କୋରନା ଯୋଦ୍ଧାଙ୍କୁ ସମ୍ମାନ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ ଆରମ୍ଭ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୋରନା ଯୋଦ୍ଧାଙ୍କୁ ସମ୍ମାନ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ଡିଜିଟାଲ ଆନ୍ଦୋଳନ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏଥିରେ କାରୋନା ଭଳି ବିଶ୍ଵ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ହଜାର ହଜାର ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ମାନେ ଦିନରାତି ଏହାର ମୁକାବିଲା କରିବା ପାଇଁ ଚେଷ୍ଟା କରୁଛନ୍ତି ।  ଏଭଳି ପରିସ୍ଥିତିରେ ଏହି ଯୁବ କର୍ମଚାରୀମାନେ ଯିଏକି ଆଇଏଏସ ଏବଂ ଓଏଏସ ମାନଙ୍କ ପରି ଓଡିଶା ପବ୍ଲିକ ସାର୍ଭିସ କମିଶନ, ଓଡିଶା ଷ୍ଟାଫ ସିଲ୍ଲେକ୍ସନ କମିଶନ ଓ ଅନ୍ୟାନ ପ୍ରତିଯୋଗୀତାମୂଳକ ପରିକ୍ଷାରେ ଉତିର୍ଣ୍ଣ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ସରକାର ଚୁକ୍ତିଭିତ୍ତିକ ପରି କୁତ୍ସିତ ପ୍ରଥାରେ ନିଯୁକ୍ତି ଦେଇ ପରିହାସର ପାତ୍ର ବନେଇଛନ୍ତି । ରାଜ୍ୟର ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା କର୍ମଚାରୀ, ସେ ପୋଲିସ, ସ୍ୱାସ୍ଥକର୍ମୀ କିମ୍ବା ଶିକ୍ଷକ ସମସ୍ତଙ୍କୁ ସରକାର ବନ୍ଦେ ଉତ୍କଳ ଜନନୀ ଗାଇ ସମ୍ମାନ ସିନା ଦେଲେ ହେଲେ ତାଙ୍କ ପେଟ କଥା ବୁଝିଲେ ନାହିଁ । ଏହି ଶ୍ରେଣୀୟ ଯୁବ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ମାତ୍ର ୮୮୮୦/- ଟଙ୍କା ମାସିକ ବେତନରେ ୬ ବର୍ଷ ପର୍ଯ୍ୟନ୍ତ ଦାଦନ ଖଟାଉଛନ୍ତି, ଯାହାକି ସରକାରଙ୍କ ଘୋଷିତ ଦିନମଜୁରିଆର ପାରିଶ୍ରମିକ ଠାରୁ କମ । ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଏଭଳି ନିଯୁକ୍ତି ବ୍ୟବସ୍ଥାକୁ ଦୀର୍ଘ ଦିନ ହେବ ଘୋର ବିରୋଧ କରାଯାଉଛି ବୋଲି ଜଣାଯାଇଛି । ଏହି ବର୍ଗର ଯୁବ କର୍ମଚାରୀମାନଙ୍କ ଅକ୍ଲାନ୍ତ ପ୍ରରିଶ୍ରମ ଓ ଦାଇତ୍ଵନିଷ୍ଠା ରାଜ୍ୟ ସରକାରଙ୍କୁ ଶ୍ରେଷ୍ଠ ପ୍ରଶାସକ ବନେଇଛନ୍ତି, ହେଲେ ରାଜ୍ୟ ସରକାର ବାରମ୍ବାର ସେମାନଙ୍କ ସଙ୍ଗେ ପ୍ରତିଶୃତି ଓ ପ୍ରତାରଣର ଖେଳ ଖେଳୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ସରକାରଙ୍କର ଏହି ଵର୍ଗର କର୍ମଚାରୀମାନଙ୍କୁ ଉପେକ୍ଷା ଓ ଏହାର ପ୍ରତିବାଦରେ ଆଜି ଠାରୁ ୧୫ ଦିନ ଧରି ଡିଜିଟାଲ ଆନ୍ଦୋଳନ ଆରମ୍ଭ ହୋଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହାର ଫଳସ୍ଵରୂପ ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ନିରବ ପତିବାଦ କରି ସରକାରଙ୍କର ଏହି କୁତ୍ସିତ ନିଯୁକ୍ତି ବିରୋଦ୍ଧରେ ଟୁଇଟର ଓ ଫେସବୁକ ମାଧ୍ୟମରେ ସରପଞ୍ଚ ଠାରୁ ମୁଖ୍ୟମନ୍ତ୍ରୀ ତଥା ସମସ୍ତ ଲୋକପ୍ରତିନିଧିମାନଙ୍କ ଧ୍ୟାନ ଆକର୍ଷଣ କରିବା ସହ ସମସ୍ତ ରାଜନୀତିକ ଦଳ/ସାଂସଦ/ବିଧାୟକ ତଥା ରାଜ୍ୟର ସମସ୍ତ ସାମ୍ବାଦିକ/ବୁଦ୍ଧିଜୀଵି/ପ୍ରବାସୀ ଓଡ଼ିଆ/ମାନବାଧିର କର୍ମୀ/ସମାଜସେବୀମାନଙ୍କୁ ତଥା ଓଡିଶାବାସିମାନଙ୍କୁ ଓଡ଼ିଶାର ସମସ୍ତ ୫୦ ହଜାର କର୍ମଚାରୀମାନେ ଡିଜିଟାଲ ଆନ୍ଦୋଳନ ମାଧ୍ୟମରେ ୪.୫ କୋଟି ଓଡ଼ିଆଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଘଟାଲା ବିଷୟରେ ଅବଗତ କରାଯିବ ବୋଲି ସଂଘ ସଭାପତି ବିଜୟ ମଲ୍ଲ ପ୍ରେସ ବିବୃତିରେ ଘୋଷଣା କରିଥିବା ଜଣାଇଛନ୍ତି ।

ରିପୋର୍ଟ : ବିଜୟ ମଲ୍ଲ