ଖଇନି ଭାବି ଉକୁଣୀ ମରା ଔଷଧ ଖାଇ ବୃଦ୍ଧ ମୃତ …

ଭଞ୍ଜନଗର (ସମୃଦ୍ଧ ଓଡିଶା) ଖଇନି ଭାବି ଉକୁଣି ମରା ଔଷଧ ଖାଇବାରୁ ‌ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ କ୍ଷେତମୁଣ୍ଡଳୀ ପଞ୍ଚାୟତ ଲୁଣ୍ଡୁରିପଦର ଗ୍ରାମରେ । ଗ୍ରାମର ପାଣ୍ଡବ ଦଳବେହେରାଙ୍କ (୭୦) ଗତକାଲି ବିଳମ୍ବିତ ରାତିରେ ଭଞ୍ଜନଗର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ପ୍ରାୟ ୪ଟା ସମୟରେ ପାଣ୍ଡବ ଖଇନି ଖାଇବା ପାଇଁ ଘରେ ଖଇନି ପୁଡିଆ ଖୋଜିଥିଲେ । ଭୁଲ ବଶତଃ ଖଇନି ବଦଳରେ ସେ ଘରେ ଥିବା ଏକ ଉକୁଣି ମରା ଔଷଧ ଖଇନି ଭାବି ଖାଇଦେଇଥି‌ଲେ । ବାର୍ଦ୍ଧକ୍ୟ କାରଣରୁ ସେ ଖଇନି ଓ ଉକୁଣିମରା ଔଷଧ ମଧ୍ୟରେ ଫରକ ଜାଣି ପାରିନଥିଲେ ବୋଲି ପରିବାର ଲ‌ୋକେ ପ୍ରକାଶ କରିଛନ୍ତି । ଏହି ଔଷଧ ଖାଇବା ପରେ ପାଣ୍ଡବ ସ୍ୱାସ୍ଥ୍ୟବସ୍ତା ଗୁରୁତର ହୋଇପଡିଥିଲା । ଫଳରେ ପରିବାର ଲୋକେ ସଙ୍ଗେ ସଙ୍ଗେ ଗତକାଲି ଅପରାହ୍ନରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପାଣ୍ଡବଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି । ଖବର ପାଇ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ତାରିସିଂ ଥାନାରେ ୨୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୁଚନା ଦେଇଛନ୍ତି ।