ ବୋଲି ଶ୍ରୀ ଦାସ କହିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ ପାଠାଗାରର ସ୍ମରଣିକା “ସ୍ମୃତି ଅର୍ଘ୍ୟ”କୁ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ବିଜେବି କଲେଜର ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ସମ୍ମାନନୀୟ ବକ୍ତା ଭାବେ ପ୍ରଫେସର ଯୁଧିଷ୍ଠିର ଖଟୁଆ, ସମ୍ମାନିତ ଅତିଥି ଭାବେ ବାଲିକୁଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀମତୀ ମଧୁସ୍ମୃତି ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦିବାକର ଦାସଙ୍କ ସ୍ମୃତି ଚାରଣ କରିବା ସହିତ ପାଠାଗାରର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅଢ଼ଙ୍ଗା ପଞ୍ଚାୟତ ସମିତି ସଭ୍ୟ ଜଟାଧାରୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ବହୁ ସଂଖ୍ୟାରେ ଜନସାଧାରଣ, ପାଠକ ପାଠିକା, ଶିକ୍ଷକ ଓ ଜନପ୍ରତିନିଧି ଯୋଗଦାନ କରିଥିଲେ ।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ନବ ବର୍ଷର ଅଭିନନ୍ଦନ ଜ୍ଞାପନ କରୁଛନ୍ତି