କେରଳରେ ରହିଛି ବିଶ୍ୱର ସବୁଠାରୁ ଛୋଟ ଗାଈ

ବାଙ୍ଗାଲୁରୁ : ଭାରତରେ ଗାଈକୁ ମା’ ରୂପେ ପୂଜା କରାଯାଏ। ଏଭଳି ଏକ ଗାଈ କେରଳରେ ରହୁଛି ଯାହାର ନାମ ଗିନିଜ୍‍ ବୁକରେ ସ୍ଥାନ ପାଇସାରିଛି। ଏହି ଗାଈଟିର ନାମ ‘ମନିକୟମ୍‍’। ‘ମନିକୟମ୍‍’ ଦୁନିଆର ସବୁଠାରୁ ଛୋଟ ଗାଈ। ‘ମନିକୟମ୍‍’ର ଉଚ୍ଚତା ୧.୭୫ଫୁଟ ଥିବାବେଳେ ଶରୀରର ଓଜନ ୪୦ କିଲୋଗ୍ରାମ। ସାଧାରଣ ଛେଳି ମାନଙ୍କ ଠାରୁ ଏହି ଗାଈଟିର ଓଜନ ଓ ଉଚ୍ଚତା କମ ରହିଛି। କେରଳର ଅଥୋଲବାସୀ ବାଳକୃଷ୍ଣ ନାମାବୁକଡିଙ୍କ ଏହି ଗାଈ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି। ‘ମନିକୟମ୍‍’କୁ ଦେଖିବା ପାଇଁ ବହୁ ଦୂରରୁ ଲୋକମାନେ ଆସୁଛନ୍ତି। ‘ମନିକୟମ୍‍’ ଜନ୍ମ ହେବାପରେ ଏହାର ଶାରୀରିକ ଭିନ୍ନତାକୁ ନେଇ ବାଳକୃଷ୍ଣ ନିକଟସ୍ଥ ପଶୁ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ବାଳକୃଷ୍ଣ ‘ମନିକୟମ୍‍’କୁ ଭଲ ଗୋଖାଦ୍ୟ ଦେଇଥିଲେ ମଧ୍ୟ କୌଣସି ଶାରୀରିକ ଉନ୍ନତି ହୋଇନଥିଲା। ଗାଁ ଲୋକଙ୍କ ବିଶ୍ୱାସ ରହିଛି ଯେ ଏହା କୌଣସି ଭଗବାନଙ୍କ ବରଦାନ ଠାରୁ କମ ନୁହେଁ।