କ୍ଷତିପୂରଣ ବାବଦରେ ୧ ଲକ୍ଷ ଟଙ୍କା ସହ ୧୬ % ହାରରେ ୧୪ବର୍ଷର ସୁଧ ଦେବାକୁ ଆସିକା ଜୀବନ ବୀମା ନିଗମକୁ ଜିଲ୍ଳା ଖାଉଟି କୋର୍ଟଙ୍କ ନିର୍ଦେଶ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଏକ ଲକ୍ଷ ଟଙ୍କା କ୍ଷତିପୂରଣ ସହ ୧୬% ହାରରେ ୧୪ବର୍ଷର ସୁଧ ଦେବାକୁ ଆସିକା ଜୀବନ ବୀମା ନିଗମକୁ ଜିଲ୍ଳା ଖାଉଟି କୋର୍ଟଙ୍କ ନିର୍ଦେଶ ହୋଇଛି I ପୋଲସରା ଅଞ୍ଚଳର ଜଣେ ବିଧବା ଅଶିକ୍ଷିତ ଅସହାୟ ମହିଳାଙ୍କୁ ଆସିକା ଜୀବନ ବୀମା ନିଗମ ଦୀର୍ଘ ୧୪ ବର୍ଷ ହେଲା ଦୁର୍ଘଟଣା ଜନିତ ବୀମା ଅର୍ଥ ପ୍ରଦାନରେ ଘୋର ଅବହେଳା କରିବା ସହ ତାଙ୍କୁ ହତାଶ କରିଥିବାରୁ ଜିଲ୍ଲା ଖାଉଟି କୋର୍ଟ ଏଭଳି ଏକ ବଡ ନିଷ୍ପତି ନେଇ ୪୫ ଦିନ ମଧ୍ୟରେ ଏହି ଅର୍ଥ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି I ଉଲ୍ଲେଖ ଯୋଗ୍ୟ ଯେ ପୋଲସରା ଥାନା ଅଧିନସ୍ଥ ଉସ୍ତାପଡ଼ା ଗ୍ରାମର କୈଳାସ ଭଟ୍ଟ (ବୟସ ୩oବର୍ଷ) ନାମକ ଜନୈକ ବ୍ୟକ୍ତି ଆନ୍ଧ୍ର ପ୍ରଦେଶର ବିଜୟୱାଡା ଠାରେ ଶ୍ରମିକ ଭାବେ କାମ କରୁଥିଲେ I ବିଜୟୱାଡା ରେଳ ଷ୍ଟେସନ ନିକଟରେ ଏକ ଫ୍ଲାଇ ଓ଼ଭେର ବ୍ରିଡ଼ଜ ନିର୍ମାଣରେ ଶ୍ରମିକ ଭାବେ ମାଟି କାମ କରୁଥିବା ବେଳେ ମାଟି ଅତଡ଼ା ଖସି ପୋଲ ଭୁଶୁଡ଼ି ଯିବାରୁ କିଛି ଶ୍ରମିକ ବ୍ରିଡ଼ଜ ତଳେ ଚାପି ହୋଇ ଯାଇ ଥିଲେ I ଉଧାରକାରୀ ଦଳ ସେମାନଙ୍କୁ ତତକ୍ଷଣାତ ଉଦ୍ଧାର କରି ନିକଟସ୍ତ ସରକାରୀ ହସପିଟାଲକୁ ନେଇଥିଲେ I ସେଠାରେ ଅନ୍ୟମାନଙ୍କ ମଧ୍ୟରେ କୈଳାସ ଭଟ୍ଟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ I ଏହି ଘଟଣା ଗତ ୨୬ ଜୁନ ୨oo୯ ତାରିଖ ସନ୍ଧ୍ୟା ୭ଟା ବେଳେ ଘଟିଥିଲା I ପୋଷ୍ଟ ମର୍ଟମ ରିପୋର୍ଟ ଓ ପୋଲିସର ତଦନ୍ତ ରିପୋର୍ଟରେ ଦୁର୍ଘଟଣା ଜନିତ ମୃତ ବୋଲି ଦର୍ଶା ଯାଇ ଥିଲା I ତେବେ କୈଳାସ ଭଟ୍ଟ ୨oo୫ ଜାନୁଆରୀ ୨୮ ତାରିଖରେ ଜୀବନ ବୀମା ନିଗମ ଆସିକା ଶାଖାରେ ୫୫ହଜାର ଟଙ୍କା ପାଇଁ ଏକ ଦୁର୍ଘଟଣା ଜନିତ ଡବଲ ବେନିଫିଟ ପଲିସ କରି ନିୟମିତ ପ୍ରିମିୟମ ଦେଇ ଆସୁଥିଲେ I କୈଳାସର ମୃତ୍ୟୁ ପରେ ତା’ର ସ୍ତ୍ରୀ ଶ୍ରୀମତୀ ମଉନା ଭଟ୍ଟ କୌଣସିମତେ ବିଜୟୱାଡା ପୌରପରିଷଦରୁ କୈଳାସର ମୃତ ପ୍ରମାଣ ପତ୍ର ସଂଗ୍ରହ କରି ଆସିକା ଜୀବନବିମା ଶାଖାରେ ଦାଖଲ କରିଥିଲେ ଓ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ମଧ୍ୟ କହିଥିଲେ କିନ୍ତୁ ଜୀବନବିମା ନିଗମ କର୍ତ୍ତୃପକ୍ଷ ଏହାକୁ କର୍ଣପାତ ନ କରି ମୃତ କୈଳାସର ନୋମିନୀ ତଥା ତାର ସ୍ତ୍ରୀ ମଉନା ଭଟ୍ଟଙ୍କୁ କେବଳ ବୋନସ ସହ ଜମା ଅର୍ଥ ୬୬ ହଜାର ୮୮0 ଟଙ୍କା ଫେରସ୍ତ କରିଥିଲେ I ଦୁର୍ଘଟଣା ଜନିତ ବେନିଫିଟ ଦେୟ ଦେଇ ନ ଥିଲେ I ଦୁର୍ଘଟଣାରେ ମୃତ୍ୟୁ ବୋଲି ପୋଲିସ ରିପୋର୍ଟ ଓ ପୋଷ୍ଟ ମର୍ଟମ ରିପୋର୍ଟ ରେ ଦର୍ଶା ଯାଇ ଥିଲେ ସୁଦ୍ଧା ଜୀବନବିମା କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରି ନ ଥିଲେ I ବିଧବା ମହିଳା ମଉନା ଭଟ୍ଟ ବାରମ୍ବାର ଆସିକା ଓ ବିଜୟୱାଡା ଦୌଡ଼ି ଦୌଡ଼ି ହତାଶ ହୋଇ ଯାଇ ଥିଲେ ସୁଦ୍ଧା ନିଗମ ପକ୍ଷରୁ କୌଣସି ଉତ୍ତର ମିଳି ନ ଥିଲା I ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ବିଜୟୱାଡା ପୋଲିସର ତଦନ୍ତ ରିପୋର୍ଟ ଓ ପୋଷ୍ଟ ମର୍ଟମ ରିପୋର୍ଟ ଦାଖଲ ହେଲା ପରେ ବି ଜୀବନ ବୀମା କର୍ତ୍ତୃପକ୍ଷ କାହିଁକି ବୀମା ଅର୍ଥ ଦେଉ ନାହାନ୍ତି ବୋଲି ସେ ପୋଲସରାର ଆଡ଼ଭୋକେଟ ରମେଶ ଚନ୍ଦ୍ର ପ୍ରଧାନଙ୍କ ମାଧ୍ୟମରେ ଦୁଇ ଦୁଇ ଥର ଲିଗାଲ ନୋଟିସ କରିଥିଲେ ତଥାପି ଏଲଆଇସି କୌଣସି ଉତ୍ତର ଦେଇ ନ ଥିଲା I ଫଳରେ ସୂଚନା ଅଧିକାର ଆଇନ ବଳରେ ମଧ୍ୟ ରିପୋର୍ଟ ମଗା ଯାଇ ଥିଲା କିନ୍ତୁ କୌଣସି ଉତ୍ତର ଆସି ନ ଥିଲା I ଏଲଆଇସି ଅଫିସକୁ ଗଲେ କେବଳ ତୁମେ କୋର୍ଟ ଆଦେଶ ଆଣ ବୋଲି ହେୟ ଜ୍ଞାନରେ କହୁଥିଲେ ବୋଲି ବିଧବା ମହିଳା ଜଣକ ଅଭିଯୋଗ କରୁଥିଲେ I ଏଭଳି ହତାଶର ସହ ଦୀର୍ଘ ୧୧ ବର୍ଷ କାଳ ନିଜ ମୃତ ସ୍ୱାମୀର ଦୁର୍ଘଟଣା ଜନିତ ବୀମା ଅର୍ଥ ମାତ୍ର ୫୫ହଜାର ଟଙ୍କା ପାଇଁ ବିଜୟୱାଡା ରାଜଭବନ ଚାରିପାଖରେ ଘୁରି ବୁଲୁଥିବା ବେଳେ ସମାଜସେବୀ ତଥା ଆଡ଼ଭୋକେଟ ସୁଧୀର କୁମାର ପଟ୍ଟନାୟକଙ୍କ ସହ ଦେଖା ହୋଇଥିଲା I ସେ ଏହାକୁ ଗମ୍ଭୀରତା ସହ ବିଚାର କରି ହତାଶ କରାଯାଇଥିବା ଜଣେ ବିଧବା ମହିଳାଙ୍କୁ ଉପଯୁକ୍ତ ନ୍ୟାୟ ପାଇଁ ବିଜୟୱାଡା ସ୍ଥିତ ମାନ୍ୟବର ଆନ୍ଧ୍ର ହାଇକୋର୍ଟରେ ଜୀବନ ବୀମା ନିଗମ ବିରୋଧରେ ମୋକଦମ ଦାଏର କରିଥିଲେ I କ୍ଷତିପୂରଣ ବାବଦରେ ଏଲଆଇସି ଏକ କୋଟି ଟଙ୍କା ଦେବାକୁ ଏଥିରେ ଦାବୀ କରାଯାଇଥିଲା I ମାନ୍ୟବର ହାଇ କୋର୍ଟ ଏହାକୁ ଗ୍ରହଣ କଲେ କିନ୍ତୁ ପ୍ରଥମେ ନିଜ ଜିଲ୍ଳା ଖାଉଟି କୋର୍ଟରେ ଦାଖଲ କରିବାକୁ ନିର୍ଦେଶ ଦେଲେ ଫଳରେ ଏହାର ଲିମିଟେସମ ଫାଇଦା ଆସିଗଲା I ଶ୍ରୀମତୀ ମଉନା ଭଟ୍ଟଙ୍କ ପକ୍ଷରୁ ସେହି ଆଇନଜୀବୀ ସୁଧୀର କୁମାର ପଟ୍ଟନାୟକ ଓ ଆଡ଼ଭୋକେଟ ସୁମୀତ କୁମାର ପଟ୍ଟନାୟକ ମିଳିତ ଭାବେ ବ୍ରହ୍ମପୁରଠାରେ ଥିବା ଗଞ୍ଜାମ ଜିଲ୍ଲା ଖାଉଟି ଅଦାଲତରେ କ୍ଷତିପୂରଣ ୯୯ ଲକ୍ଷ ଟଙ୍କା ଦାବୀ କରି ଗତ ୨0୨୧ ସେପ୍ଟେମ୍ବର ୮ ତାରିଖରେ ଖାଉଟି କେଶ ଦାଏର କଲେ I କେଶ ନମ୍ବର CC /77/2021 ଥିଲା I ଦୁଇବର୍ଷ ହେଲା ଖାଉଟି ଅଦାଲତରେ କେଶ ଚାଲିଥିଲା I ଖାଉଟି ଅଦାଲତ ଏହାର ଶୁଣାଣି କରି ଆଜି ଶ୍ରୀମତୀ ମଉନା ଭଟ୍ଟଙ୍କ ସପକ୍ଷରେ ନ୍ୟାୟ ପ୍ରଦାନ କରି ଏଲଆଇସିକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି I ଦୁର୍ଘଟଣା ଜନୀତ ବୀମା ଅର୍ଥ ୫୫ହଜାର ଟଙ୍କା ସହ ଆଜକୁ ୧୪ବର୍ଷର ୧୬ ଶତକଡା ସୁଧ ହାରରେ ଆଗାମୀ ୪୫ଦିନ ମଧ୍ୟରେ ପୈଠ କରିବାକୁ ଏଲଆଇସିକୁ ନିର୍ଦେଶ ଦିଆଯାଇଛି Iଏହାର ବିଳମ୍ବ କଲେ ଶତକଡା ୧୮ ସୁଧ ହାରରେ ପୈଠ କରିବାକୁ ନିର୍ଦେଶ ରହିଛି I ଏଭଳି ଭୁଲ କରିଥିବା ଏଲଆଇସି ଅଧିକାରୀଙ୍କ ଠାରୁ ଦଣ୍ଡ ଅର୍ଥ ଅସୁଲ କରିବାକୁ ଏଲଆଇସି ଉଚ୍ଚ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି I ତେବେ ଉଲ୍ଲେଖ ଯୋଗ୍ୟ ଯେ ମାନ୍ୟବର ନ୍ୟାୟାଧୀଶ ଶ୍ରୀ ସତୀଶ କୁମାର ପାଣିଗ୍ରାହୀ ଓ ଶ୍ରୀମତୀ ସରିତ୍ରି ପଟ୍ଟନାୟକଙ୍କ ଜିଲ୍ଳା ଖାଉଟି ଅଦାଲତରେ ଏଲଆଇସି ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଫୁଲ ଜଗନ୍ନାଥ ପାଢ଼ୀ କେଶ ପରିଚାଳନା କରିଥିବା ବେଳେ ଏଲଆଇସି ପଲିସ ହୋଲଡର ଶ୍ରୀମତୀ ମଉନା ଭଟ୍ଟ ପକ୍ଷରୁ ଆଡ଼ଭୋକେଟ ସୁଧୀର କୁମାର ପଟ୍ଟନାୟକ, ଆଡ଼ଭୋକେଟ ସୁମିତ କୁମାର ପଟ୍ଟନାୟକ, ଆଡ଼ଭୋକେଟ କେଶରୀ ପ୍ରତାପ ମିଶ୍ର କେଶ ପରିଚାଳନା କରୁଥିଲେ I

ରିପୋର୍ଟ : ରଜତ କୁମାର ପଟ୍ଟନାୟକ