ଜଳେଶ୍ୱର-ଅନୁକୂଳ ମନ୍ଦିର ପୁର୍ତ୍ତବିଭାଗ ରାସ୍ତା ପୂର୍ଣ୍ଣାଙ୍ଗ କେବେ ?…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରୁ ଦାନ୍ତୁନ ଯିବାଲାଗି ପୁରୁଣା ଓଟିରୋଡର ଦୁରାବସ୍ଥା ଅବର୍ଣ୍ଣନୀୟ ଥିବାରୁ ଗତ ୪ବର୍ଷ ତଳେ ଏହାର ନବିକରଣ ଲାଗି ୨ଟି ପର୍ଯ୍ୟାୟରେ ୧୦ କୋଟି ଟଙ୍କା ଅନୁଦାନ ମିଳିଥିଲା । ଏହାର ୨ୟ ପର୍ଯ୍ୟାୟ କାର୍ଯ୍ୟ ଜଳେଶ୍ୱର ପୁରୁଣିଆ ବଜାର ବାସନ୍ତି ପଡିଆଠାରୁ ଅନୁକୂଳ ଚନ୍ଦ୍ର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନବୀକରଣ କାର୍ଯ୍ୟର ଠିକା ଦିଆଯାଇଥିଲା । ଇତି ମଧ୍ୟରେ ୪ ବର୍ଷ ଅନିବାହିତ ହେଲାଣି, କିନ୍ତୁ ଅଧାପନ୍ଥରିଆ ହୋଇ ପଡି ରହିଛି ରାସ୍ତାକାର୍ଯ୍ୟ । ଜଳେଶ୍ୱରରୁ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ୪ କି.ମି ରାସ୍ତାର ମରାମତି ଓ ନବିକରଣ ଲାଗି ୧୦ କୋଟି ଟଙ୍କା ମିଳିଥିଲା । ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଥିବା ବେଳେ ୨ୟ ପର୍ଯ୍ୟାୟ କାର୍ଯ୍ୟ ବାସନ୍ତୀ ପଡିଆରୁ-ଅନୁକୂଳ ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ୨ ବର୍ଷ ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିଥିଲା । ରାସ୍ତାର ପ୍ରସସ୍ତିକରଣ ଲାଗି ଗୁରୁତ୍ୱ ଦିଆଯାଇଥିବା ବେଳେ ତାହା ହୋଇନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ଏହି ରାସ୍ତାରେ ଜଳେଶ୍ୱର ବ୍ଳକର ୪ଟି ପଞ୍ଚାୟତ ସହିତ ଦାନ୍ତୁନ ଅଞ୍ଚଳକୁ ଯାତାୟାତ କରାଯାଇଥାଏ । ଏହି ଆନ୍ତରାଜ୍ୟ ରାଜପଥରେ ବହୁ ଓଜନିଆ ଗାଡି ଓ ଯାତ୍ରୀବାହି ବସ୍ ଚଳାଚଳ କରୁଥିବାରୁ ଦୁରାବସ୍ଥା ବଢିବଢି ଚାଲୁଛି । ବ୍ଳକ ଛକ ନିକଟରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଯେ କୌଣସି ବଡ ଦୁର୍ଘଟଣାକୁ ଏଡାଇ ଯାଇନପାରେ । ପୁଣି ରାସ୍ତାକଡରେ କନ୍‌ଭେଣ୍ଟ ସ୍କୁଲ, ଶ୍ରୀମାଶ୍ରୀଅରବିନ୍ଦ ସ୍କୁଲ, ବ୍ଳକ କାର୍ଯ୍ୟାଳୟ, ପବ୍ଲକି ସ୍କୁଲ, ୨ଟି +୨ ବିଜ୍ଞାନ ମହାବିଦ୍ୟାଳୟ, ସବ୍‌ଜେଲ୍‌, ପ୍ରାଣିଚିକିତ୍ସାକେନ୍ଦ୍ର, କୃଷି ଓ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ, ବନବିଭାଗ ଓ ଦମକଳ କେନ୍ଦ୍ର, ଉପ ଆରକ୍ଷୀ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟଳୟ ଥିବାରୁ ଏହି ରାସ୍ତାରେ ବହୁଳ ସମାଗମ ହୋଇଥାଏ । ତେଣୁ ଅଧାପନ୍ଥରିଆ ହୋଇ ରହିଥିବା ରାସ୍ତାକାର୍ଯ୍ୟକୁ ଶେଷ କରିବାକୁ ସାଧାରଣରେ ଦାବି ହେଉଛି ।

ରିପୋର୍ଟ : ଭୂପତି ପରିଡା