ଜମି କିଣା ବିକାରେ ଡିଡ୍ ରେଜିଷ୍ଟ୍ରେସନ୍ ପାଇଁ ସମ୍ପୂର୍ଣ ଦାୟୀ ରହିବେ ସାବରେଜିଷ୍ଟର ଅଫିସର …

ଦିଗପହଣ୍ଡିି (ସମୃଦ୍ଧ ଓଡିଶା) ଓଡିଶା ରାଜସ୍ୱ ବୋର୍ଡ ବିଭାଗୀୟ ଦପ୍ତଚରୁ ପ୍ରକାଶିତ ଏକ ବିଜ୍ଞପ୍ତିରୁ ଜଣାପଡିଛି ଯେ, କୌଣସି ଡିଡ୍ ରେଜିଷ୍ଟ୍ରେସନ୍ ହେଲେ ସେଥିପାଇଁ ଦାୟୀ ରହିବେ ସମ୍ପୃକ୍ତ କାର୍ଯ୍ୟାଳୟର ଆର୍.ଓ. ବା ରେଜିଷ୍ଟ୍ରେସନ୍ ଅଫିସର୍ (ପଞ୍ଜିକରଣ ଅଧିକାରୀ) । ଇନ୍ସପେକ୍ଟର ଅଫ୍ ଜେନେରାଲ୍ ଓଡିଶା ଆଇଏଏସ୍ ଅଫିସର୍ ପି.କେ.ସେନାପତି ଏହି ସର୍କୁଲାର୍ ଗତ ଜୁଲାଇ ୯ ତାରିଖରେ ପତ୍ରାଙ୍କ ୨୯୭୪ ପ୍ରକାରେ ସମସ୍ତ ପଞ୍ଜିକରଣ କାର୍ଯ୍ୟାଳୟକୁ ନିର୍ଦେଶ କରିଥିବା ଜଣାପଡିଛି । ନିୟମ ଉଲଂଘନ କରି ଯେ କୌଣସି ଡିଡ୍ ରେଜିଷ୍ଟ୍ରେସନ୍ ଜମିଜୁମା ସଂକ୍ରାନ୍ତୀୟ କ୍ରୟ ବିକ୍ରୟ ଘରବାରି ପଟ୍ଟା ପଞ୍ଜିକରଣ ଆଦି କରିଲେ ସେଥିପାଇଁ ବିଭାଗୀୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସମେତ ସମ୍ପୃକ୍ତ କାର୍ଯ୍ୟାଳୟର ରେଜିଷ୍ଟ୍ରେସନ୍ ଅଫିସର୍ ମୁଖ୍ୟତଃ ଉତ୍ତରଦାୟୀ ରହିବେ ଏବଂ ତାଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି । ପ୍ରକାଶ ଯେ, ରିଅଲ୍ ଇଷ୍ଟେଟ୍ ନିୟନ୍ତ୍ରଣ ଏବଂ ବିକାଶ ଆଇନ ପ୍ରକାରେ ନିୟମ ଉଲଂଘନ କରି କୌଣସି ପ୍ରକାର ଜମି ପଟା ପଞ୍ଜିକୃତ ନ କରିବା ପାଇଁ ସ୍ପଷ୍ଟ କରାଯାଇଛି । ଦିଗପହଣ୍ଡି ତହସିଲ ଅଞ୍ଚଳରେ ଅଣସ୍ୱୀକୃତି ପ୍ରାପ୍ତ ବିଶାଳ ପରିମାଣର ଜମି ସବୁ ସମ୍ପୃକ୍ତ ଅଞ୍ଚଳର ରେଜିଷ୍ଟ୍ରେସନ୍ ଅଫିସର୍ ମାନଙ୍କ ମାଧ୍ୟମରେ ବିଭାଗୀୟ କର୍ମଚାରୀ ମାନଙ୍କ ଜାଣତରେ ପଞ୍ଜିତ୍କତ ହେବା ସହ ସମସ୍ତ ପ୍ରକାର ବିକ୍ରୀବଟା ହେଉଥିବା କଟକ ସ୍ଥିତ ରେଭିନ୍ୟୁ ବୋର୍ଡ କାର୍ଯ୍ୟାଳୟକୁ ଅବଗତ କରିବାକୁ ସ୍ପଷ୍ଟୀକରଣ କରିଛନ୍ତି । ସେହିପରି ରିଅଲ୍ ଇଷ୍ଟେଟ୍ ନିୟନ୍ତ୍ରଣ ଓ ବିକାଶ ଆଇନ ୨୦୧୬, ଓଡିଶା ରିଅଲ୍ ଇଷ୍ଟେଟ୍ ନିନ୍ତ୍ରଣ ଓ ବିକାଶ ଅଧିନିୟମ ୨୦୧୭ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ ସର୍କୁଲାର୍ ନଂ ୨୭୧୨ ତାରିଖ ୧୭ ଜାନୁଆରୀ ୨୦୧୮ ଅନୁଯାୟୀ ଓଡିଶା ରିଅଲ୍ ଇଷ୍ଟେଟ୍ ରେଗୁଲେସନ୍ ଅଥରିଟି (ଓରେରା) ପତ୍ରାଙ୍କ ୨୫୦/୨୦୧୭ ଅନୁସାରେ ସମସ୍ତ ବିଷୟ ସ୍ପଷ୍ଟ କରିଦିଆଯାଇଥିବା ଜଣାଯାଇଛି । ସମସ୍ତ ନିୟମକୁ ଉଲଂଘନ କରି ତଥାପି ଜମି ଜୁମା ଦଲିଲ୍ ଆଦି ପଞ୍ଜିକୃତ କରାଯାଉଥିଲେ ସେସବୁର ବିଧିବଦ୍ଧ ତଦନ୍ତ କରାଯାଇ ତଦନୁଯାୟୀ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ନୋଟିସରୁ ଜାଣିବାକୁ ମିଳିଛି । ଏହି ନିର୍ଦ୍ଦେଶାନାମା ଗତ ଜୁଲାଇ ମାସ ଠାରୁ ଅଗଷ୍ଟ ମାସ ପ୍ରଥମ ସପ୍ତାହ ସୁଦ୍ଧା ଦିଗପହଣ୍ଡି ସ୍ଥିତ ସବ୍ରେଜିଷ୍ଟ୍ରେସନ୍ ଅଫିସ୍ କୁ ବାରମ୍ବାର ଚିଠି ହୋଇଥିଲେ ହେଁ ସମସ୍ତ ଆଇନକୁ ଉଲଂଘନ କରି ବିକ୍ରୀ ବଟା ଏବଂ ସମସ୍ତ ପ୍ରକାର ପଞ୍ଜିକୃତ ହେଉଥିବାର ଉଲଂଘନ ହେଉଥିବା ଅଭିଯୋଗ ହୋଇଛି । ବିଭାଗୀୟ ସ୍ତରରେ ବିଧିବଦ୍ଧ ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି । ସୂଚନାଯୋଗ୍ୟ ଯେ, କୌଣସି ବିଶାଳ ପରିମାଣର ଜମିକୁ ବିଭାଜନ କରି ପ୍ଲଟ ଆକାରରେ ଜମି ବିକ୍ରେତା ପ୍ଲଟ ବିକ୍ରୀ କରିପାରିବେ ନାହିଁ । ଯଦିଓ ବିକ୍ରୀ କରୁଛନ୍ତି ଉକ୍ତ ଜମିର ପଟା ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟରେ ରେଜିଷ୍ଠ୍ରେସନ୍ ହେଲେ ମଧ୍ୟ ଘରବାରି ପଟା ପ୍ରଦାନ କରାଯିବ ନାହିଁ । ତେବେ କୌଣସି ମତେ ରେଜିଷ୍ଟ୍ରେସନ୍ ହେଲେ ତାହା ଆଇନକୁ ଉଲଂଘନ କରୁଛି ବୋଲି ଜାଣିବାକୁ ମିଳିଛି । ସେହିପରି ପ୍ଲଟ ବିକ୍ରେତା ଆର୍ ଆଣ୍ଡ୍ ବି (ପୂର୍ତ୍ତ ବିଭାଗ କୋଠା ବାଡି)ରୁ ବିଲ୍ଡର୍ ଲାଇସେନ୍ସ ଆଣି ବିଲ୍ଡିଂ ନିର୍ମାଣ କରି କ୍ରେତା ମାନଙ୍କୁ ଘରବାରି ପଟା ପ୍ରସ୍ତୁତ କରି ବିକ୍ରୀ କରିବାକୁ ନିୟମ ରହିଛି । ହେଲେ ଦିଗପହଣ୍ଡି ତହସିଲ ଅଞ୍ଚଳରେ ସେସବୁର ଉଲଂଘନ ହେଉଥିବା ବେଳେ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଜମି ବିକ୍ରୀ ବଟା ଏବଂ ରେଜିଷ୍ଟ୍ରେସନ୍ ଆଦି ଚାଲୁ ରହିଥିବା ଜାଣିବାକୁ ମିଳିଛି । ବଡଧରଣର ଜମିକୁ ଭାଗ ଭାଗ କରି ପ୍ଲଟ୍ ସୂତ୍ରରେ ବିକ୍ରୀ କରିବାକୁ ହେଲେ ସମ୍ପୃକ୍ତ ଜମି ମାଲିକ କାରଣ ଦର୍ଶାଅ ରିପୋର୍ଟ ଲେଖି ଦାଖଲ କରିବା ପରେ ଉକ୍ତ ବିଶାଳ ଜମିକୁ ହିଁ ବିକ୍ରୀ କରିପାରିବେ ସିନା ତାହାକୁ ପ୍ଲଟ୍ ଆକାରରେ ବିକ୍ରୀ କରିପାରିବେ ନାହିଁ । ସେହିପରି ସରକାରୀ ସ୍ତରରେ ଜମି ଗୁଡିକର ଦର ଅଲଗା ରହୁଥିବା ବେଳେ ପ୍ଲଟ୍ ସୂତ୍ରରେ ବିକ୍ରୀ କରାଯାଉଥିବା ଜମି ଗୁଡିକର ଦର ଆକାଶ ଛୁଆଁ ରହୁଥିବା ଜଣାଯାଇଛି । ଦିଗପହଣ୍ଡି ତହସିଲ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ହୋଇଥିବା ପ୍ଲଟ୍ ଗୁଡିକର ଦର ଏବେ ହାତ ୬୦ ହଜାରରୁ ଆରମ୍ଭ କରି ୩ ଲକ୍ଷ ଟଙ୍କା ଯାଏଁ ରହିଛି । ସେହିପରି ମୁଖ୍ୟ ରାସ୍ତା ପାଶ୍ୱର୍ରେ ରହୁଥିବା ପ୍ଲଟ୍ ଗୁଡିକର ଦର ନକହିଲେ ଭଲ । ଏକଦା ଚାଷ ଜମି ରହୁଥିବା ସମସ୍ତ ଜମି ଗୁଡିକରେ ଏବେ ପ୍ଲଟ୍ ହୋଇ କଂକ୍ରିଟ୍ ଜଙ୍ଗଲ ସୃଷ୍ଟି ହୋଇଯାଇଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ଦିଗପହଣ୍ଡି ତହସିଲ ଅଞ୍ଚଳରେ ଚାଷୋପଯୋଗୀ ଜମି ସଂଖ୍ୟା ହ୍ରାସ ପାଇଥିବା ଜାମିବାକୁ ମିଳିଛି । ଧାନ ଚାଷ ହେଉଥିବା ଜମି ଗୁଡିକ ଏବେ ପ୍ଲଟ୍ ହୋଇ ପଡିଆ ରହିଥିବା ବେଳେ ଉକ୍ତ ଜମି ଗୁଡିକର ବିକ୍ରୀ ବଚାକୁ ନେଇ ମଧ୍ୟ ଏବେ ସନ୍ଦୀହାନ ସୃଷ୍ଟି ହୋଇଛି । ସମ୍ପ୍ରତ୍ତି ଦିଗପହଣ୍ଡିରେ ଏକ ସବ୍ ଜଜ୍ କୋର୍ଟ ସ୍ଥାପିତ ହେବାକୁ ଯାଉଛି । ବେଆଇନ ଭାବେ ଜମି ଗୁଡିକ ବିକ୍ରୀ ବଟା ଏବଂ ପ୍ଲଟ ଆଦି ଗଡି ସୃଷ୍ଟି ହେଉଥିବା ବେଳେ ଜମି ଗୁଡିକର ମୂଳ ମାଲିକମାନେ ଏବେ ମୁଣ୍ଡରେ ହାତ ଦେଇ ବସିଥିବା ପ୍ରାୟ ସୃଷ୍ଟି ହୋଇଛି । ରେଜିଷ୍ଟ୍ରେସନ୍ ପରେ ପ୍ରକୃତ ପ୍ରାପ୍ୟ ନପାଇ ହତୋତ୍ସାହ ହୋଇ କିମ୍ବା ସମ୍ପତ୍ତିକୁ ଆଧାର କରି ପାରିବାରିକ କଳହ ଅଶାନ୍ତି ମାନ ଦିନକୁ ଦିନ ବଢିଚାଲିଛି । ଦିଗପହଣ୍ଡି ଥାନାରେ ସମ୍ପୃତ୍ତିକୁ କେନ୍ଦ୍ର କରି ଏବଂ ବିକ୍ରୀବଟାକୁ କେନ୍ଦ୍ର କରି ୩୦ରୁ ଉଦ୍ଧ୍ୱର୍ ହିଂସା ମାନ ଘଟିଥିବା ଜାଣିବାକୁ ମିଳିଛି । ବିଶାଳ ଜମି ଗୁଡିକ ବିଭାଜନ କରିବା ପାଇଁ ସମ୍ପୃକ୍ତ ଜମି ଗୁଡିକର ମାଲିକାନା ସତ୍ତ୍ୱ ରହିଥିବା ଅଂଶଧାରୀ ମାନଙ୍କୁ ସମ୍ପତ୍ତି ବଣ୍ଟୁଆର କରିବାର ଟାପ ପକାଯାଉଥିବା ଜାଣିବାକୁ ମିଳିଛି । ଏଥିପାଇଁ ପାରିବାରିକ ଅଶାନ୍ତି ଏବଂ ବିଭିନ୍ନ ପ୍ରକାର କେସ୍ ଆଉ କାଉଣ୍ଟର୍ କେସ୍ ମାମଲା ମାନ ମଧ୍ୟ ଦିଗପହଣ୍ଡି ଥାନାରେ ବୃଦ୍ଧି ପାଉଥିବା ଜାଣିବାକୁ ମିଳିଛି । ଅନ୍ୟପକ୍ଷରେ ଭାଇ ଭାଗ ସମ୍ପତ୍ତି ବଣ୍ଟୁଆରର ଆଳ ଦେଖାଯାଇ ମଧ୍ୟ ଜମି ଜୁମା ସବୁ ରେଜିଷ୍ଟ୍ରେସନ୍ କରାଯାଉଥିବା ନେଇ ସାଧାରଣରେ ନାନା ସମାଲୋଚନା ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆକସ୍ମିକ ପରିଦର୍ଶନରେ ଆସି ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା