କୃଷକ ଉତ୍ପାଦକ ଗୋଷ୍ଠୀ ସମ୍ମିଳନୀ ଓଡ଼ିଶା-୨୦୨୪

ଭୁବନେଶ୍ୱର(ସମୃଦ୍ଧଓଡିଶା) ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯେପରି ଦେଶର ମଡେଲ ଭାବରେ ପରିଗଣିତ ହେଉଛି, ଠିକ୍‌ ସେହିପରି କୃଷି କ୍ଷେତ୍ରରେ କୃଷକ ଉତ୍ପାଦକ ଗୋଷ୍ଠୀ ମାଧ୍ୟମରେ କୃଷକଙ୍କୁ ସଶକ୍ତ କରିବାର ସବୁ ପ୍ରକାର ଅନୁକୂଳ ପରିବେଶ ରହିଛି । କୃଷିରେ ରୂପାନ୍ତରଣ ଆଣିବା ଦିଗରେ କୃଷକ ଉତ୍ପାଦକ ଗୋଷ୍ଠୀ ଏକ ବଳିଷ୍ଠ ମାଧ୍ୟମ । ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକ ଉତ୍ପାଦକ ଗୋଷ୍ଠୀଙ୍କୁ ସମସ୍ତ ସୁଯୋଗ ଓ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୨୨ ମଇ ୩ ତାରିଖରେ ଏକ ମାର୍ଗଦର୍ଶିକା ଜାରି କରାଯାଇଥିଲା । କୃଷକ ଉତ୍ପାଦକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୨୦୨୦ରୁ ୨୦୨୩ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିିଭନ୍ନ ଯୋଜନାରେ ସମ୍ମିଳିତ ଭାବରେ ୧୦୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ବ୍ୟୟ ବରାଦ କରାଯାଇଛି । ଏହା ଦ୍ୱାରା ଉତ୍ପାଦକ ଗୋଷ୍ଠୀର ପ୍ରାୟ ୩ ଲକ୍ଷରୁ ଊଦ୍ଧ୍ୱର୍ ଚାଷୀ ଉପକୃତ ହୋଇଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଓୟୁଏଟି ପରିସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସହାୟତାରେ ଆୟୋଜିତ ଓଡ଼ିଶା ୨୦୨୪ ଏଫ୍‌ପିଓ କନ୍‌କ୍ଲେଭ୍‌ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ କୃଷକ ଉତ୍ପାଦକ ଗୋଷ୍ଠୀ ଗ୍ରାମୀଣ ଅର୍ଥନୀତିର ବିକାଶ ଦିଗରେ ଏକ ଘଟକ ଭାବରେ କାର୍ଯ୍ୟ କରୁଛି ଓ ଏହା ଦ୍ୱାରା ଗ୍ରାମାଞ୍ଚଳରେ ଅଧିକ ନିଯୁକ୍ତି ସୃଷ୍ଟି ହେଉଛି । ରାଜ୍ୟ ସରକାରଙ୍କ ଦ୍ୱାରା କୃଷକ ଉତ୍ପାଦକ ଗୋଷ୍ଠୀ ନୀତି ଘୋଷଣା ହେବା ଦିନଠାରୁ ଏଫ୍‌ପିଓ ଆନ୍ଦୋଳନକୁ ଶକ୍ତିଶାଳୀ କରି ଗଢ଼ିତୋଳିବା ପାଇଁ କୃଷି ବିଭାଗ ପକ୍ଷରୁ ଅନେକଗୁଡ଼ିଏ ଫଳପ୍ରଦ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ମୋଟ କୃଷକ ପରିବାର ମଧ୍ୟରୁ ୯୨ ପ୍ରତିଶତରୁ ଊଦ୍ଧ୍ୱର୍ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ମାଧ୍ୟମରେ କୃଷକମାନଙ୍କୁ ଏକାଠି କରି ସେମାନଙ୍କର ଦକ୍ଷତା, କ୍ଷମତା ଓ ବଜାରରେ ସେମାନଙ୍କ ମୂଲଚାଲ କରିବା ଶକ୍ତିକୁ ବୃଦ୍ଧି କରିଥାଏ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁଣି କହିଛନ୍ତି ଯେ ରାଜ୍ୟ ସରକାରଙ୍କ କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ପ୍ରତିବଦ୍ଧତାର ନିଦର୍ଶନ ସ୍ୱରୂପ ଚଳିତ ବର୍ଷ କୃଷି ବଜେଟ ଗତବର୍ଷ ତୁଳନାରେ ପ୍ରାୟ ୧୭ ପ୍ରତିଶତ ବୃଦ୍ଧି ପାଇଛି । ସମ୍ମିଳନୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ରାଜ୍ୟରେ ୨୦୧୮ରୁ କୃଷକ ଉତ୍ପାଦକ ଗୋଷ୍ଠୀ କାର୍ଯ୍ୟକାରୀ ହେଉଛି । କୃଷକ ଉତ୍ପାଦକ ଗୋଷ୍ଠୀଙ୍କୁ ସଶକ୍ତ କରିବା ପାଇଁ ବିଭାଗ ପକ୍ଷରୁ ‘ଏଫ୍‌ପିଓମାନଙ୍କୁ ସହାୟତା’ ରାଜ୍ୟ ଯୋଜନା ଆରମ୍ଭ କରାଯାଇଛି । ରାଜ୍ୟରେ କରାଯାଉଥିବା ଧାନ ପରବର୍ତ୍ତୀ ଜମିର ପରିଚାଳନା କାର୍ଯ୍ୟକ୍ରମ ଦେଶର ସର୍ବବୃହତ୍‌ କୃଷି ନବବିନ୍ୟାସ ପଦକ୍ଷେପ ବୋଲି ସେ କହିଥିଲେ । ନାବାର୍ଡର ରିପୋର୍ଟ ଅନୁଯାୟୀ କୃଷକ ଉତ୍ପାଦକ ଗୋଷ୍ଠୀର ବାର୍ଷିକ ରୋଜଗାର ମଧ୍ୟ ୧୩.୪ ପ୍ରତିଶତ ହାରରେ ବୃଦ୍ଧି ପାଉଛି ବୋଲି ଡ. ପାଢ଼ୀ କହିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ ଯେ ସଂପ୍ରତି ରାଜ୍ୟ କୃଷି କ୍ଷେତ୍ରରେ ରୂପାନ୍ତରଣ ଆସିବା ସହିତ କୃଷକମାନଙ୍କର ବିକାଶ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତାରେ ଓୟୁଏଟି ଅଧୀନରେ କୃଷକ ଉତ୍ପାଦକ ଗୋଷ୍ଠୀଙ୍କ ପାଇଁ ଖୋଲାଯାଇଥିବା ଉତ୍କର୍ଷ କେନ୍ଦ୍ର କୃଷକ ଉତ୍ପାଦକ ଗୋଷ୍ଠୀର ଦୃଶ୍ୟପଟରେ ପରିବର୍ତ୍ତନ ଆଣିବା ସହିତ ଏହାକୁ ଅଧିକ କି୍ରୟାଶୀଳ କରିଛି । ଆଜିର କୃଷି ଗୋଷ୍ଠୀଗତ କୃଷିରେ ପରିଣତ ହୋଇଛି । ଏହି ପରିପ୍ରେକ୍ଷୀରେ କୃଷକ ଉତ୍ପାଦକ ଗୋଷ୍ଠୀକୁ ଏକ ଆନ୍ଦୋଳନରେ ପରିଣତ କରିବା ପାଇଁ ସେ କହିଥିଲେ । ସମ୍ମିଳନୀ ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା କୃଷକ ଉତ୍ପାଦକ ଗୋଷ୍ଠୀ ଗଠନର ଆଭିମୁଖ୍ୟ ଏବଂ ଏହାର କାର୍ଯ୍ୟଧାରା ଏବଂ ରାଜ୍ୟରେ ଅଦ୍ୟାବଧି ପଞ୍ଜିକୃତ ହୋଇଥିବା ୯୬୨ ଗୋଷ୍ଠୀର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ସମ୍ମିଳନୀ ଅବସରରେ ରାଜ୍ୟରେ କୃଷକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଆଜି ୩୦ଟି ଏଗ୍ରିବିଜିନେସ୍‌ କମ୍ପାନି, ଆର୍ଥିକ ଅନୁଷ୍ଠାନ ଏବଂ ଦକ୍ଷତା ବୃଦ୍ଧି ପ୍ରତିଷ୍ଠାନ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡ଼ିଶାରେ କୃଷକ ଉତ୍ପାଦକ ଗୋଷ୍ଠୀଙ୍କୁ କାର୍ଯ୍ୟକ୍ଷମ କରାଇବା ଓ ପ୍ରୋତ୍ସାହନ ଯୋଗାଇଦେବା ଉଦ୍ଦେଶ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ନାବାର୍ଡ, ନାଫେଡ୍‌, ସ୍ମଲ୍‌ ଫାର୍ମସ ଏଗ୍ରିବିଜ୍‌ିନେସ୍‌ କନ୍‌ସୋରଟିଅମ୍‌, ଫାଉଣ୍ଡେସନ୍‌ ଫର୍‌ ଡେଭଲପ୍‌ମେଣ୍ଟ ଅଫ୍‌ ରୁରାଲ୍‌ ଭ୍ୟାଲୁ ଚେନ୍‌ ଓ ନ୍ୟାସନାଲ୍‌ କୋଅପରେଟିଭ୍‌ ଡେଭ୍‌ଲପ୍‌ମେଣ୍ଟ କର୍ପୋରେସନ୍‌କୁ ସମ୍ବର୍ଦ୍ଧିତ କରିଥିଲେ । ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ବିଭାଗର ନିର୍ଦ୍ଦେଶକ ଡ. ପ୍ରସନ୍ନ ଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମିଳନୀର ୩ଟି ବୈଷୟିକ ଅଧିବେଶନରେ ବିଶେଷଜ୍ଞମାନେ କୃଷକ ଉତ୍ପାଦକ ଗୋଷ୍ଠୀର କାର୍ଯ୍ୟଧାରାରେ ଉନ୍ନତି ଓ ବିକାଶର ବିଭିନ୍ନ ଦିଗ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏଥିରେ କୃଷି ବୈଜ୍ଞାନିକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ, କୃଷି ଉଦ୍ୟୋଗୀ, ୩୦୦ରୁ ଊଦ୍ଧ୍ୱର୍ କୃଷକ ଉତ୍ପାଦକ ଗୋଷ୍ଠୀ ଓ କୃଷି ବାଣିଜି୍ୟକ କମ୍ପାନିର ପ୍ରତିନିଧିଙ୍କ ସମତେ କୃଷି ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ଓ ବହୁ କୃଷକ ଯୋଗଦେଇଥିଲେ ।

ରିପୋର୍ଟ : ରଜତ ମହାପାତ୍ର