ଗଣେଶ ପୂଜାକୁ କେନ୍ଦ୍ର କରି ତହସିଲଦାରଙ୍କୁ ଘେରାଉ : ଗାଡି ଭଙ୍ଗାରୁଜା କଲେ ସ୍ଥାନୀୟ ଲୋକେ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଚୌଧୁରୀ ଟିକରପଡ଼ା ଗାଁରେ କୋଭିଡ ନିୟମକୁ ଉଲ୍ଲଂଘନ କରି ଗଣେଶ ପୂଜା ମେଢ଼ ମଣ୍ଡପ ନିର୍ମାଣ କରାଯାଇ ଥିବା ଗଣେଶ ପୂଜାକୁ ବିରୋଧ କରିବାରୁ ଉତ୍ତେଜିତ ହୋଇ ସ୍ଥାନୀୟ ଲୋକ ତହସିଲଦାରଙ୍କୁ ଘେରିବା ସହ ଗାଡି ଭଙ୍ଗାରୁଜା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗାଁରେ କୋଭିଡ୍ ନିୟମ ଉଲ୍ଲଂଘନ କରି ଗଣେଶ ପୂଜା ମେଢ ମଣ୍ଡପ କରାଯାଇ ପୂଜା କରାଯାଉଥିଲା । ଏହାସହ ବିଳମ୍ବିତ ସନ୍ଧ୍ୟା ଯାଏଁ ବିଭିନ୍ନ ଦୋକାନ ବଜାର ଖୋଲା ଯାଇଥିଲା । ଏ ସମ୍ପର୍କରେ ଅଭିଯୋଗ ହସ୍ତଗତ ହେବା ପରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଅଦ୍ଵୈତ କୁମାର ସ୍ଵାଇଁ ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ଏବଂ ନୂଆପଡ଼ା ଫାଣ୍ଡି ପୋଲିସ ସହ ଗାଁରେ ପହଞ୍ଚି ମେଢ଼ ମଣ୍ଡପରେ ପୂଜା ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ସହ ଦୋକାନ ବଜାର ବନ୍ଦ କରିଥିଲେ । ବେଆଇନ ଭାବେ ସାମାଜିକ ଦୁରତ୍ଵ ରକ୍ଷା ନ କରି ଗ୍ଲୋବସ, ମାସ୍କ ନ ପିନ୍ଧି ଦୋକାନ ସମ୍ମୁଖରେ ବ୍ୟାରିକେଟ ନ କରି ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ୨ଟି ରାସନ ଦୋକାନକୁ ସିଲ୍ କରି ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାର ଖବର ପାଇ ବହୁ ସଂଖ୍ୟାରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ତହସିଲଦାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଗାଁ ନଦୀ ପଠାରୁ ବେଆଇନ ବାଲି ଚାଲାଣ, ଜୁଆ ଖେଳ ଏବଂ ମଦ ବିକ୍ରି କାହିଁକି ବନ୍ଦ କରାଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ । ଏପରିକି ତହସିଲଦାରଙ୍କୁ ଶନିବାର ସନ୍ଧ୍ୟା ପ୍ରାୟ ୬ ଟାରୁ ରାତି ପ୍ରାୟ ୯ ଟା ଯାଏଁ ଉତ୍ତ୍ୟକ୍ତ ଲୋକମାନେ ଘେରାଉ କରିଥିଲେ । ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଘଟଣାର ସୂଚନା ପାଇ କେ. ନୂଆଗାଁ ଥାନା ଆଇଆଇସି ମାଧବାନନ୍ଦ ନାୟକଙ୍କୁ ଜଣାଇଥିଲେ । ସେ ଘଟଣା ସ୍ଥଳରେ ଅଧିକ ଫୋର୍ସ ସହ ପହଞ୍ଚିବା ପୂର୍ବରୁ ତହସିଲଦାର କୌଶଳ କ୍ରମେ ଘଟଣା ସ୍ଥଳରୁ ଖସି ଗାଡି ନେବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଉତ୍ତ୍ୟକ୍ତ ଲୋକେ ପ୍ରବଳ ଢେଲା ମାଡ କରିଥିଲେ । ଏଥିରେ ତହସିଲଦାର ଉତ୍ୟକ୍ତ ଗ୍ରାମବାସୀଙ୍କ ଠାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ବୋଲି ଜଣାପଡିଛି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା