କୋର୍ଟ ସ୍ଥାନାନ୍ତର ନେଇ କ୍ରିୟାନୁଷ୍ଠାନ କମିଟିର ଜଳେଶ୍ୱର ବନ୍ଦ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରେଳବାଇ ଫ୍ଲାଇ ଓଭରବ୍ରିଜ୍ ନିର୍ମାଣରେ ଜଳେଶ୍ୱର କୋର୍ଟର କିଛି ଅଂଶ ଭଂଗା ଯାଉଥିବାରୁ ୬୦ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ରୋଡ୍କୁ ସମସ୍ତ କୋର୍ଟ ସ୍ଥାନାନ୍ତର ପ୍ରତିବାଦରେ ଜଳେଶ୍ୱରର କ୍ରିୟାନୁଷ୍ଠାନ କମିଟିର ପୂର୍ବସିଦ୍ଧାନ୍ତ ଅନୁଯାୟୀ ଆଜି ବନ୍ଦ ପାଳିତ ହୋଇଯାଇଛି । ସୂଚନା ଅନୁଯାୟୀ ଆନ୍ଦୋଳନକାରୀମାନେ ବଜାରର ବିଭିନ୍ନ ସ୍ଥାନରେ ପିକେଟିଂ ଓ ଦୋକାନ ବଜାର ବନ୍ଦ କରିବାକୁ ବ୍ୟବସାୟୀ, ଚାଷୀ ଓ ସାଧାରଣ ଲୋକଙ୍କୁ ନିବେଦନ କରିଥିଲେ । ଫଳରେ କାଁ ଭାଁ ଛାଡିଦେଲେ ଜଳେଶ୍ୱରର ଦୋକାନ ବଜାର ଓ ବ୍ୟବସାୟ ଅନୁଷ୍ଠାନ ବନ୍ଦ ଥିଲା । ଜଳେଶ୍ୱରର ସମସ୍ତ ବ୍ୟାଙ୍କ, ଡାକଘର, ପେଟ୍ରୋଲପମ୍ପ, ବୀମା ଅଫିସ୍, ବ୍ଲକ ଅଫିସ୍, ତହସିଲ ଅଫିସ୍, ମ୍ୟୁନିସିପାଲ୍ଟି କାର୍ଯ୍ୟାଳୟ ବନ୍ଦ ଥିଲା । ଏବେ ୧୦ମ ଶ୍ରେଣୀର ପରୀକ୍ଷା ଚାଲୁଥିବାରୁ ତାକୁ ବାଦ୍ ଦେଇ ଅନ୍ୟାନ୍ୟ ଶ୍ରେଣୀ ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ରହିଥିଲା । ଚନ୍ଦନେଶ୍ୱର-ବାଲେଶ୍ୱର, ଦୀଘା-ବାଲେଶ୍ୱର, ଭୋଗରାଇ-ବାଲେଶ୍ୱର-ବାରିପଦା ବସ୍ ଗୁଡିକ ଆଜି ସହର ବିତରକୁ ନ ପସି ବାଇପାସ୍ ଦେଇ ୬୦ନଂ ଜାତୀୟ ରାଜପଥ ରେ ଯାତାୟାତ କରିଥିଲା । ରେଳ ଚଳାଚଳ ସ୍ୱଭାବିକ ଥିବା ବେଳେ ଜଳେଶ୍ୱର କୋର୍ଟକାର୍ଯ୍ୟ ବିଶେଷ ବ୍ୟାହତ ହୋଇନଥିଲା । ଜଜ୍ମାନେ ସେମାନଙ୍କ କୋର୍ଟକାର୍ଯ୍ୟ ଚଳାଇ ରଖିଥିବା ବେଳେ ବାର୍ ଆସୋସିଏସନ୍ ପକ୍ଷରୁ ସମସ୍ତ ସହଯୋଗ ଜାରି ରଖିଥିଲେ । ଏହି ସମୟରେ ବିକ୍ଷେଭକାରୀମାନେ କୋର୍ଟ ବାହାରେ ନାରାବାଜି କରିଥିବା ବେଳେ ପୁଲିସ୍ ଘଟଣା ସ୍ଥଳରେ ମୁତୟନ ଥିଲେ । ଗତ ରାତିରେ ପୋଲିସ୍ କ୍ରିୟାନୁଷ୍ଠାନ କମିଟିର ଅନ୍ୟତମ ମୁଖ୍ୟ ଦିଲ୍ଲିପ କୁମାର ଗିରି, ଦୀପ୍ତିମାନ ଆଚାର୍ଯ୍ୟ, ସମୀର ପାତ୍ର, ପଲ୍ଟୁ ଦାସ, ସେକ୍ ସାଦ୍ଦିକ, ଗଣେଶ ଜେନା, ମଦନ ମାହାଲଙ୍କୁ ଥାନାରେ ଅଟକ ରଖିଥିଲେ । ଦ୍ୱିପ୍ରୟରରେ ଆଇନ୍ଜିବୀ ଜିତାଂଶୁ ନନ୍ଦୀ, ପ୍ରକାଶ ଦେ ପ୍ରମୁଖଙ୍କ ନେତୃତ୍ୱରେ ମହିଳାମାନେ କୋର୍ଟ ସମ୍ମୁଖରେ ଗିରଫଦାରୀର ନିନ୍ଦା ଏବଂ କୋର୍ଟ ସ୍ଥାନାନ୍ତରକୁ ବିରୋଧ କରି ବକ୍ତବ୍ୟ ରଖିଥିଲେ । ଅପରାହ୍ନରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆହୁତ ହୋଇଥିଲା । ଏଥିରେ ଜଳେଶ୍ୱର ବନ୍ଦକୁ ବ୍ୟବସାୟୀ, ଅଫିସର, ବ୍ୟାଙ୍କ କର୍ମଚାରୀ, ବସ୍ ଓ ଟ୍ରକ ମାଲିକମାନେ, ପେଟ୍ରୋଲପମ୍ପ ମାଲିକ ବନ୍ଦପାଳନରେ ପରୋକ୍ଷ କିମ୍ବା ପ୍ରତ୍ୟୋକ୍ଷଭାବେ ସମର୍ଥନ କରିଥିବାରୁ ସାଧୁବାଦ ଜଣାଯାଇଥିଲା । ସହର ମଧ୍ୟରୁ କୋର୍ଟ ସ୍ଥାନାନ୍ତରକୁ ସେମାନେ ବିରୋଧ କରି ଆନ୍ଦୋଳନ କରିଥିବା ଓ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରିବା ପ୍ରକାଶ କରିଥିଲେ । ଏ ସଂପର୍କରେ ଉଚ୍ଚ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେମାନେ ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଜିତାଂଶୁ ନନ୍ଦୀ, ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚନ୍ଦ, ଦିଲ୍ଲୀପ ଗିରି, ସିତାଂଶୁ ସେନାପତି, ସମୀର ପାତ୍ର, ଗଣେଶ ମାଇତି, ଲଳିତ କୁମାର ସେନାପତି, ପ୍ରକାଶ ଦେ, ଦେବଯାନୀ ଅଣ୍ଡିଆ, ମାମି ପଣ୍ଡା, ସବିତା ସାହୁ ଓ ରିତା ଭୋଇ, ସୁବ୍ରତ ବେରା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା