କୋଭିଦ୍ କଟକଣାରେ ମାଇକ୍‌, ଲାଇଟ୍‌, ଟେଣ୍ଟ, ମୋଲିଡି ମାଲିକ ଓ କଳାକାର ଅତିଷ୍ଠ-ଜୀବନ ଜିବିକା ଲାଗି ସରକାରୀ ପ୍ରତ୍ସାହନ ଜରୁରୀ : ତହସିଲରେ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୮ ମାସ ଧରି କୋଭିଦ୍‌୧୯ କଟକଣା ଯୋଗୁଁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ପାରୁନଥିବାରୁ ମାଲିକ ଓ କଳାକାର ମାନେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ଏବେ ଜୀବନଜିବିକା ଲାଗି କୌଣସି ପନ୍ଥା ବାହାର କରିପାରିନଥିବାରୁ ସେମାନଙ୍କୁ ଆର୍ଥୀକ ସହାୟତା ଓ ବ୍ୟାଙ୍କ ଋଣ ଛାଡ କରିବାକୁ ଆଜି ଉତ୍ତର ବାଲେଶ୍ୱରକୁ କେନ୍ଦ୍ର କରି ଗଢିଉଠିଥିବା ସଂଘ ପକ୍ଷରୁ ଦାବି କରାଯାଇଛି ଓ ସେମାନେ ଏକ ଶୋଭାଯାତ୍ରାରେ ଷ୍ଟେସନଛକଠାରୁ ବାହାରି ତହସିଲ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଉତ୍ତର ବାଲେଶ୍ୱର ଟେଣ୍ଟ, ଲାଇଟ୍‌, ମେଲୋଡି, ମାଇକ୍ ସଂଘର ସଭାପତି ଗୌତମ ପ୍ରଧାନଙ୍କ ନେତୃତ୍ୱରେ ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତାର ବହୁ ସଂଖ୍ୟକ ମାଲିକ, କଳାକାର, ବାଦ୍ୟକାର, ନୃତ୍ୟଶିଳ୍ପୀ, ମାଇକ୍ ଅପରେଟର, ବିଦ୍ୟୁତ୍ ଚାଳକ, ଟେଣ୍ଟ ମାଲିକ ମାନେ ପୂର୍ବ ସୂଚନା ଅନୁଯାୟୀ ଜଳେଶ୍ୱର ଷ୍ଟେସନ ବଜାରରୁ ଶୋଭାଯାତ୍ରା ଓ ବିଭିନ୍ନ ନରାବାଜି ଦେଇ ତହସିଲ ସମ୍ମୁଖରେ ପହଞ୍ଚିଥିଲେ । ଗୌତମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜଳେଶ୍ୱର ସଂପାଦକ କେଦାରନାଥ ଗିରି, ଆନନ୍ଦ ଚୌରସିଆ, ଜୟକୃଷ୍ଣ ପାତ୍ର, ଶିବ କର, ସୁବାଶ ଚନ୍ଦ୍ର ବେହେରା, ଯୁଧିଷ୍ଠିର ଦେ, ସଂଜୟ ପ୍ରଧାନ, ଭୋଗରାଇ ସଂଘର ସଭାପତି ବିମଳ ଚନ୍ଦ୍ର ବେହେରା, ସଂପାଦକ ଶମ୍ଭୁନାଥ ସି, ଉପସଭାପତି ଉଦ୍ଧବ ପାତ୍ର, ବାସ୍ତାର ସଭାପତି ସଂଜୟ କୁମାର ଗିରି, ସଂପାଦକ ପୂର୍ଣ୍ଣଚନ୍ଦ୍ର ଜେନା, ବାଲିଆପାଳର ସଭାପତି ବିମଳ ବେହେରା, ସଂପାଦକ ବିକ୍ରମାଦିତ୍ୟ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସେମାନେ ଟେଣ୍ଟ, ମେଲୋଡି, ଲାଇଟ୍ ଇତ୍ୟାଦି ସରଞ୍ଜାମ ବ୍ୟାଙ୍କରୁ ଋଣରେ ଆଣି ବିଭିନ୍ନ ସ୍ଥାନରେ ପାର୍ବଣ, ବ୍ରତ, ସାଂସ୍କୃତିକ କାର୍ଯ୍ୟକ୍ରମ, ବିବାହ, ସଂଗୀତ ପରିବେଶଣ, ସଭାସମିତି ଆଦିରେ ଭାଗ ନେଇ ଆସୁଥିଲେ । ଶହ ଶହ ଗାୟକ, ଗାୟିକା ଯନ୍ତ୍ରଶିଳ୍ପୀ, ନୃତ୍ୟଶିଳ୍ପୀ ଓ ଅପରେଟର ଭାବେ କାର୍ଯ୍ୟକରି ପେଟ ପୋଷି ଆସୁଥିଲେ । କୋଭିଦ୍ ମହାମାରୀ ଯୋଗୁଁ ସେମାନଙ୍କ ଜିବୀକା ବୁଡି ଯାଇଥିବାରୁ ସେମାନେ ଘରେ ରହିଥିବାରୁ ବ୍ୟାଙ୍କ କିସ୍ତି ଦେଇ ପାରିନାହାନ୍ତିତ । ବିଭିନ୍ନ ଯନ୍ତ୍ରପାତି ୮୫ମାସ ମଧ୍ୟରେ ବିଗିଡି ଗଲାଣି, କିନ୍ତୁ ଏବେ ସଭାସମିତି, ଧର୍ମଘଟ, ସପିଂମଲ, ରେଷ୍ଟୁରେଣ୍ଟ, ହେଟେଲ ଇତ୍ୟାଦି ଖୋଲିଥିବା ବେଳେ ସାଂସ୍କୃତି କାର୍ଯ୍ୟକ୍ରମରେ ବାଧା କାହିଁକି ବୋଲି ପ୍ରଶ୍ନ କରିଥିଲେ । ତେଣୁ ସାଂସ୍କୃତିକ କାର୍ଯ୍ୟକମକୁ ଅନୁମତି ଦେବାସହ ବ୍ୟାଙ୍କ ଋଣ ଛାଡ କରିବା ଓ ଭତ୍ତା ଦେବାର ସୁବନ୍ଦୋବସ୍ତ କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଅନ୍ୟଥା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା