ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତିମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ବାରା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ । ଆଉଟସୋରସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ବ୍ୟକ୍ତିମାନଙ୍କର ଇ.ପି.ଏଫ ଓ ଇ.ଏସ୍‌.ଆଇ ପରି ବୈଧାନିକ ଦେୟ ସଂପୃକ୍ତ ସଂସ୍ଥା ପୈଠ କରିବେ । ସେମାନେ କାମ କରୁଥିବା ବିଭାଗର କର୍ତ୍ତୃପକ୍ଷ ଏହା ସୁନିଶ୍ଚିତ କରିବେ । ଉପରୋକ୍ତ ବୈଧାନିକ ଦେୟ ପୈଠ କରିବାରେ ହେଳା କରୁଥିବା ସଂସ୍ଥା ଗୁଡିକ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେମାନଙ୍କୁ ବର୍ଷକୁ ସର୍ବାଧିକ ୧୨ଦିନ ଛୁଟି ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ମାତୃତ୍ବ ଛୁଟି ପ୍ରଦାନ ବିଷୟ ବିଚାର କରି ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିବା ଜଣାଯାଇଛି ।