ଗଜପତି ମହିଳା ବିଜେଡିର ପୁଣି ସଭାନେତ୍ରୀ ହେଲେ ପୂର୍ଣ୍ଣବାସୀ ନାୟକ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ବିଜୁ ଜନତା ଦଳର ମହିଳା ସଂଗଠନର ସଭାନେତ୍ରୀ ଭାବେ ପୂର୍ଣ୍ଣବାସୀ ନାୟକଙ୍କୁ ପୁଣି ମନୋନୀତ କରାଯାଇଥିବା ସୂଚନା ମିଳିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାର ବରିଷ୍ଠ ବିଜେଡି ନେତ୍ରୀ ପୂର୍ଣ୍ଣବାସୀ ନାୟକଙ୍କୁ ଜିଲ୍ଲା ମହିଳା ସଂଗଠନର ସଭାନେତ୍ରୀ ଭାବେ ଦ୍ଵିତୀୟ ଥର ପାଇଁ ମନୋନୀତ କରିଛନ୍ତି । ପୂର୍ଣ୍ଣବାସୀ ନାୟକ ଗଜପତି ଜିଲ୍ଲା ବିଜେଡି ଦଳର ବରିଷ୍ଠ ନେତା ଅନ୍ତଯାର୍ମି ଗମାଙ୍ଗଙ୍କ ସହ ଧର୍ମଣୀ ଅଟନ୍ତି । ପୂର୍ଣ୍ଣବାସୀ ବର୍ତ୍ତମାନ ଗଜପତି ଜିଲ୍ଲା ରାୟଗଡ ବ୍ଲକର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଗତ ବିଧାନସଭା ନିର୍ବାଚନରେ ପୂର୍ଣ୍ଣବାସୀ ନାୟକ ଗଜପତିର ମୋହନା ବିଧାନସଭା ଆସନରେ ବିଜେଡି ଦଳ ତରଫରୁ ପ୍ରତିଦ୍ବନ୍ଦିତା କରିଥିଲେ । ମାତ୍ର କିଛି ଭୋଟ ବ୍ୟବଧାନରେ ସେ ପରାଜିତ ହୋଇଥିଲେ । ଗତ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ପୂର୍ଣ୍ଣବାସୀଙ୍କୁ ଗଜପତି ଜିଲ୍ଲା ବିଜେଡି ମହିଳା ସଂଗଠନର ସଭାନେତ୍ରୀ ଦାୟିତ୍ୱ ଦେଇଥିଲେ । ଗଜପତି ଜିଲ୍ଲାରେ ବିଜେଡି ଦଳର ମହିଳା ସଂଗଠନକୁ ସୁଦୃଢ କରିବା ସହ ପଞ୍ଚାୟତ, ଜିଲ୍ଲା ପରିଷଦ, ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି, କାଶୀନଗର ଏନଏସି ନିର୍ବାଚନରେ ନିଜର ସୁଦୃଢ ମହିଳା ସଂଗଠନ ଓ ବଳିଷ୍ଠ ପଦକ୍ଷେପ ଯୋଗୁଁ ବିଜୁ ଜନତା ଦଳର ପ୍ରାର୍ଥୀ o ପ୍ରାର୍ଥିନୀମାନଙ୍କ ବିଜୟ ଘଟିଥିଲା । ଏହିସବୁ କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣବାସୀ ନାୟକଙ୍କୁ ପୁଣି ଦ୍ଵିତୀୟ ଥର ପାଇଁ ଗଜପତି ଜିଲ୍ଲା ବିଜେଡି ମହିଳା ସଂଗଠନର ସଭାନେତ୍ରୀ ଭାବେ ମନୋନୀତ କରିଛନ୍ତି । ପୁଣିଥରେ ସଭାନେତ୍ରୀ ଭାବେ ମନୋନୀତ ହୋଇ ପୂର୍ଣ୍ଣବାସୀ ନାୟକ ମୁଖମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରି ଗଜପତି ଜିଲ୍ଲାରେ ବିଜେଡି ଦଳର ସାଙ୍ଗଠନିକ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ମୋର ମୂଳ ଲକ୍ଷ୍ୟ ଅଟେ ବୋଲି କହିଛନ୍ତି । ଦ୍ଵିତୀୟ ଥର ମନୋନୀତ ହେବାପରେ ପୂର୍ଣ୍ଣବାସୀ ନାୟକ ଆଜି ପାରଳାଖେମୁଣ୍ଡି ହାଇସ୍କୁଲ ଛକଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ସ୍ୱର୍ଗତଃ ବିଜୁବାବୁଙ୍କୁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ପୂର୍ଣ୍ଣବାସୀ ନାୟକ ପୁଣିଥରେ ବିଜେଡି ମହିଳା ସଂଗଠନର ସଭାନେତ୍ରୀ ଭାବେ ମନୋନୀତ ହୋଇଥିବା ଯୋଗୁଁ ବରିଷ୍ଠ ବିଜେଡି ନେତ୍ରୀ ସଂଯୁକ୍ତା ବେହେରା, ଅନିତା ଅଧିକାରୀ, ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ଚେୟାରମ୍ୟାନ ନିର୍ମଳା ସେଠୀ, ଶାନ୍ତିଲତା ଜେନା, ଗଜପତି ଜିଲ୍ଲା ବିଜେଡିର ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଛା, ଜମିଦାର ପଟ୍ଟନାୟକ, ଜିଲ୍ଲା ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜ ସମେତ ବହୁ ବିଜେଡି ନେତା ଓ କର୍ମୀ ପୂର୍ଣ୍ଣବାସୀ ନାୟକଙ୍କୁ ସ୍ୱାଗତ କରିବା ସହ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ରିପୋର୍ଟ : କୃଷ୍ଣ କୁମାର ବେହେରା