ଜଳେଶ୍ୱରର ମୁଗ-ବିରି ବିହନ ଉତ୍ପାଦନକାରୀ ଚାଷୀ ଭେଟିଲେ ପ୍ରମୁଖ ସଚିବଙ୍କୁ, କୃଷି ନିର୍ଦ୍ଦେଶକ ଗଢିଲେ କମିଟି : ରାତିପାହିଲେ ବାଲେଶ୍ୱରରେ ହେବ ତଦନ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ଚାଷୀମାନେ ନୀତି ନିୟମ ଓ ସଠିକ୍ ପଦ୍ଧତିରେ ଚାଷ ବାଦ କରୁଥିବାରୁ ବିହନ ନିଗମ ଫାଉଣ୍ଡେସନ ବିହନ ଯୋଗାଇ ଚାଷୀଙ୍କ ଠାରୁ ସାଟିଫାଏଡ୍ ବିହନ କିଣିଥାଏ । ୧୯୭୬ ମସିହାରୁ ଜଳେଶ୍ୱରର ରାୟାଁରାମଚନ୍ଦ୍ରପୁର ଅଂଚଳର ଚାଷୀମାନେ ମୁଗ ଓ ବିରି ଫାଉଣ୍ଡେସନ ବିହନ ସଂପୃକ୍ତ ଅଫିସରୁ ନେଇ ହଜାର ହାଜର କ୍ୟୁଣ୍ଟାଲ ସାର୍ଟିଫାଏଡ୍ ବିହନ ନିଗମକୁ ଯୋଗାଇଥାନ୍ତି । ଉତ୍ତର ବାଲେଶ୍ୱରର ଭୋଗରାଇ, ଜଳେଶ୍ୱର, ବସ୍ତା, ବାଲିଆପାଳ ଅଂଚଳରୁ ଧାନ, ଚିନିବାଦାମ ପ୍ରଭୃତି ମଧ୍ୟ ସାଟିଫାଏଡ ବିହନ ନିଗମ କିଣିଥାଏ । ଚଳିତ ବର୍ଷ ଜଳେଶ୍ୱରର ବ୍ଲକର ରାୟାଁରାମଚନ୍ଦ୍ରପୁର ପଂଚାୟତର ବହୁ ଚାଷୀ ୧୩୦କ୍ୟୁଣ୍ଟାଲ ବିରି ବିହନ ବାଲେଶ୍ୱରର ସ୍ଥିତ ବିହନ ନିଗମକୁ ବିକ୍ରି କରିଥିଲେ । କିନ୍ତୁ ବିହନ ନିଗମର ଲାବରେଟରୀ ଏହି ସବୁ ବିହନ ପରୀକ୍ଷା ନିରୀକ୍ଷା କରି ଏହାକୁ ଅନୁପଯୁକ୍ତ ଦର୍ଶାଇ ଫେରାଇ ଦେଇଥିଲେ । ପ୍ରକାଶଯୋଗ୍ୟ ଏହି ସବୁ ବିହନର ମାନ ନିର୍ଣ୍ଣୟ ବେଳେ କେତେକ ଅସାଧୁ କର୍ମଚାରୀ ଏଥିରେ ସଂପୃକ୍ତ ଥିବାର ଅଭିଯୋଗ ହୋଇଛି । ଆଶ୍ଚର୍ଯ୍ୟର କଥା ଏହି ବିହନକୁ ଚାଷୀମାନେ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଥିଲେ । ଏବଂ ସେହି ବ୍ୟବସାୟୀଠାରୁ ବିହନ ନିଗମ ଏହି ସମସ୍ତ ବିରି କିଣିଥିବାର ଚାଷୀମାନେ କହିଛନ୍ତି । ଏପରିକି ପ୍ରଥମ ଲଟ୍ରେ ଚାଷୀମାନଙ୍କର ବିହନ ପାସ୍ହୋଇଥିବା ବେଳେ ସେମାନଙ୍କ ପ୍ରାପ୍ୟ ଦିଆନଯାଇ ୨ୟ ଲଟ୍ରେ ଏସ୍ପିଓଙ୍କଠାରୁ ପଠାଯାଇଥିବା ବିହନ ଲଟ୍ର ପ୍ରାପ୍ୟ ପ୍ରଦାନ କରାଯାଇଛି । ପ୍ରକାଶଯୋଗ୍ୟ ଏହି ୨ୟ ଲଟ୍ର ବିହନ ବିଭିନ୍ନ ବ୍ୟବସାୟୀ ମାନଙ୍କର ଥିଲାବୋଲି ଅଭିଯୋଗ ହୋଇଛି । ଏବେବି ଚାଷୀମାନଙ୍କ ଠାରେ ବହୁ ମୁଗ ଓ ବିରି ବିକ୍ରି ନ ହୋଇ ପଡି ରହିଛି । ସାର୍ଟିଫାଏଡ ମୁଗ ଓ ବିରି ବାଲେଶ୍ୱରକୁ ପରିବହନ ଓ ନିମ୍ନ ମାନର କୁହାଯାଇଥିବାରୁ ତାହାକୁ ଫେରାଇ ଆଣିବା ଲାଗି ମଧ୍ୟ ଚାଷୀମାନେ ଖର୍ଚ୍ଚନ୍ତ ହେବେ । ଏସବୁ ତଥ୍ୟ ସଂପର୍କରେ ରାୟାଁରାମଚନ୍ଦ୍ରପୁର ଅଂଚଳର ଉଠିଆଚାଷୀ ବସନ୍ତ ବାରିକ, ଭଗବାନ ମଣ୍ଡଳ, ଜଗନ୍ନାଥ ରାଉଳ, ଶଂକର ପ୍ରଧାନ, କୁଶ ସାହୁ, ହରିହର ସେନାପତି, ନରେନ୍ଦ୍ର ମାହାନା, ସମ୍ଭୁନାଥ କରଣ, ନଗେନ୍ଦ୍ର ସାହୁ, ମନୋରଂଜନ ପରିଡା, ଅଭିମନ୍ୟୁ ସାହୁ, ଉର୍ମିଳା ବାରିକ, ପ୍ରଦୀପ କୁମାର ଦତ୍ତ, ଝାଡେଶ୍ୱର ରାଉଳ, ରତ୍ନାକର ବିଶ୍ୱାଳ, ଗିରିଜା ଶଂକର ପ୍ରଧାନ, ବିଜୟ ମହାନ୍ତି, କାର୍ତ୍ତିକ ସାହୁ, ବିଜୟ ବାଗ, ମନପ୍ରତାପ ସାହୁ, ଅକ୍ଷୟ ସାହୁ ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିହନ ନିଗମର ସାର୍ଟିଫାଏଡ୍ ଅଫିସରଙ୍କ ମନମୁଖୀ କାର୍ଯ୍ୟ, କୃଷକ ମାରଣ ନୀତି ଯୋଗୁଁ ନମୁନା ଗୁଡିକୁ ସଠିକ୍ ପଦ୍ଧତିରେ ମାନ ନିର୍ଦ୍ଧାରଣ କରାଯାଇନଥିବାରୁ, ଯାନ୍ତ୍ରିକ ତ୍ରୁଟିକୁ ଗୁରୁତ୍ୱ ଦିଆଯାଉନଥିବା, ବିହନ ଉତ୍ପାଦନ କରୁଥିବା ଚାଷୀଙ୍କ ପ୍ରତି ହେୟଜ୍ଞାନ କରାଯାଇଥିବାରୁ ସେମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଏପରି ଚାଷୀମାନଙ୍କ ବିହନ ମଧ୍ୟରୁ ବାଲେଶ୍ୱର ବିହନ ନିଗମର ଏସ୍ପିଓ ଚନ୍ଦ୍ର ଶେଖର ପାଢୀ ଉକ୍ତ ମଂଜିରୁ ୧୦୦ଟି ନେଇ ଗଜା କରିଥିବା ବେଳେ ସେ ସବୁଥିରୁ ଅଙ୍କୁରୋଦଗମ ହୋଇଥିବା ଦେଖିବାକୁ ମିଳିଛି । କୃଷି ବିଭାଗର ପ୍ରମୁଖ ସଚିବ ଏଠାକାର ଚାଷୀ ପ୍ରତିନିଧିଙ୍କୁ ଆନ୍ଦୋଳନ ନକରିବାକୁ ପରାମର୍ଶ ଦେଇଥିବାରୁ ହେବାକୁଥିବା ଗତ ୧୧ ତାରିଖର ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା । କିନ୍ତୁ ସେମାନଙ୍କୁ ନ୍ୟାୟ ନ ମିଳିଲେ ଚାଷୀମାନେ ରାଜରାସ୍ତାକୁ ଉହ୍ଲାଇବାକୁ ବାଧ୍ୟ ହେବେବୋଲି ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ରାତିପାହିଲେ କୃଷିବିଭାଗର ରାଜ୍ୟସରକାରଙ୍କ କେତେକ ପଦସ୍ତ ଅଫିସର ବାଲେଶ୍ୱର ଆସି ଏ ସମସ୍ତ ବିଷରେ ତଦନ୍ତ କରିବେ । ଘଟଣାସ୍ଥଳକୁ ୨ଜଣ ଚାଷୀ ପ୍ରତିନିଧି ଡକାଯାଇଥିଲେ ମଧ୍ୟ ଉତ୍ପାଦନକାରୀ ଚାଷୀମାନେ କିପରି ସେମାନଙ୍କ ପ୍ରାପ୍ୟ ପାଇପାରିବେ ସେଥିନେଇ ଆଶା ଓ ଆକାଂକ୍ଷାରେ ଚାଷୀମାନେ ଅପେକ୍ଷା କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା