କୋଭିଡି-୧୯: ନର୍ସମାନଙ୍କୁ ଅଣଦେଖା କରା ଯାଉ ଥିବା ଅଭିଯୋଗ କରି ଧାରଣାରେ…..

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ମୁକାବିଲାରେ ନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । କୋଭିଡ଼ -୧୯ ହସ୍ପିଟାଲରେ ନର୍ସମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ମାତ୍ର କାର୍ଯ୍ୟରତ ଆଗଧାଡିର ଏହି କରୋନା ଯୋଦ୍ଧାଙ୍କୁ ଏବେ ଅଣଦେଖା କରାଯାଉଛି । କୌଣସି ଆନୁସଙ୍ଗିକ ସୁବିଧା ମିଳୁ ନ ଥିବା ପ୍ରତିବାଦରେ ଗଞ୍ଜାମ ଜିଲା ଏମ୍‌କେସିଜି ମେଡିକାଲରେ କାର୍ଯ୍ୟରତ ନର୍ସ ଓ ସ୍ବାସ୍ଥ୍ୟକର୍ମୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଧାରଣାରେ ବସିଛନ୍ତି । ଗତ ୯ଦିନ ମଧ୍ୟରେ ରାଜ୍ୟରେ ସବୁଠାରୁ ଅଧିକ କରୋନା ସଂକ୍ରମିତ ଗଞ୍ଜାମ ଜିଲାରେ ଚିହ୍ନଟ ହୋଇଛନ୍ତି । ସୋମବାର ମଧ୍ୟାହ୍ନ ସୁଦ୍ଧା ଜିଲାରେ ୧୩୭ ଜଣ ସଂକ୍ରମିତ ରହିଛନ୍ତି । ସଂକ୍ରମିତ ରୋଗୀଙ୍କୁ ସିତଲାପଲ୍ଲୀସ୍ଥିତ କୋଭିଡ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି । ସେଠାରେ ଏମ୍‌କେସିଜି ଷ୍ଟାଫ୍‌ନର୍ସ ସହ କୋଭିଡ-୧୯ ପାଇଁ ନିଯୁକ୍ତି ପାଇଥିବା ନର୍ସମାନେ କାର୍ଯ୍ୟରତ ଅଛନ୍ତି । ହେଲେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଏହି ନର୍ସଙ୍କୁ ସଠିକ୍‌ ସୁରକ୍ଷା ଉପକରଣ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ପର୍ଶନାଲ ପ୍ରୋଟେକ୍ସନ ଇକ୍ୟୁପ୍‌ମେଣ୍ଟ (ପିପିଇ), ଆବଶ୍ୟକୀୟ ମାସ୍କ, ଗ୍ଲୋଭ୍‌ସ ଆଦି ପ୍ରଦାନ କରାଯାଉ ନ ଥିବା ବେଳେ କୋଭିଡ ହସ୍ପିଟାଲରେ ପାନୀୟ ଜଳର ବ୍ୟବସ୍ଥା ନ ଥିବା ନର୍ସମାନେ ଅଭିଯୋଗ କରିଛନ୍ତି । ସମସ୍ତ ପ୍ରକାର ସୁବିଧା ପ୍ରଦାନ ଦାବିରେ ସୋମବାର ସକାଳୁ ନର୍ସମାନେ ଏମ୍‌କେସିଜି ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା