ଗ୍ରୀନ ଜୋନରେ ବସ୍ ଚଳାଇବନି ଘରୋଇ ବସ୍ ମାଲିକ ସଂଘ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣ ଆଧାରରେ ଚିହ୍ନଟ ହୋଇଥିବା ଗ୍ରୀନ ଜୋନରେ ବସ ଚଳାଚଳ ପାଇଁ ଅନୁମତି ମିଳିଛି । କିନ୍ତୁ ବସ ଚାଲିବନି । ସରକାରଙ୍କ ଗାଇଡଲାଇନ୍ ଓ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ନୁହଁ ବୋଲି ଘରୋଇ ବସ୍ ମାଲିକ ସଂଘ କହିଛି । ରବିବାର ରାଜ୍ୟ ଘରୋଇ ବସ ମାଲିକ ସଂଘର ଏକ ବୈଠକ ବସିଥିଲା । ଏଥିରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ । ସେ କହିଛନ୍ତି ଗ୍ରୀନ ଜୋନ ଓ ଅରେଞ୍ଜ ଜୋନ ମଧ୍ୟରେ ରେଡ ଜୋନ ଜିଲ୍ଲା ଆସୁଛି । ତେଣୁ ବସ ଚାଲିପାରିବ ନାହିଁ । ସେହିପରି ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ‌ସରକାରଙ୍କ ନୂଆ ନିୟମ ଅନୁସାରେ ବସ୍‌ ରୁଟ୍‌ ଚଳାଚଳ ନେଇ ସମସ୍ୟା ସୃଷ୍ଟି ହେବ । ୫୦ ସିଟ୍‌ ବିଶିଷ୍ଟ ଗୋଟିଏ ବସ୍‌ରେ ୨୫ଜଣ ଯାତ୍ରୀଙ୍କୁ ନେବାର ନିୟମ ରହିଛି । ତେବେ ଯେଉଁ ରୁଟ୍‌ରେ ବସ୍‌ଟି ଯିବ ସେସବୁ ଅଞ୍ଚଳରେ ଅପେକ୍ଷାରତ ଯାତ୍ରୀମାନେ ବସ୍‌‌ରେ ଯିବା ପାଇଁ ଚାହିଁବେ । ଏହାକୁ ବିରୋଧ କଲେ ସେଠାରେ ଗଣ୍ଡଗୋଳ ସୃଷ୍ଟି ହେବାର ଆଶଙ୍କା ରହିଛି । ସ୍ଥାନୀୟ ଲୋକଙ୍କ ଚାପରେ ଅଧିକ ସଂଖ୍ୟାରେ ଯାତ୍ରୀ ଆଣିଲେ ଚେକିଂ ସମୟରେ ଧରାପଡ଼ିବା ସହିତ ଜରିମାନା ଭରିବାକୁ ହେବ । ସରକାରୀ ନିୟମ ଅନୁଯାୟୀ ବସ ଚଳାଇଲେ ତେଲ ଖର୍ଚ୍ଚ ଉଠିବନି ବୋଲି କହିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର