କ୍ୱାରେଣ୍ଟିନରେ ରହିବା ସମସ୍ତ ଅନ୍ତେବାସୀଙ୍କ ଖର୍ଚ୍ଚ ସରକାର ବହନ କରିବେ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଲକଡାଉନ ପରେ ଓଡ଼ିଶାକୁ ଫେରିବାକୁ ଥିବା ପ୍ରବାସୀଙ୍କ ଚିକିତ୍ସା ଓ କ୍ୱାରେଣ୍ଟିନରେ ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମେ’ ୩ରେ ଲକଡାଉନ ଅବଧି ସରିବା ପରେ ବାହାରୁ ଫେରିଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ । କ୍ୱାରେଣ୍ଟିନରେ ରହିବା ବେଳେ ଜଣ ପିଛା ଖାଦ୍ୟ ବାବଦକୁ ୧୨୦ ଟଙ୍କା ଓ ଶିଶୁଙ୍କ ମୁଣ୍ଡ ପିଛା ୧୦୦ ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ପର୍ସନାଲ ହାଇଜିନିକ କିଟ୍ ବାବଦରେ ୧୪ ଦିନକୁ ୩୦୦ ଟଙ୍କା ଦିଆଯିବ । ଏହି ଟଙ୍କାରେ ଟୁଥ ବ୍ରଶ, ପେଷ୍ଟ, ସାବୁନ, ତେଲ, ରେଜର ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ପାରିବେ। ଯେଉଁ କ୍ୱାରେଣ୍ଟିନ ସେଣ୍ଟରରେ ବେଡସିଟ୍‌ ନଥିବ, ସେଠାରେ ଗୋଟିଏ ବେଡ୍ ପାଇଁ ୨ଟି ବେଡ ସିଟ୍ ଓ ୨ଟି ତକିଆ ଖୋଳ କିଣାଯିବ । ସେହିଭଳି କ୍ୱାରେଣ୍ଟିନ ସେଣ୍ଟରର ସାନିଟାଇଜେସନ ବାବଦରେ ଦିନକୁ ସର୍ବାଧିକ ୨ ହଜାର ଟଙ୍କା ଦିଆଯିବ ବୋଲି ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ପାତ୍ରାଙ୍କନ ନମ୍ବର ୨୩୩୨ ତାରିଖ ୨୭/୪/୨୦୨୦ରୁ ସୂଚନା ମିଳିଛି ।

ରିପୋର୍ଟ : ହରପ୍ରସାଦ ବିଷୋୟୀ