ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଚେନ୍ନାଇରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ : ଗତକାଲି ମୁଖ୍ୟମନ୍ତ୍ରୀ ଭେଟିଥିଲେ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୭ ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ମଧ୍ୟ ରାତିରେ ଦେହାନ୍ତ ହୋଇଯାଇଛି । ଗତ କିଛି ଦିନ ହେବ ସ୍ୱାସ୍ଥ୍ୟବସ୍ଥା ବିଗିଡିବା କାରଣରୁ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରା ଯାଇଥିଲା । ରାଜ୍ୟ ବିଧାନସଭା ସରିବା ପରେ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦଳ ବଳେ ଚେନ୍ନାଇ ଗସ୍ତରେ ଯାଇ ଭି. ସୁଜ୍ଞାନୀ କୁମାରୀ ଦେଓଙ୍କୁ ହସ୍ପିଟାଲରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସୁସ୍ଥତା କାମନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଉଷା ଦେବୀ, 5ଟି ଅଧ୍ୟକ୍ଷ ଭି କେ ପଣ୍ଡିୟାନ ଓ ବିଜେଡି ସାଧାରଣ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଚେନାଇ ଗସ୍ତରେ ଯାଇ ରାତ୍ର ୧୧ରେ ଫେରିଥିଲେ । ପରେ ପରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୁଜ୍ଞାନ କୁମାରୀ ଦେଓ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ ଥିଲେ । ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ ଥର ବିଧାୟିକା ହୋଇଛନ୍ତି ସୁଜ୍ଞାନ କୁମାରୀ। ସେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରୁ ୮ ଥର ଓ କବିସୂର୍ଯ୍ୟନଗର  ନିର୍ବାଚନମଣ୍ଡଳୀରୁ ୨ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଚେନ୍ନାଇ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିିଥିଲେ। ଏହାପରେ ରାତି ୧୨ଟା ୪୪ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଣୀଙ୍କ ବିୟୋଗରେ ରାଜ୍ୟ ରାଜନୀତି ମହଲରେ ଶୋକର ଛୋୟା ଖେଳିଯାଇଛି।  ଭି.ସୁଜ୍ଞାନ କୁମାରୀ ଦେଓଙ୍କ ମୃତଦେହ ତାଙ୍କ ଚେନ୍ନାଇସ୍ଥିତ ବାସଭବନରେ ରଖାଯାଇଛି । ସେଠାରେ ତାଙ୍କ ପରିବାର ଓ ସଂପର୍କୀୟ ଉପସ୍ଥିତ ଅଛନ୍ତି । ସେଠାରୁ ଆଜି ଅପରାହ୍ନରେ ମୃତଦେହ ଚେନ୍ନାଇ ବିମାନବନ୍ଦରକୁ ଯିବ। ସେଠାରୁ ସନ୍ଧ୍ୟାରେ ରାଣୀଙ୍କ ମୃତଦେହ ରାତି ୭ଟାରୁ ୮ଟା ଭିତରେ ଭୁବନେଶ୍ୱରସ୍ଥିତ ବିମାନବନ୍ଦରରେ ପହଞ୍ଚିବ। ଏହାପରେ ସରକାରୀ କାର୍ଯ୍ୟସୂଚୀ ଅନୁୟାୟୀ, ସୁଜ୍ଞାନଙ୍କ ପାର୍ଥିବ ଶରୀରକୁ ବିଜେଡି କାର୍ଯ୍ୟାଳୟକୁ ନିଆଯିବ । ଦଳୀୟ କାର୍ଯ୍ୟାଳୟରେ ଶେଷ ଦର୍ଶନ ପରେ ମୃତଦେହକୁ ବିଧାନସଭା ପରିସରକୁ ନିଆଯିବ । ସେଠାରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଖଲ୍ଲିକୋଟ ନିଆଯିବ । ଖଲ୍ଲିକୋଟସ୍ଥିତ ସୁଜ୍ଞାନ କୁମାରୀଙ୍କ ବାସଭବନରେ ମରଶରୀର ଶେଷ ଦର୍ଶନ ପାଇଁ ଆସନ୍ତାକାଲି ଅପରାହ୍ନ ୪ଟା ଯାଏଁ ରଖାଯିବ । ଏହାପରେ ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟରେ ଶେଷକୃତ୍ୟ କରାଯିବା ପାଇଁ ଧାର୍ଯ୍ୟ ହୋଇଛି । ମର୍ଦ୍ଦରାଜ ପରିଷଦ ସମ୍ପାଦକ ସୁଧାଂଶୁ ସାହୁ ଏହି ସୂଚନା ଦେଇଛନ୍ତି ।  ଭି.ସୁଜ୍ଞାନ କୁମାରୀ ଦେଓ କେବଳ ଯେ ବିଧାୟିକା ଥିଲେ ତା ନୁହେଁ, ସମାଜସେବୀ ଓ କୃଷିଜୀବି ଭାବେ ବି ଥିଲା ତାଙ୍କ ସ୍ୱତନ୍ତ୍ର ପରିଚୟ। ୧୯୩୭ ମସିହା ଅଗଷ୍ଟ ୫ରେ ଗଞ୍ଜାମରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ କୁମାରୀ। ସୁଜ୍ଞାନ କୁମାରୀଙ୍କ ବାପାଙ୍କ ନାମ ରାଜା ଆର.ଭି.ଏମ୍ ନିଳାଦ୍ରୀ ଦେଓ ଏବଂ ସ୍ୱାମୀଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ। ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୦୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ସୁଜ୍ଞାନ। ପ୍ରଥମ ଥର ପାଇଁ ସେ ୧୯୬୧-୬୭ ପର୍ଯ୍ୟନ୍ତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକଟରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଦ୍ୱିତୀୟ ଥର ପାଇଁ ଉତ୍କଳ କଂଗ୍ରେସ ତରଫରୁ ୧୯୭୪-୧୯୭୭ ପର୍ଯ୍ୟନ୍ତ ହୋଇଥିଲେ ବିଧାୟିକା। ତୃତୀୟ ଥର ପାଇଁ ଜନତା ଟିକଟରେ ବିଜୟ ଲାଭ କରି ୧୯୭୭-୧୯୮୦ ପର୍ଯ୍ୟନ୍ତ ଖଲ୍ଲିକୋଟର ବିଧାୟିକା ହୋଇଥିଲେ ସୁଜ୍ଞାନ। ଏହାପରେ ଜନତା ପାର୍ଟିରୁ ୧୯୮୫-୧୯୯୦ ଯାଏଁ ଚତୁର୍ଥ ଥର ପାଇଁ ବନିଥିଲେ ବିଧାୟିକା। ସେ ୧୯୯୦-୯୫ ପର୍ଯ୍ୟନ୍ତ ଜନତା ଦଳ ତରଫରୁ ଖଲ୍ଲିକୋଟରୁ ପଞ୍ଚମ ଥର ଲାଗି ନିର୍ବାଚିତ ହୋଇଥିଲେ । ସେ ୧୯୯୫-୨୦୦୦ ପର୍ଯ୍ୟନ୍ତ ପୁଣି ଥରେ ଜନତା ଦଳ ତରଫରୁ ନିର୍ବାଚନ ଲଢି ସେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ତରଫରୁ ୨୦୦୯ରୁ ୨୦୧୪ ଏବଂ ୨୦୧୪ରୁ ୨୦୧୯ ଯାଏଁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ସୁଜ୍ଞାନ। ଏହାସହ ସେ ବିଧାନସଭାର ବିଭିନ୍ନ କମିଟିରେ ସଦସ୍ୟ ରହି ଆସି ଥିଲେ। କିନ୍ତୁ ସେ କେବେ ମନ୍ତ୍ରୀ ହେବା ପାଇଁ ଆଗ୍ରହ ପ୍ରକାଶ କରି ନ ଥିଲେ। ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କୁ ନ ଜଣାଇ ମନ୍ତ୍ରୀ ହେବା ପାଇଁ ଚୟନ କରିଥିଲେ କିନ୍ତୁ ସେ ଶୁଣିବା କ୍ଷଣି ନବୀନ ନିବାସ ଯାଇ ପ୍ରତ୍ୟାକ୍ଷାନ  କରିଥିଲେ । ସେ କେବଳ ଲୋକଙ୍କ ସହ ରହିବାକୁ ଚାହୁଁଥିଲେ । ଖଲିକୋଟ ରାଣୀ ସାହିବା ଜଣେ ସାହାଯ୍ୟକାରୀ ନେତ୍ରୀ  ଥିଲେ । ଜିଲ୍ଲାରେ ବହୁତ ଲୋକଙ୍କୁ ନେତା ବାନେଇବାରେ ଖଲିକୋଟ ରାଣୀ ସାହିବାଙ୍କ ମୁଖ୍ୟ ଭୂମିକା ରହିଥିଲା । ତାଙ୍କର ପରଲୋକ ମର୍ମାହତ କରିଛି । ଏହି ପ୍ରତିନିଧିଙ୍କୁ ମଧ୍ୟ ବିଭିନ୍ନ ସମୟରେ ସେ ସାହାଯ୍ୟ ସହଯୋଗ କରିଛନ୍ତି । ଏଭଳି ଏକ ଅଦ୍ଵିତୀୟ ଅଭୁଲା ରାଣୀ ମା’ଙ୍କ ପରଲୋକ ସମସ୍ତଙ୍କୁ ବ୍ୟଥିତ କରିଛି । ରାଜ୍ୟପାଳ, ରାଜ୍ୟ ମୁଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା ପ୍ରମୁଖ ବହୁ ବଡ ବଡ ନେତା ତଥା ଦଳମତ ନିର୍ବିଶେଷରେ କଂଗ୍ରେସ, ବିଜେପି , ବିଜେଡି ଦଳର ବଡରୁ ସାନଯାଏଁ ସମସ୍ତେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କର ଆଉ ଜଣେ ଅନ୍ତରଙ୍ଗ ବନ୍ଧୁ ହିଞ୍ଜିଳିକାଟୁର ପୂର୍ବତନ ବିଧାୟକ ହରିହର ସାହୁ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଗଞ୍ଜାମ ଜିଲ୍ଲାର ଜଣେ ସଚୋଟ ସତ୍ୟବାଦୀ କର୍ମବୀର ପ୍ରୋଟେକଟର ନେତ୍ରୀଙ୍କୁ ସମାଜ ହରାଇଲା । ଅନ୍ୟପକ୍ଷରେ ଆଜି ଭି.ସୁଜ୍ଞାନ କୁମାରୀ ଦେଓଙ୍କ ମରଶରୀର ଚେନ୍ନାଇରୁ ବିମାନ ଯୋଗେ ସନ୍ଧ୍ୟାରେ ଭୁବନେଶ୍ବର ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ମର୍ଦ୍ଦରାଜ ପରିଷଦର ସମ୍ପାଦକ ସୁଧାଂଶୁ ସାହୁ । ଏହାପରେ ତାଙ୍କ ମରଶରୀର ଖଲ୍ଲିକୋଟ ଅଣା ଯିବାର ବ୍ୟବସ୍ଥା ହେବ ବୋଲି ସୂଚନା ମିଳିଛି ।

ରିପୋର୍ଟ : ରଜତ ପଟ୍ଟନାୟକ