ଛତ୍ରପୁର ପୋଲିସ ଏସଡିପିଓ ଓ ଆଇଆଇସି କରୋନା ଆକ୍ରାନ୍ତ…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢୁଛି । ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୨୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୦ ଜଣ ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୦ ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଦୁଇ ପୋଲିସ ସଂକ୍ରମିତ ହୋଇଛନ୍ତି । ଗଞ୍ଜାମ ପୋଲିସ ଜିଲ୍ଲାର ଦୁଇ ଜଣ ପୋଲିସ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଛତ୍ରପୁର ଏସଡିପିଓ ଏବଂ ଛତ୍ରପୁର ଥାନା ଅଧିକାରୀ ଉଭୟ କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ଏ ନେଇ ଟ୍ବିଟ୍ ଯୋଗେ ଗଞ୍ଜାମ ଏସପି ବ୍ରିଜେଶ୍ ରାଏ ସୂଚନା ପ୍ରଦାନ କରିଛନ୍ତି । ସଂକ୍ରମିତ ଅଧିକାରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଏସପି । ୨୦ ସଂକ୍ରମିତଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଏପର୍ଯ୍ୟନ୍ତ ୫ ଜଣ ପ୍ରାଣ ହରାଇ ସାରିଲେଣି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୭୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨୩୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୪୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୦ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା