ଗୋପାଳପୁର ବେଳାଭୂମିରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳିତ…

ଗୋପାଳପୁର (ସମୃଦ୍ଧ ଓଡିଶା) ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ଅବସରରେ ଆଜି ଏକାଡେମୀଅଫଟେକ୍କୋକ୍ରାଫଟ… ବ୍ରହ୍ମପୁର, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏବଂ ଜାତୀୟ ସାଗର ତଟ ଗବେଷଣା କେନ୍ଦ୍ର ଚେନ୍ନାଇ ଆନୁକୂଲ୍ୟରେ ଗୋପାଳପୁର ବେଳାଭୂମିରେ ଏହି ଦିବସଟିକୁ ପାଳନ କରାଯାଇଛି । ସକାଳ ୮ ଘଣ୍ଟା ସମୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ପ୍ରଫେସର ତଥା ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ପୈରୋହିତ୍ୟରେ ବେଳାଭୂମିରେ ଏକ ସଚେତନତା ମୂଳକ ସଭାର ଆୟୋଜନ କରାଯାଇଥାଲା । ଏଥିରେ ଅତିଥି ଭାବରେ ବ୍ରହ୍ମପୁରର ବିଧାୟକ ବ୍ରିକ୍ରମ ପଣ୍ଡା, ବ୍ରହ୍ମପୁରର ଉପଜିଲ୍ଲାପାଳ ଭି. କୀର୍ତ୍ତିଭାସନ, ଏକାଡେମୀ ଅଫଟେକ୍କୋକ୍ରାଫଟ, ବ୍ରହ୍ମପୁରର ନିର୍ଦେଶକ ଡ଼ ଦୀପକ କୁମାର ଦାଶ, ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହ ଅଧିକାରୀ, ଜାତୀୟ ପାଣିପାଗ ବିଭାଗ ବ୍ରହ୍ମପୁରର ଅଧିକାରୀ, ଗୋପାଳପୁର ବନ୍ଦରର କର୍ମକର୍ତ୍ତା, ଭାରତୀୟ ପ୍ରାଣୀବିଜ୍ଞାନ ସର୍ବେକ୍ଷଣ ବ୍ରହ୍ମପୁରର କର୍ମକର୍ତ୍ତା, ଗୋପାଳପୁର ବତୀଘରର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଏ କେ ଦାସ, ଜିଲ୍ଲାପରିଷଦ ସଦସ୍ୟ ମିଲୁ ମହାନ୍ତି ଆଦି ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ସମାଜକୁ ସଚେତନତାର ବାର୍ତା ଦେବା ସହିତ ସାଧାରଣ ଜନତାଙ୍କୁ ଦିବସଟିର ଗୁରୁତ୍ଵ ସମ୍ପର୍କରେ ଅବଗତ କରାଇଥିଲେ । ପ୍ରାରମ୍ଭରୁ ପ୍ରଫେସର ମହାନ୍ତି ବୈଜ୍ଞାନିକ ତଥ୍ୟ ଆଧାରରେ ସମୁଦ୍ର ଜଳ ଓ ସାମୁଦ୍ରିକ ଜୀବ ବିଭିନ୍ନ ବର୍ଜ୍ୟବସ୍ତୁ ବିଶେଷତଃ ପ୍ଳାଷ୍ଟିକଦ୍ଵାରା କିପରି ଦୂଷିତ ହୋଇ ମାନବ ସମାଜ ପାଇଁ ସଙ୍କଟର କାରଣ ସାଜିଲେଣି ସେ ସମ୍ପର୍କରେ କିଞ୍ଚିତ ଆଲୋଚନା କରିଥିଲେ । ଏଥିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ ଏକାଡେମୀ ଅଫଟେକ୍କୋକ୍ରାଫଟ ଶତାଧିକ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ, ଛାତ୍ର ଛାତ୍ରୀ, ମତ୍ସ୍ୟଜୀବୀ ଯୋଗ ଦେଇଥିଲେ । ସଚେତନତାର ପ୍ରଚାର ନିମନ୍ତେ ବେଳାଭୂମିରେ ଏକ ଶୋଭାଯାତ୍ରା ପ୍ରଦକ୍ଷିଣ କରିଥିଲା । ଶେଷରେ ଅତିଥି, ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ର-ଛାତ୍ରୀ ଗୋପାଳପୁର ବେଳାଭୂମିରେ ସଫେଇ କାର୍ଯ୍ୟ କରିବା ସହିତ ବର୍ଜ୍ୟବସ୍ତୁକୁ ସଂଗ୍ରହ କରିଥିଲେ । ଉକ୍ତ ସଂଗୃହିତ ବର୍ଜ୍ୟବସ୍ତୁ ଗୁଡ଼ିକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ପରୀକ୍ଷାଗାରକୁ ଅଣାଯାଇ ନାନାଦି ପରୀକ୍ଷା ନିରୀକ୍ଷା କରାଯାଇଥାଲା । ବେଳାଭୂମିର ୧୩୯୩୪.୮ ବର୍ଗମିଟରୁ ସମୁଦାୟ ୬୭.୧ କିଲୋଗ୍ରାମ ବର୍ଜ୍ୟବସ୍ତୁ ସଂଗୃହିତ ହୋଇଥିଲା । ସେଗୁଡିକୁ ୮ ଗୋଟି ବର୍ଗରେ ବିଭକ୍ତ କରାଯାଇ ଦେଖାଗଲା ଯେ ଗୋପାଳପୁର ବେଳାଭୂମିର ୧ ବର୍ଗ ମିଟରରେ ୪.୮୨ ଗ୍ରାମ ପରିମାଣର ବର୍ଜ୍ୟବସ୍ତୁ ଦ୍ୱାରା ପ୍ରଦୂଷିତ ହେଉଅଛି । ବର୍ଜ୍ୟବସ୍ତୁ ଗୁଡିକୁ ବିଶ୍ଳେଷଣ କରାଯାଇ ଦେଖାଗଲା ଯେ ଏହା ବିଭିନ୍ନ ପ୍ରକାରର ଓ ବିଭିନ୍ନ ଓଜନ ବିଶିଷ୍ଟ, ଯେପରି (୧) ପ୍ଲାଷ୍ଟିକ ୨୦ ପ୍ରକାରର – ୯୪୫ ଖଣ୍ଡ – ୨୫.୪୨ କି.ଗ୍ରା ବିଶିଷ୍ଟ, (୨) କାଚ ୪ ପ୍ରକାରର – ୧୦୨ ଖଣ୍ଡ – ୨୫.୯ କିଗ୍ରା ବିଶିଷ୍ଟ, (୩) ଫୋମ – ୧୨୬ ଖଣ୍ଡ -୦.୬୧ କିଗ୍ରା ବିଶିଷ୍ଟ (୪) ଧାତବ ପଦାର୍ଥ – ୧୧ ଖଣ୍ଡ -୦.୩୪ କିଗ୍ରା ବିଶିଷ୍ଟ, (୫) କାଗଜ ୩ ପ୍ରକାରର – ୩୮୫ ଖଣ୍ଡ – ୧.୭ କିଗ୍ରା ବିଶିଷ୍ଟ (୬) କନା ୨ ପ୍ରକାରର -୧୦ ଖଣ୍ଡ-୦.୩୨କିଗ୍ରା ବିଶିଷ୍ଟ (୭) ରବର ୨ ପ୍ରକାରର – ୭୬ ଖଣ୍ଡ – ୧୧.୨ କିଗ୍ରା ବିଶିଷ୍ଟ (୮) ପୂଜା ସାମଗ୍ରୀ ୧୭ ଖଣ୍ଡ -୧.୬ କିଗ୍ରା ବିଶିଷ୍ଟ । ଚିନ୍ତାର ବିଷୟ ଏହିକି ଯେ ଏହି ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆମ ଗବେଷଣା ଅନୁଯାୟୀ ୨୦୧୮ ଓ ୨୦୧୯ରେ ଏହାର ମାତ୍ରା ଏକ ବର୍ଗ ମିଟରରେ ଯଥାକ୍ରମେ ୧.୬ ଏବଂ ୩.୬ ଗ୍ରାମ ରହିଥିଲା ଯାହାକି ଆଜି ୪.୮୨ ଗ୍ରାମରେ ପହଁଚିଲାଣି । ଏହା ଏକ ସତର୍କ ଘଣ୍ଟି ନିଶ୍ଚୟ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା