ଗ୍ୟାସ ସିଲିଣ୍ଡର ଫାଟି ମହିଳା ଶ୍ରମିକ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ପଶ୍ଚିମବାର୍ଡ-ବାଇଗଣବାଡିଆ-ବାଲିଆପାଳ ରାସ୍ତା କଂକ୍ରିଟ କାର୍ଯ୍ୟରେ ନିୟୋଜିତ ମହିଳା ଶ୍ରମିକ ଗ୍ୟାସ ସିଲିଣ୍ଡର ନିଆରେ ପୋଡି ଗୁରୁତର ହୋଇଛି । ତାଙ୍କୁ ଜିକେଭଟ୍ଟର ହସ୍‌ପିଟାଲକୁ ଅଣାଯାଇଥିବା ବେଳେ ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାରୁ ପ୍ରକାଶ ପଶ୍ଚିମବାର୍ଡ-ବାଇଗଣବାଡିଆ-ବାଲିଆପାଳ ରାସ୍ତା କଂକ୍ରିଟ ହେଉଥିବା ବେଳେ ସେଥିରେ ନିୟୋଜିତ ୧୨ଜଣ ଶ୍ରମିକ ମିକ୍ସଚର ମେସିନ୍ କାର୍ଯ୍ୟ କରୁଥିଲେ । ଗତକାଲି ସଂଧ୍ୟାରେ ଜଣେ ମହିଳା ଶ୍ରମିକ ମାଳତୀ ସିଂ(୨୬) ଅନ୍ୟ ଶ୍ରମିକ ମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ହଠାତ୍ ଗ୍ୟାସ ସିଲିଣ୍ଡ ଫାଟି ଦେହରେ ନିଆଁ ଲାଗିଯାଇଥିଲା । ସେଠାରେ ଉପସ୍ଥିତ ଥିବା ଶ୍ରମିକ ଓ ମିକ୍ସଚର ମେସିନ୍ ଅପରେଟର ପ୍ରାଥମିକ ଚିକିତ୍ସା କରାଇଥିଲେ । ପରିସ୍ଥିତି ଉଦ୍‌ବେଗ ହେବାରୁ ପିଡିତାକୁ ଆଜି ଜିକେ ଭଟ୍ଟର ହସ୍‌ପିଟାଲକୁ ୧୦୮ ଯୋଗେ ତାର ସ୍ୱାମୀ ତୁଫନ ସିଂ ଆଣିଥିଲେ । ତାର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ସେ ଜଣେ ଗରିବ ଖଟିଖିଆ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ରାଜେନ୍ଦ୍ର ପାତ୍ର, ହେମନ୍ତ ଜେନା, ହରିଶ ଭ୍ରୂୟାଁ, ତପିନି ଭୂୟାଁ, ମାନସ ଧଳ, ଜଗନ୍ନାଥ ପରିଡା ପ୍ରମୁଖ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା