ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ଛାତ୍ରଛାତ୍ରୀଙ୍କୁ ତୁରନ୍ତ କୋଭିଡ୍ ଟୀକା ଦେବାକୁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ବିକାଶ ପଶୁପାଳକ ପ୍ରକାଶ କରିଛନ୍ତି ଯେ ଭାରତ ସରକାର ଛାତ୍ର ଛାତ୍ରୀମାନଙ୍କୁ ଟୀକା ଦେବା ପାଇଁ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କଲେ ନାହିଁ । ଏକ ଭୟାବହ ପରିସ୍ଥିତି ଭିତରେ କରୋନା ମହାମାରୀ ଆତଙ୍କ ମଚାଇଥିବା ବେଳେ ସରକାର କିପରି ଛାତ୍ର ଛାତ୍ରୀଙ୍କୁ ଅଣଦେଖା କରିଛନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ । ଆଗାମୀ ଦିନରେ କରୋନାର ତୃତୀୟ ଲହର ମାଡିଯିବାର ସମ୍ଭାବନା ଅଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି । ମାତ୍ର ସେ ଦିଗରେ ସରକାର ତତ୍ପର ନାହାନ୍ତି । ଆମ ରାଜ୍ୟ ସରକାର ମଧ୍ୟ ଏ ପ୍ରସଙ୍ଗ ଉତ୍‌ଥାପନ କରୁନାହାନ୍ତି । ଛାତ୍ର ଛାତ୍ରୀମାନେ ଗୋଷ୍ଠୀ ସଂକ୍ରମଣର ଶିକାର ହେବାର ଆଶଙ୍କା ରହିଛି । କାରଣ ଗୋଟିଏ ଶ୍ରେଣୀ ଗୃହରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଏପରିକି ଡ୍ୟାନ୍ସ କ୍ଲାସ ଏବଂ ବିଭିନ୍ନ ଶିକ୍ଷାଦାନ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଏକାଠି ଶ୍ରେଣୀ ଗୃହରେ ବସିଥାନ୍ତି । ତେଣୁ ସରକାର ଯୁଦ୍ଧକାଳୀନ ଭିତିରେ ଛାତ୍ରଛାତ୍ରୀମାନଙ୍କ ପାଇଁ କରୋନା ଟୀକାର ବ୍ୟବସ୍ଥା କରନ୍ତୁ । ପୂର୍ବରୁ କଂଗ୍ରେସ ସରକାର ସମୟରେ ବସନ୍ତ, ପୋଲିଓ ଇତ୍ୟାଦି ଟୀକା ଦେବାରେ ଛାତ୍ରଛାତ୍ରୀମାନଙ୍କ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯାଉଥିଲା । ମାତ୍ର ରାଜ୍ୟ ଓ କେନ୍ଦ୍ର ସରକାର ଛାତ୍ରଛାତ୍ରୀମାନଙ୍କ କଥାକୁ ଭୁଲିଯାଇଛନ୍ତି । ଟୀକା କାହାର ବୋଲି ଉଭୟ ନବୀନ ଓ ମୋଦି ଲଢ଼େଇରେ ବ୍ୟସ୍ତ । ପୋଷ୍ଟର ଚିରା, ଫଟୋ ଚିରା, ଫଟୋ ରଖା, ଦଳୀୟ ପତାକା ଉଡା କାର୍ଯ୍ୟରେ ଉଭୟ ବିଜେଡି ବିଜେପି ମାତିଛନ୍ତି । ମାତ୍ର ଛାତ୍ରଛାତ୍ରୀଙ୍କ କଥା କେହି କହୁନାହାନ୍ତି । ପେଟ୍ରୋଲ ଓ ଡିଜେଲରେ ତଂଟି ଚିପି ଜନସାଧାରଣଙ୍କ ଠାରୁ ଅର୍ଥ ଆଦାୟ ହେଉଥିବା ବେଳେ ବିଜେପି ସରକାର ପକ୍ଷରୁ ମାଗଣା ଟୀକା ଦିଆଯାଉଛି ବୋଲି ଘୋଷଣା କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଶୁପାଳକ କହିଛନ୍ତି । ଏପଟେ ଓଡିଶା ସରକାର କୋଭିଡ୍ ଚିକିତ୍ସାର ବିଭିନ୍ନ ଉପକରଣ କିଣାରେ ବ୍ୟାପକ ଦୁର୍ନୀତିରେ ଛନ୍ଦି ହୋଇପଡିଛନ୍ତି । ସେପଟେ ମୋଦି ଓ ନବୀନ କୋଭିଡ୍ ମୃତ୍ୟୁକୁ ଲୁଚାଇବାକୁ ଚକ୍ରାନ୍ତ ଚଳାଇଛନ୍ତି । ଗଙ୍ଗା ନଦୀରେ ହଜାର ହଜାର କୋଭିଡ୍ ମୃତକଙ୍କ ଶବ ଭାସୁଥିବା ବେଳେ କୋଭିଡ୍ ନିୟନ୍ତ୍ରଣର ଡିଣ୍ଡିମ ପିଟି ମୋଦି ଖୁସି ହେଉଛନ୍ତି । ଭାରତବାସୀ ଓ ଓଡିଶାବାସୀଙ୍କ ପାଇଁ ଏହାଠାରୁ ବିଡମ୍ବନା ଆଉ କଣ ହୋଇପାରେ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି କହିଛନ୍ତି ।