ଜଳେଶ୍ୱର-ଅଗ୍ରୱାଲା ୨ ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସେରସାହାଙ୍କୁ ଅମଳରେ ଓଡିଶା ରାଜ୍ୟ ଦେଇ ଓଡିଶା ଗ୍ରାଣ୍ଟ ଟ୍ରାଙ୍କ ରୋଡଟି ଜଳେଶ୍ୱର ସହର ମଧ୍ୟଦେଇ ଲମ୍ବି ଯାଇଛି । ଏହି ରାସ୍ତାର ୮.୫ ଠାରୁ ୧୦.୫ କି.ମି ଯାଏ ଏହି ୨ କିମି ରାସ୍ତାର ଦୂରାବସ୍ଥା ଅବର୍ଣ୍ଣନୀୟ ହୋଇ ପଡିଛି । ଏଥିଲାଗି ୫ କୋଟି ୩୩ ଲକ୍ଷ ଟଙ୍କାର ଆବଶ୍ୟକତା ଥିବା ବେଳେ ୪ କୋଟି ୧୯ଲକ୍ଷ ୭୩ହଜାର ୪୯୭ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ହୋଇଥିବା ଏହି କାର୍ଯ୍ୟ ନିର୍ମାଣାଧିନ ରହିଛି । କିନ୍ତୁ ଜଳେଶ୍ୱର ସହର ମଧ୍ୟରେ ଥିବା ୮୦୦ ମିଟର ରାସ୍ତାର ନବୀକରଣ ଓ ଉନ୍ନତିକରଣ ହୋଇପାରୁନଥିବା ଯୋଗୁଁ ଅସନ୍ତୋଷ ଦେଖା ଦେଇଛି । ଏଠାରେ ରାସ୍ତାର ଓସରା ବୃଦ୍ଧି କରିବା ଲାଗି ନ ଥିବା ଜଣାଯାଇଛି । ତଥାପି ଆବଶ୍ୟକ ସ୍ଥଳେ କାର୍ଯ୍ୟ କରାଯାଉ ଥିଲେ ମଧ୍ୟ ରାସ୍ତାକଡରେ ଥିବା ବିଦ୍ୟୁତ୍‌ଖୁଣ୍ଟ ଅପସାରଣ, ବଡବଡ ଗଛ କଟାଯିବାର ଆବଶ୍ୟକତା ଦେଖା ଦେଇଥିବାରୁ ପୁର୍ତ୍ତବିଭାଗ ଜଳେଶ୍ୱର ତହସିଲଦାରଙ୍କୁ ଜଣାଇଥିଲା । ଏଥିରେ ରାସ୍ତାର ମାପଚୁପ ହୋଇଥିଲେ ମଧ୍ୟ କେତେକ ଘର ଛଚ୍ଛେଦ ଲାଗି ନୋଟିସ୍ କରାଯାଇଥିବାରୁ ବଣିକ ସଂଘର ସଭାପତି ସୁଧିର କୁମାର ମହାନ୍ତିଙ୍କ ନେତୃତ୍ୱରେ କେତେକ ସଚେତନ ନାଗରିକ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି । କିନ୍ତୁ ଏହି ଘରଗୁଡିକ ନିଜେ ଉଚ୍ଛେଦ କରିଦେବେ ବୋଲି ସହମତି ହୋଇଥିଲେ ମଧ୍ୟ ଉଚ୍ଛେଦ କାର୍ଯ୍ୟରେ ବିଳମ୍ବ ଘଟୁଥିବାରୁ ରାସ୍ତାକାମ ବାଧାପ୍ରାପ୍ତ ହେଉଥିବା କୁହାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା