ଚମାଖଣ୍ଡି ଥାନା ଆଗରେ ମହିଳାଙ୍କ ଶବକୁ ରଖି ନ୍ୟାୟ ପାଇଁ ବିକ୍ଷୋଭ କଲେ ଲୋକେ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧିନସ୍ଥ ଆଗ୍ରାହାରାମ ସାହିର ଜଣେ ମହିଳାଙ୍କ ରବିବାର ରାତିରେ ମୃତ୍ୟୁକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଠି ହୋଇଥିଲା । ଏହି ଘଟଣାକୁ ନେଇ ଉତ୍ୟକ୍ତ ଜନସାଧାରଣ ମୃତ ମହିଳାଙ୍କ ଶବକୁ ନେଇ ଚମାଖଣ୍ଡି ଥାନା ଆଗରେ ରଖି ନ୍ୟାୟପାଇଁ ବିକ୍ଷୋଭ କରିଥିଲେ । ଫଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ମହିଳାଙ୍କ ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।ପୋଲିସ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଚମାଖଣ୍ଡି ଥାନା ସମ୍ମୁଖରେ ଶବକୁ ରଖି ଗତକାଲି ପରିସ୍ତିତିକୁ ଅଣାୟତ୍ତ କରିଥିଲେ । ଛତ୍ରପୁରର ଆଗ୍ରାହାରାମ ସାହିର ମମତା ରାଉଳ(38) ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ରବିବାର ରାତିରେ ଆଇଆରଇ କଲୋନୀ-ପ୍ଲାଣ୍ଟ ମଝି ରାସ୍ତାରେ ମମତା ମୁର୍ମୁଷ ଅବସ୍ଥାରେ ପଡିଥିବା ବେଳେ ପାଖରେ  ଦ୍ଵିତୀୟ ବିବାହିତ ସ୍ୱାମୀ ଦେବୀଦତ୍ତ ପ୍ରଧାନ ଥିଲେ । ସଂନ୍ଧ୍ୟା ୭ ଟା ବେଳେ ଏହି ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତିଙ୍କ ସହାୟତାରେ ଦେବୀଦତ୍ତ ସେହି ମୁମୂର୍ଷ ଅବସ୍ଥାରେ ପଡିଥିବା ମମତାଙ୍କୁ ଛତ୍ରପୁର ଡାକ୍ତରଖାନାକୁ ଆଣିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ମମତାଙ୍କୁ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମମତାଙ୍କ ମୃତ୍ୟୁ ହୋଇଥିଲା । ତେବେ ମମତାଙ୍କ ମୃତ୍ୟୁ ପରେ ମେଡ଼ିକାଲରୁ ଦେବୀଦତ୍ତ ଫେରାର ହୋଇଯାଇଥିବା ମୃତକଙ୍କ ପୁଅ ମଳୟ ଥାନାରେ ଅଭିଯୋଗ କରିଥିଲେ । ମମତାଙ୍କ ସ୍ୱାମୀ ବିଜୟ ରାଉଳଙ୍କ ମୃତ୍ୟୁ ପରେ ଦେବୀଦତ୍ତଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ ବୋଲି ପୁତ୍ର ମଳୟ କହିଛନ୍ତି । ବିବାହ ପରେ କୈାଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିବା ନେଇ ପୂର୍ବରୁ ଛତ୍ରପୁର ଥାନାରେ ଅଭିଯୋଗ ମଧ୍ୟ କରାଯାଇଥିଲା ବୋଲି ସେ ସୂଚନା ଦେବା ସହିତ ଏହା ଦୁର୍ଘଟଣା ନୁହେଁ ହତ୍ୟା ବୋଲି ମଳୟ ଏତଲାରେ ଦର୍ଶାଇଛନ୍ତି । ଏହାକୁ ଭିତ୍ତି କରି ଚମାଖଣ୍ଡି ପୁଲିସ ପକ୍ଷରୁ କେଶ୍‍ ନଂ-୧୧୬/୧୮ ଅନୁସାରେ ଆଇପିସି ୩୦୨, ୫୦୭, ୩୪ ଓ ୧୨୦ (ବି)ରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା କହିଛନ୍ତି । ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ପୁଲିସ କହିଛି । ଗତକାଲି ବ୍ରହ୍ମପୁର ବଡ ମେଡିକାଲରେ ମମତାଙ୍କ ଶବ ବ୍ୟବଛେଦ ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ପରିବାର ବର୍ଗ ଅପରାହ୍ନରେ ଶବକୁ ନିଜ ଘରକୁ ନନେଇ ଚମାଖଣ୍ଡି ଥାନା ସମ୍ମୁଖରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦେବଦତ୍ତ ଓରଫ ମଣ୍ଟୁକୁ ତୁରନ୍ତ ଗିରଫ ଦାବି କରି ପରିବାରବର୍ଗ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଚମାଖଣ୍ଡି ଥାନା ଆଇଆଇସି ଓ ଛତ୍ରପୁର ଆଇଆଇସି ପ୍ରିୟଶ ରଂଜନ ଛୋଟରାୟ ପରିବାର ବର୍ଗଙ୍କୁ ବୁଝାଶୁଝା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶୃତି ଦେବାପରେ ସେମାନେ ବିକ୍ଷୋଭରୁ ହଟିଥିଲେ । ଦେବଦତ୍ତକୁ ଓ ମୁର୍ମୁଷ ଅବସ୍ଥାରେ ପଡିଥିବା ମହିଳାଙ୍କୁ  ଛତ୍ରପୁର ଡାକ୍ତରଖାନାକୁ ଆଣିଥିବା ଗାଡିକୁ ଛତ୍ରପୁର ପୁଲିସ ଜବତ କରିଛି ।ତଦନ୍ତ ଚାଲୁ ରହିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା