ଗୋପାଳପୁର ଥାନାରେ ଭ୍ରାମ୍ୟମାଣ ରକ୍ତ ଦାନ ଶିବିର ଅନୁଷ୍ଠିତ…

ଛତ୍ରପୁର/ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ଥାନାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଏହାକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବାରୁ ରକ୍ତଦାତାଙ୍କ ସଂଖ୍ୟା କମି ଯାଇଥିବାରୁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ଫଳରେ ବହୁ ନିରୀହ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ଠାରୁ ଅନୁମତି ଅଣାଯାଇ ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କ ତତ୍ତ୍ୱାବଧାନରେ ଥାନା ପରିସରରେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଏହାକୁ ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର ଉଦ୍‌ଘାଟନ କରିଥିବା ବେଳେ ବିଜେଡି ନେତା ଏ.ଜାନକୀ ରାମ, ଶଶିଭୂଷଣ ମହାନ୍ତି, ମୋହନ ରେଡ୍ଡୀଙ୍କ ସହ ଅଞ୍ଚଳର ବହୁ ସମାଜସେବୀ, ବୃଦ୍ଧିଜୀବୀ, ଯୁବଗୋଷ୍ଠୀ, ସାମ୍ବାଦିକମାନେ ଯୋଗ ଦେଇଥିଲେ । ଗୋପାଳପୁର ଥାନର ଅନ୍ୟାନ୍ୟ ଅଧିକାରୀ ପୁରୁଷୋତ୍ତମ ପାଇକ, ଜ୍ଞାନରଞ୍ଜନ ସାହୁ, ହାବିଲଦାର ଅଜୟ କୁମାର ଶତପଥୀ, ହାବିଲଦାର ଗୋପାଳ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ରକ୍ତ ଦାନ ଶିବିରରେ ମୋଟ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ବସନ୍ତ ବେହେରା, ଲିଟୁ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା