ଗହୀରାପଲ୍ଲୀ ଚେକ ଗେଟରେ ଜିଲ୍ଲାପାଳଙ୍କ କଟକଣା ଦେଖି ଫେରିଗଲେ କର୍ମଚାରୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମର ପଡୋଶୀ ଖୋର୍ଦ୍ଧା ଜିଲ୍ଲାରେ କରୋନା ରାଜ କରୁଥିବାରୁ ଏହାର ଗଞ୍ଜାମକୁ ଅନୁପ୍ରବେଶ ରୋକିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ଗହୀରାପଲ୍ଲୀ ଚେକ ଗେଟ ପରିଦର୍ଶନ କରିଛନ୍ତି । ରାସ୍ତା ଉପରେ ଜିଲ୍ଲାପାଳଙ୍କୁ ଦେଖି ମଟରସାଇକେଲରେ ଆସୁଥିବା କେତେକ କର୍ମଚାରୀ ଭୟରେ ଦିଗ ବଦଳାଇ ପୁଣି ଭୁବନେଶ୍ୱର ଆଡକୁ ଫେରି ଯାଇଛନ୍ତି । ସବୁ କଟକଣା ସତ୍ତ୍ୱେ ଭୁବନେଶ୍ୱରରୁ ଗଞ୍ଜାମ ଯା ଆସ ନିୟନ୍ତ୍ରିତ ହୋଇପାରିଲା ନାହିଁ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୧୬ନଂ ଜାତୀୟ ରାଜପଥ ଲଙ୍ଗଳେଶ୍ୱର ନିକଟସ୍ଥ ଗହିରାପଲ୍ଲୀ ଚେକ ଗେଟ ଠାରେ ପୋଲିସ ତନଖି ଫାଟକ ଖୋଲାଯାଇଛି । ଭୁବନେଶ୍ୱରରୁ ଗଞ୍ଜାମ ଆସୁଥିବା ଯାନବାହାନ ଗୁଡିକର ନମ୍ବର, ଯାତ୍ରୀଙ୍କ ସଂଖ୍ୟା, ଯାତ୍ରାର ଉଦ୍ଦେଶ୍ୟ ଏବଂ ମୋବାଇଲ ନମ୍ବର ପଞ୍ଜିକରଣ କରାଯାଉଛି । ସେହପରି ଗଞ୍ଜାମରୁ ଭୁବନେଶ୍ୱର ଯାଉଥିବା ଯାନଗୁଡିକର ମଧ୍ୟ ଅନୁରୂପ ପଞ୍ଜିକୃତ ହେଉଛି । ବିଶେଷ କରି ଭୁବନେଶ୍ୱରରୁ ଆସୁଥିବା ଯାତ୍ରୀମାନଙ୍କ ଦ୍ୱାରା ଫାଟକ ଭାବରେ ବିବେଚନା କରାଯାଉଛି । ଗତିବିଧି ନିରୀକ୍ଷଣ ପାଇଁ ଜିଲ୍ଲାପାଳଙ୍କ ସହିତ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଖଲିକୋଟ ବ୍ଲକ ଉନ୍ନୟନ ଅଧିକାରୀ ନବକୃଷ୍ଣ ଜେନା ଏବଂ ତହସିଲଦାର ଚକ୍ରଧର ପାଢ଼ୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଗଞ୍ଜାମରେ ଅତି ଜରୁରୀ କାର୍ଯ୍ୟ ନଥିଲେ ଯେକୌଣସି ବ୍ୟକ୍ତି ବିଶେଷଙ୍କ ଏଠାରୁ ପ୍ରତ୍ୟାବର୍ତ୍ତନ କରାଇ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାକୁ ଜାତୀୟ ରାଜପଥରୁ ଅନ୍ୟ ଏକ ଗଳାବାଟ ଥିବା କହ୍ନେଇପୁର ଛକରେ ମଧ୍ୟ ବାଉଁଶବାଡ଼ କରାଯାଇଛି । ଏଠାରେ ପୋଲିସ ପହରା ଜୋରଦାର ହୋଇଛି । ବିନା କାରଣରେ କୌଣସି ବ୍ୟକ୍ତିଙ୍କୁ ଏଠାରୁ ଜିଲ୍ଲା ମଧ୍ୟକୁ ଛଡାଯିବା ନାହିଁ । ଉଭୟ ସ୍ଥାନରେ ପୋଲିସକୁ ସହାୟତା କରିବା ପାଇଁ ଅନ୍ୟ ବିଭାଗୀୟ କର୍ମଚାରୀ ମାନେ ୨୪ ଘଣ୍ଟା ଡେରା ପକାଇବେ । ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋତି ଦାଶଙ୍କ ଉଭୟ ସ୍ଥାନର ମାଜିଷ୍ଟ୍ରେଟ ଦାୟିତ୍ୱ ଡାଇଯାଇଛି । ବାବୁମାନଙ୍କ ଗତିବିଧି ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗଞ୍ଜାମ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା