ଜଳେଶ୍ୱର ନୂତନ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ରେଳ ମନ୍ତ୍ରୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଖଡଗପୁର ରେଳ ଡିଭିଜନ୍‌ରେ ଜଳେଶ୍ୱର ଏକ୍ ପ୍ରମୁଖ ରେଳ ଷ୍ଟେସନ ହୋଇଥିବାରୁ ସେଠାରେ ନୂତନ ରେଳ ଷ୍ଟେସନର ଶିଳାନ୍ୟାସ ଆସନ୍ତା ୭ ତାରିଖରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ହେବ ବୋଲି ଆଜି ଖଡଗପୁର ସ୍ଥିତ ରେଳ ମଣ୍ଡଳ ପ୍ରବନ୍ଧକ ମନୋରଂଜନ ପ୍ରଧାନ ସୂଚନା ଦେଇଛନ୍ତି । ଏଥିପାଇଁ ରେଳ ବିଭାଗର ବ୍ୟାପକ ପ୍ରସ୍ତୁତି ହେବା ସହିତ ବାଲେଶ୍ୱର ଓ ନୀଳଗିରି ରେଳ ଷ୍ଟେସନରେ ନୂତନ କାର୍ଯ୍ୟକ୍ରମର ଶିଳାନ୍ୟାସ ହେବ ବୋଲି ସେ ସୂଚନା ଦେଇଛନ୍ତି । ଜଳେଶ୍ୱର ରେଳ ଷ୍ଟେସନ ଏନ୍‌ଏସ୍‌ଜି-୫ବର୍ଗର ବୋଲି ରେଳ ବିଭାଗ ପ୍ରକାଶ କରିବା ସହ ହାରାହାରି ଏଠାରୁ ପ୍ରତିଦିନ ୩୩୦୦ ଯାତ୍ରୀ ଯାତାୟାତ କରୁଥିବା ବେଳେ ୨ଲକ୍ଷ ୮୦ ହଜାର ଟଙ୍କା ରୋଜଗାର ହୋଇଥାଏ ବୋଲି ରେଳ ବିଭାଗରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି । ଖଡଗପୁରରୁ ରାଣୀତାଲ ମଧ୍ୟରେ ଥିବା ଷ୍ଟେସନ ଗୁଡିକ ମଧ୍ୟରୁ ବାଲେଶ୍‌ବରକୁ ବାଦ୍‌ଦେଲେ ଜଳେଶ୍ୱର ରେଳ ଷ୍ଟେସନ ସର୍ବାଧିକ ଲୋକେ ଯାତାୟାତ ସହିତ ସର୍ବାଧିକ ଅର୍ଥ ଆଦାୟ ହୋଇଥାଏ । କିନ୍ତୁ ଏହାର ବିକାଶ ଠିକ୍‌ଭାବେ ହୋଇ ନ ଥିବାରୁ ବିଭିନ୍ନ ସମୟରେ ଦାବି ଓ ଆନ୍ଦୋଳନ ହୋଇ ଆସିଛି । ଆସନ୍ତା ୭ ତାରିଖରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜଳେଶ୍ୱର ନୂତନ ରେଳ ଷ୍ଟେସନର ଶିଳାନ୍ୟାସ ଲାଗି ଆସିବାକୁ ଥିବାରୁ ଆଜି ଡିଆର୍‌ଏମ୍ ଜଳେଶ୍ୱର ରେଳ ଷ୍ଟେସନରେ ଦୀର୍ଘ ୪୦ ମିନିଟ୍ ରହି ସମୀକ୍ଷା କରିଥିଲେ । କେବଳ ରେଳ ଷ୍ଟେସନ ନିର୍ମାଣ ଲାଗି ୮ କୋଟି ଓ ଆନୁସଂଗୀକ ଅନ୍ୟାନ୍ୟ ବିକାଶ ଲାଗି ଅନ୍ୟ ୭ କୋଟି ଟଙ୍କା ବ୍ୟୟ ହେବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ । ସେହିପରି ଲକ୍ଷ୍ମଣନାଥ ଷ୍ଟେସନରୁ ଅମର୍ଦ୍ଦାଷ୍ଟେସନ ମଧ୍ୟରେ ୩ୟ ରେଳ ପଥ ନିମାଣ ଲାଗି ମୋଟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସମ୍ପର୍କରେ ରେଳବାଇର ବାଣିଜ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି । ରେଳ ମଣ୍ଡଳ ପ୍ରବନ୍ଧକ ଶ୍ରୀ ପ୍ରଧାନଙ୍କ ସହିତ ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ମେନେଜର ରାଜେଶ କୁମାର ମଧ୍ୟ ଆସି ଶିଳାନ୍ୟାସ, ସଭାମଂଚ ଓ ସୁରକ୍ଷା ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି । ପ୍ଲାଟଫର୍ମର ପିଇବା ପାଣି, ଶୌଚାଳୟ ଇତ୍ୟାଦି ବୁଲି ଦେଖିଥିଲେ ଓ ସେଥିରେ ଅସନ୍ତୋଷ ପ୍ରକାଶ କରିଥିଲେ । ରେଳ ବିଭାଗର ଉପ ଇଞ୍ଜିନୀୟର ବମ୍‌ବମ୍ ପାଣ୍ଡେ ମଧ୍ୟ ଏହି ଗସ୍ତବେଳେ ଉପସ୍ଥିତ ଥିବା ବେଳେ ବହୁ ବରିଷ୍ଠ କର୍ମିଚାରୀ ବୁଲି ଦେଖିଥିଲେ । ରେଳ ସେଲୁନ୍‌ଯୋଗେ ଏଠାକୁ ଆସି ନୀଳଗିରି ଅଭିମୁଖେ ଯାତ୍ରା କରିଥିଲେ । ଏଥିରେ ବିଜେପି ନେତା ଅରୁଣ ବେଜ, ଯୁବ ନେତା ଶ୍ରୀକୃଷ୍ଣ ଗୁପ୍ତା, ରେଳ ୟୁଜର୍ସ ସଭାପତି ସୁକୁମାର ରଣା, ଶିକ୍ଷକ ନେତା ଡ. ଅଜିତ୍ ମହାନ୍ତି, ସମାଜକଲ୍ୟାଣ ବିକାଶ ପରିଷଦର ଶରତ ପରିଡା, ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା