ଛାତ୍ର ସଂସଦ ନିର୍ବାଚନ ହିଞ୍ଜିଳିକାଟୁରେ ସଭାପତି ପଦ ପାଇଁ ୫ ପ୍ରଦିଦ୍ୱନ୍ଦୀ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ  ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ ମାହୋଲ ସରଗରମ ହୋଇ ଉଠିଛି । ଗୁରୁବାର ଶାନ୍ତି ଶୃଙ୍ଖଳାର ସହିତ ନାମାଙ୍କନ ପ୍ରକ୍ରିୟା ସମାପ୍ତ ହେବା ପରେ କାଲି ନାମାଙ୍କନ  ପତ୍ର ଯାଂଚ କରାଯାଇଥିବା ବେଳେ ଶୁକ୍ରବାର ପ୍ରାର୍ଥୀ ମାନଙ୍କର ଅନ୍ୟାନ୍ୟ ଆନୁସଙ୍ଗିକ  ସ୍ଥିତି ଯାଂଚ କରି ସନ୍ଧ୍ୟାରେ ବିଧିବଦ୍ଧ ଭାବେ ବିଭିନ୍ନ ପଦ ପଦବି ପାଇଁ ପ୍ରତିଦ୍ୱନ୍ଦୀ ମାନଙ୍କ ନାମ ମହାବିଦ୍ୟାଳୟ କତୃପକ୍ଷ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସଭାପତି ପଦ ପାଇଁ ୫ଜଣ, ଛାତ୍ର ସଂସଦ ସମ୍ପାଦକ  ପଦବି ପାଇଁ ୨ଜଣ, କ୍ରୀଡ଼ା ବିଭାଗ ସମ୍ପାଦକ ପାଇଁ ୩ଜଣ, ନାଟ୍ୟ ବିଭାଗ ସମ୍ପାଦକ ପାଇଁ ୩ଜଣ, ଓଡ଼ିଆ ସାହିତ୍ୟ ସମାଜ ପାଇଁ ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଉପସଭାପତି ଭାବେ ପ୍ରସାଦ ମହାରଣା, ଛାତ୍ର କମନରୁମ ସମ୍ପାଦକ ଭାବେ ଅବିନାଶ ସାହୁ, ବାଣିଜ୍ୟ ସଂଘ ସମ୍ପାଦକ ଭାବେ ସିଏଚ ବାଳକୃଷ୍ଣ ପାତ୍ର ଏବଂ ବିଜ୍ଞାନ ସଂଘ ସମ୍ପାଦକ ଭାବେ ଲିଜାରାଣୀ ଚୌଧୁରୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଏମ୍. କ୍ରିଷ୍ଣା ରାଓ ସୂଚନା ଦେଇଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ ଲକ୍ଷ୍ୟରେ ରଖି ପୁଲିସ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ  ରାଜନୈତିକ ପାଣିପାଗରେ ମଧ୍ୟ ଉଷ୍ମତା ଲକ୍ଷ୍ୟ କରାଯାଉଛି ।