ଛତ୍ରପୁର ଓକିଲ ସଂଘ ପକ୍ଷରୁ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ଦାବି…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପକଣ୍ଠ ମାଟିଖାଲ ସ୍ଥିତ ଆଇଆରଇ କମ୍ପାନୀର ମୃତ ଶ୍ରମିକଙ୍କ ହିତାଧିକାରୀଙ୍କୁ ନିଯୁକ୍ତି ଦାବି ସହ ପରିବାରବର୍ଗକୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ଛତ୍ରପୁର ଓକିଲ ସଂଘ ପକ୍ଷରୁ ଦାବି ଜୋର ଧରିଛି । ସୂଚନା ଯେ, ଆଇଆରଇ କମ୍ପାନୀରେ କାର୍ଯ୍ୟରତ ଥିବା ସମୟରେ ମୃତ ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ କମ୍ପାନୀ ପରିସରରେ ନିଯୁକ୍ତି ନେଇ ବହୁବାର ମୃତ ଶ୍ରମିକଙ୍କ ପରିବାରବର୍ଗ ଆନ୍ଦୋଳନ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ଉଚିତ୍ ନ୍ୟାୟ ମିଳିନାହିଁ ବୋଲି ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏ.ତୋଟାପଲ୍ଲୀ ସ୍ଥିତ ମା’ ବ୍ୟାଘ୍ରଦେବୀ ମନ୍ଦିର ପରିସରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତୀୟ ମଜଦୁର ସଂଘ ଗଞ୍ଜାମ ଜିଲ୍ଲା ଶାଖାର କୋଷାଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ପୌରହିତ୍ୟରେ ବୈଠକରେ ଆଇଆରଇ କମ୍ପାନୀର ମୃତ ଶ୍ରମିକଙ୍କ ପରିବାରବର୍ଗ ପକ୍ଷରୁ ଛତ୍ରପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଉପସଭାପତି ଡମିନାଥ ସାହୁ, ଲାଇବ୍ରେରୀ ଓ ସେମିନାର ସଂପାଦକ ସୁରେଶ କୁମାର ପଟ୍ଟନାୟକ, ପୂର୍ବତନ ଓକିଲ ସଂଘର ସଭାପତି ରାମଚନ୍ଦ୍ର ବେହେରା, ଆଇନଜୀବୀ ଗଙ୍ଗାଧର ପଣ୍ଡା ଓ ଶିବ ପ୍ରସାଦ ସାହୁ ପ୍ରମୂଖ ଉପସ୍ଥିତ ମୃତ ଶ୍ରମିକଙ୍କ ଦାବି ସଂକ୍ରାନ୍ତରେ ପୂର୍ବରୁ ଥିବା ଦାବି ନେଇ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମୃତ ଶ୍ରମିକଙ୍କ ହିତାଧିକାରୀଙ୍କୁ କମ୍ପାନୀରେ ନିଯୁକ୍ତି ଓ ନ୍ୟାୟ ପ୍ରଦାନ ସକାଶେ ସଂଗ୍ରାମ ଜାରି ରହିବ ବୋଲି ଛତ୍ରପୁର ଓକିଲ ସଂଘର ସଭାପତି ଶ୍ରୀ ପାଢୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅବନୀକାନ୍ତ ସାହୁ, ନୃସିଂହ ଗୌଡ, ତପନ କୁମାର ପାତ୍ର, ଗଜେନ୍ଦ୍ର ନାୟକ, ଆଶିଷ ମହାପାତ୍ର, ସୋନୁ ଜାନି, ସୁଶାନ୍ତ ନାୟକ, ରଂଜିତ ବେହେରାଙ୍କ ସମେତ ବହୁ ମୃତ ସଦସ୍ୟଙ୍କ ପରିବାର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା